ମହଙ୍ଗା ପଡ଼ିଲା ଅଭଦ୍ରାମୀ: ମଝି ଆକାଶରେ ହଙ୍ଗାମା କରିବାରୁ ଯାତ୍ରୀଙ୍କୁ ପ୍ଲେନ୍‌ରୁ ତଡ଼ି ଦେଲେ କର୍ତ୍ତୃପକ୍ଷ

ଉଡ଼ନ୍ତା ବିମାନରେ ଜଣେ ଯାତ୍ରୀ ଏମିତି ଉତ୍ପାତ ହେଲେ ଯେ ଉଡ଼ାଜାହାଜକୁ ଜରୁରୀକାଳୀନ ଲ୍ୟାଣ୍ଡ କରାଇଲେ ପାଇଲଟ୍‌। ଯାତ୍ରୀଙ୍କ ବ୍ୟବହାର ଅତିଷ୍ଠ ହେବାରୁ ତାଙ୍କୁ ତଡ଼ିବା ପାଇଁ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ଏଭଳି ଘଟଣା ଘଟିଛି ଗୌହାଟୀରୁ ନୂଆ ଦିଲ୍ଲୀ ଯାଉଥିବା ସ୍ପାଇସ୍‌ ଜେଟ୍‌ ବିମାନରେ। ଏୟାର ଲାଇନ୍ସ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏ ଅବସରରେ ଏୟାର ଲାଇନ୍ସ ତରଫରୁ ବିଳମ୍ବ ଯୋଗୁ ସମସ୍ତ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଛି।

ରିପୋର୍ଟ ମୁତାବକ, ଶୁକ୍ରବାର ସକାଳେ ସ୍ପାଇସ୍‌ ଜେଟ୍‌ ଏୟାରଲାଇନ୍ସର ବିମାନ SG 8169 ରେ ଜଣେ ଯାତ୍ରୀ ଅଦ୍ଭୁତ ବ୍ୟବହାର କରିବା ଆରମ୍ଭ କରିଥିଲେ। ବିମାନ ପରିଚାରିକା ତାଙ୍କୁ ଯେତେ ବୁଝାଇଥିଲେ ମଧ୍ୟ ସେ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ। ବ୍ୟକ୍ତି ଜଣକ ନିଜ ସିଟ୍‌ରେ ନ ବସି ବାରମ୍ବାର ଅନ୍ୟ ଯାତ୍ରୀଙ୍କ ପାଖକୁ ଯାଇ ତାଙ୍କୁ ହଇରାଣ କରୁଥିଲେ। ତାଗିଦ୍‌ କଲା ପରେ ତାଙ୍କ ଉଦ୍ଧତାମୀ ଅଧିକ ବଢ଼ିଯାଇଥିଲା। ଫଳରେ ବାଧ୍ୟ ହୋଇ ପାଇଲଟ୍‌ ବିମାନକୁ ଜରୁରୀ ଅବତରଣ କରିଥିଲେ। ଅବତରଣ ପରେ ଉକ୍ତ ବ୍ୟକ୍ତିଙ୍କୁ ସିଆଇଏସ୍‌ଏଫ୍‌ କର୍ମୀଙ୍କୁ ହସ୍ତାନ୍ତର କରାଯାଇଛି।

ତେବେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ବିମାନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ କୌଣସି ସୂଚନା ଦିଆଯାଇନାହିଁ। କିନ୍ତୁ କୁହାଯାଉଛି ଯେ ଉକ୍ତ ବ୍ୟକ୍ତିଙ୍କର ମାନସିକ ବିକୃତି ରହିଛି। ଏଣୁ ସେ ଏଭଳି ପାଗଳ ଭଳି ବ୍ୟବହାର କରୁଥିଲେ। ବିମାନରୁ ଉକ୍ତ ଯାତ୍ରୀଙ୍କୁ ଉତାରିବା ପରେ ଉଡ଼ାଜାହାଜ ପୁଣି ଥରେ ଗନ୍ତବ୍ୟ ପଥରେ ଉଡ଼ାଣ ଭରିଥିଲା। ତେବେ ବିଳମ୍ବ ଯୋଗୁ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.