ହୁ ହୁ ହୋଇ ଜଳୁଛି ୟୁକ୍ରେନ୍‌ର ଓଡେସା ପୋର୍ଟ, ମିସାଇଲ ମାଡ଼ କଲା ରୁଷ୍‌

ନୂଆଦିଲ୍ଲୀ: ହୁ ହୁ ହୋଇ ଜଳୁଛି ୟୁକ୍ରେନ୍‌ର ଓଡେସା ପୋର୍ଟ। ଜାହାଜରେ ଲାଗିଛି ନିଆଁ। ଯେଉଁ ବନ୍ଦରରୁ ବିଶ୍ୱ ବଜାରକୁ ଗହମ ରପ୍ତାନି ହୋଇଥାନ୍ତା, ଏବେ ସେହି ବନ୍ଦର ଉପରେ ମିସାଇଲରେ ହେଉଛି ଆକ୍ରମଣ। ଇସ୍ତାନ୍‌ବୁଲ ରାଜିନାମାର ଦିନକ ପରେ ଓଡେସା ପୋର୍ଟରେ ମିସାଇଲ ମାଡ଼ କରିଛି ରୁଷ୍‌।

ଓଡେସା ସମେତ ୟୁକ୍ରେନ୍‌ର ୩ଟି ବନ୍ଦରରୁ ବ୍ଲାକ୍‌ ସି ଦେଇ ଖାଦ୍ୟଶସ୍ୟ ରପ୍ତାନି ପାଇଁ ବାଟ ଛାଡ଼ିବାକୁ ଇସ୍ତାନବୁଲରେ ଚୁକ୍ତି ସ୍ୱାକ୍ଷର କରିଥିଲା ରୁଷ୍‌। ମିଳିତ ଜାତିସଂଘ ଓ ତୁର୍କୀ ସହ ପୃଥକ ପୃଥକ ଚୁକ୍ତି କରିଥିଲେ ରୁଷ୍‌ ଓ ୟୁକ୍ରେନ୍‌। ଚୁକ୍ତିର ୨୪ ଘଣ୍ଟା ନପୂରୁଣୁ ଓଡେସା ପୋର୍ଟ ଉପରେ କାଲିବର ମିସାଇଲ ମାଡ଼ କରିଛି ରୁଷ୍‌।

ରୁଷ୍‌ ସେନା ମୋଟ୍‌ ୪ଟି ମିସାଇଲ ଛାଡ଼ିଥିଲା। ସେଥିରୁ ୨ଟି ହିଟ୍‌ କରିଥିବା ବେଳେ ଆଉ ୨ଟି ମିସାଇଲକୁ ୟୁକ୍ରେନ୍‌ ଏୟାର ଡିଫେନ୍‌ସ ବିଫଳ କରି ଦେଇଥିଲା। ଜେଲେନ୍‌ସ୍କି କହିଛନ୍ତି, ଓଡେସା ଉପରେ ଆକ୍ରମଣ କେବଳ ମାନବ ବିରୋଧୀ ନୁହେଁ, ରୁଷ୍‌ ତା’ ନିଜର ରାଜନୈତିକ ସ୍ଥିତି ଉପରେ ମଧ୍ୟ ଆକ୍ରମଣ କରିଛି। ରୁଷ୍‌ ସହ କଥାବାର୍ତ୍ତା ବା ରାଜିନାମା ପାଇଁ କହୁଥିବା ଲୋକ ଏହାକୁ ଦେଖନ୍ତୁ ବୋଲି କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି।

ଅନ୍ୟପଟେ ମିସାଇଲ ଆକ୍ରମଣକୁ ସ୍ୱୀକାର କରିଛି ରୁଷ୍‌। ତେବେ ସାମରିକ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି ବୋଲି ସଫେଇ ଦେଇଛନ୍ତି ରୁଷ୍‌ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାକାରୋଭା।

Also Read: ଫେରୁଛନ୍ତି ୯୦ ଦଶକର ହିରୋ ଫରଦିନ୍‌ ଖାନ୍‌, ୧୨ ବର୍ଷ ପରେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ଆସିବେ ନଜର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.