ଜାପାନର ସମୁଦ୍ର ତଟରେ କ୍ରାସ୍‌ ହେଲା ଆମେରିକା ସେନାର ହେଲିକପ୍ଟର, ମିଳୁନି ୮ ଜଣଙ୍କ ପତ୍ତା

ଆମେରିକା ସେନାର ଓସ୍‌ପ୍ରେ ହେଲିକପ୍ଟର ଦକ୍ଷିଣ ଜାପାନରେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାପାନର ତଟରକ୍ଷୀମାନେ ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହେଲିକପ୍ଟର ଏବଂ ସେଥିରେ ଥିବା ୮ ଜଣ ଲୋକଙ୍କ ସ୍ଥିତି ବିଷୟରେ କୌଣସି ସୂଚନା ନାହିଁ।

ଆମେରିକା ସେନାର ଓସ୍‌ପ୍ରେ ହେଲିକପ୍ଟର ଦକ୍ଷିଣ ଜାପାନରେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜାପାନର ତଟରକ୍ଷୀମାନେ ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତଟରକ୍ଷୀଙ୍କ ମୁଖପାତ୍ର କାଜୁଓ ଓଗାୱା କହିଛନ୍ତି ଯେ ହେଲିକପ୍ଟର ଏବଂ ସେଥିରେ ଥିବା ୮ ଜଣ ଲୋକଙ୍କ ସ୍ଥିତି ବିଷୟରେ କୌଣସି ସୂଚନା ନାହିଁ।

ସେ କହିଛନ୍ତି ଯେ ୟାକୁଶିମା ପାଖ ଦୁର୍ଘଟଣାସ୍ଥଳ ନିକଟରେ ଏକ ମତ୍ସ୍ୟଜୀବୀ ଡଙ୍ଗାରୁ ତଟରକ୍ଷୀଙ୍କୁ ଜରୁରୀକାଳୀନ କଲ୍ ମିଳିଥିଲା। ସ୍ଥାନୀୟ ନିବାସୀ କହିଛନ୍ତି ଯେ ସମୁଦ୍ରରେ ଖସିବା ସମୟରେ ବିମାନର ବାମ ଇଞ୍ଜିନ୍‌ରୁ ନିଆଁ ବାହାରୁଥିଲା। ଘଟଣାଟି ବୁଧବାର ଅପରାହ୍ନ ୨ଟା ୪୭ ମିନିଟ୍‌ର ବୋଲି କୁହାଯାଉଛି।

ରିପୋର୍ଟରୁ ଜଣାପଡ଼ିଛି, ବିମାନଟି ଟୋକିଓରେ ୟୁଏସ୍‌ ୟୋକୋଟା ଏୟାରବେସ୍‌ର ସିବି-୨୨ ଓସ୍‌ପ୍ରେ ଥିଲା। ଏହା ଇୱାକୁନି ଆମେରିକୀୟ ବେସ୍‌ରୁ ଉଡ଼ାଣ ଭରିଥିଲା, ଯାହାକି ଓକିନାୱାରେ କଡେନା ବେସ୍‌ ଅଭିମୁଖେ ଯାଉଥିଲା।

ଏହାପୂର୍ବରୁ ଗତ ଅଗଷ୍ଟରେ ଆଉ ଏକ ଓସ୍‌ପ୍ରେ ଉତ୍ତର ଅଷ୍ଟ୍ରେଲିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଥିବା ମୋଟ ୨୩ ଜଣଙ୍କ ମଧ୍ୟରୁ ୩ ଆମେରିକୀୟ ନୌସୈନିକଙ୍କ ମୃତ୍ୟୁ ଘଟିଥିଲା। ଏହିପରି କିଛି ଦିନ ତଳେ ଆମେରିକାର ଏକ ସୈନ୍ୟ ଗୁପ୍ତଚର ବିମାନ ସମୁଦ୍ରରେ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ରନୱେରେ ଅବତରଣ କରିବାର ଥିଲା, କିନ୍ତୁ ଏହା ରନୱେ ଅତିକ୍ରମ କରି ସମୁଦ୍ରରେ ପଡ଼ିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.