ପୁଡ଼ୁଚେରୀରେ ଜାରି ହେବ ରାଷ୍ଟ୍ରପତି ଶାସନ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଦେଲା ମଞ୍ଜୁରୀ
ପୁଡ଼ୁଚେରୀରେ ଜାରି ହେବ ରାଷ୍ଟ୍ରପତି ଶାସନ। କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୁଧବାର ପୁଡ଼ୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଚଳିତ ସପ୍ତାହରେ ବିଶ୍ୱାସ ମତ ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ଇସ୍ତଫା ଦେଇଥିଲେ ଓ କେନ୍ଦ୍ରଶାସିତ ପ୍ରଦେଶରୁ କଂଗ୍ରେସ ଶାସିତ ସରକାର ହଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏନେଇ ଘୋଷଣା କରିବା ଅବସରରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀଙ୍କ ଇସ୍ତଫା ପରେ କୌଣସି ଦଳ ସରକାର ଗଠନ କରିବାକୁ ଦାବି ନ କରିବାରୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି।
Centre’s nod for President rule in Puducherry https://t.co/pLtXerQIR7
— TOI India (@TOIIndiaNews) February 24, 2021
ସୂଚନାଯୋଗ୍ୟ ଯେ ଚଳିତ ସପ୍ତାହ ଆରମ୍ଭରେ ଭି. ନାରାୟଣସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଆସ୍ଥା ଭୋଟ୍ ହାରିବା ପରେ ଉପରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ। ଏବେ କେନ୍ଦ୍ର କ୍ୟାବିନେଟ୍ ଉପରାଜ୍ୟପାଳଙ୍କ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ବିଧାନସଭା ଭଙ୍ଗ ହେବ ଓ ପୁଡ଼ୁଚେରୀରେ ଅନ୍ୟ ପ୍ରଶାସନିକ କାର୍ଯ୍ୟ ପାଇଁ ଖୁବ୍ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜାଭଡ଼େକର କହିଛନ୍ତି।