ରାଜ୍ୟସଭାରେ ଗୃହୀତ ହେଲା ୟୁଏପିଏ ବିଲ୍

ନୂଆଦିଲ୍ଲୀ(କେନ୍ୟୁଜ୍) : ଅନ୍‌ଲଫୁଲ ଆକ୍ଟିଭିଟିସ୍‌ ପ୍ରିଭେନ୍‌ସନ ଆକ୍ଟ-ୟୁଏପିଏ ସଂଶୋଧନ ବିଲ୍‌ ସଂସଦରେ ଗୃହୀତ ହୋଇଛି । ବିଲ ସପକ୍ଷରେ ୧୪୭ଟି ଓ ବିପକ୍ଷରେ ୪୨ଟି ଭୋଟ ପଡ଼ିଛି। ପୂର୍ବରୁ ଲୋକସଭାରେ ପାସ୍‌ ହୋଇଥିଲା । ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ସଂଶୋଧନକୁ ବିରୋଧ କରୁଥିଲା କଂଗ୍ରେସ। ଏହି ବିଲ୍‌କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିଥିଲା। ପୁରୁଣା ନିୟମରେ ଆତଙ୍କବାଦରେ ଲିପ୍ତ ସଂଗଠନକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଉଥିଲା। କିନ୍ତୁ ବ୍ୟକ୍ତି ବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରି ପାରୁ ନଥିଲେ କେନ୍ଦ୍ର ସରକାର । ନୂଆ ନିୟମରେ ଏବେ କେନ୍ଦ୍ର ସରକାର କୌଣସି ବ୍ୟକ୍ତି ବିଶେଷକୁ ମଧ୍ୟ ଆତଙ୍କବାଦୀ ଘୋଷଣା କରିପାରିବେ। ଗୃହମନ୍ତ୍ରୀଙ୍କ ସୂଚନା ମୁତାବକ କୌଣସି ବ୍ୟକ୍ତି ବିଶେଷକୁ ଆତଙ୍କବାଦୀ ଭାବେ ଘୋଷଣା କରିବା ପୂର୍ବରୁ ୪ଟି ପର୍ଯ୍ୟାୟରେ ତଦନ୍ତ କରାଯିବ। ତଦନ୍ତ ବେଳେ ଆତଙ୍କବାଦ ସହ ଜଡିତ ସମ୍ପତ୍ତିର ବ୍ୟାଜାପ୍ତି ନେଇ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍‌ସୀ, NIA ଡିଜିଙ୍କୁ ଅଧିକାର ମିଳିବ। ଇନ୍‌ସ୍ପେକ୍ଟର କିମ୍ବା ତାଠାରୁ ଅଧିକ ର‍୍ୟାଙ୍କର ଅଫିସର ୟୁଏପିଏ ନିୟମ ଅଧିନରେ ତଦନ୍ତ କରି ପାରିବେ। ପୁରୁଣା ନିୟମରେ ଡିସିପି କିମ୍ବା ଏପିସି କିମ୍ବା ଏହାଠାରୁ ଅଧିକ ର‍୍ୟାଙ୍କର ଅଧିକାରୀ ତଦନ୍ତ କରି ପାରୁଥିଲେ। ନୂଆ ନିୟମରେ ଆତଙ୍କବାଦ ସଂଜ୍ଞାର ପରିସର ବ୍ୟପକ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.