ଫେରୁଛନ୍ତି ୯୦ ଦଶକର ହିରୋ ଫରଦିନ୍‌ ଖାନ୍‌, ୧୨ ବର୍ଷ ପରେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ଆସିବେ ନଜର

ଫେରୁଛନ୍ତି ୯୦ ଦଶକର ହିରୋ ଫରଦିନ୍‌ ଖାନ୍‌। ୧୨ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଫରଦିନ୍‌ ଖାନ୍‌। ସଞ୍ଜୟଲୀଲା ଭଂସାଲୀଙ୍କ ସହ ନିଜ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବେ ଏହି ଅଭିନେତା। ଖବର ଆସିଛି ଯେ ସଞ୍ଜୟଲୀଲା ଭଂସାଲୀଙ୍କ ଫିଲ୍ମ ହୀରାମଣ୍ଡିରେ ଫରଦିନ୍‌ଙ୍କୁ ମଧ୍ୟ କାଷ୍ଟ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ହୀରାମଣ୍ଡି ଭଂସାଲୀଙ୍କର ଏକ ପିରିୟଡ୍‌ ଡ୍ରାମା ସିରିଜ୍‌। ଏହି ଫିଲ୍ମରେ ଫରଦିନ୍‌ ଖାନ୍‌ ଅଭିନେତ୍ରୀ ଅଦିତି ରାଓ ହେଦରୀଙ୍କ ବିପକ୍ଷରେ ନଜର ଆସିବେ।


ହୀରା ମଣ୍ଡି ସହ ଜଡ଼ିତ ଆଉ ଏକ ରୋଚକ ଖବର ହେଉଛି ଏଥିରେ ଫରଦିନଙ୍କ ଶାଶୁ ମୁମ୍‌ତାଜ ମଧ୍ୟ ଅଭିନୟ କରୁଥିବାର ନଜର ଆସିବେ। ଅର୍ଥାତ୍‌ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଜ୍ୱାଇଁ ଓ ଶାଶୁ ରୂପେଲି ପରଦାରେ ସ୍କ୍ରିନ୍‌ ସେୟାର କରିବେ। ମୁମ୍‌ତାଜ୍‌ ଏହି ଫିଲ୍ମରେ ଅଭିନୟ କରିବେ ବୋଲି ପୂର୍ବରୁ ବି ଖବର ଆସିଥିଲା।

ରିପୋର୍ଟ ମୁତାବକ, ହୀରା ମଣ୍ଡି ଫିଲ୍ମ ପାକିସ୍ତାନର ଲାହୋରରେ ଥିବା ଏକ ରେଡ୍‌ ଲାଇଟ୍‌ ଅଞ୍ଚଳର କାହାଣୀ ଉପରେ ଆଧାରିତ। ଏହା ଏକ ୱେବ୍‌ ସିରିଜ୍‌ ଓ ଏଥିରେ ବହୁ ଜଣାଶୁଣା କଳାକାର ଅଭିନୟ କରୁଛନ୍ତି। ଏଥିରେ ଅଦିତି ଓ ମୁମ୍‌ତାଜଙ୍କ ବ୍ୟତୀତ ମାଧୁରୀ ଦୀକ୍ଷିତ, ରେଖା, ହୁମା କ୍ୟୁରେସୀ, ରିଚା ଚଢ଼ା ପ୍ରମୁଖ ଅଭିନୟ କରୁଛନ୍ତି। ସୋନାକ୍ଷୀ ଏହି ଫିଲ୍ମ ପାଇଁ ସୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି। ସେହିପରି ସଞ୍ଜିଦା ଶେଖ୍‌, ଜୟତି ଭାଟିୟା ଓ ମନୀଷା କୋଇରାଲା ମଧ୍ୟ ଏହାର ସୁଟିଂ କରୁଛନ୍ତି। ଏବେ ଏଥିରେ ଫରଦିନ୍‌ ଖାନ୍‌ ମଧ୍ୟ ଯୋଡ଼ି ହୋଇଛନ୍ତି।

Also Read: ପୁଅ ଜିତିବା ପରେ ଝୁମି ଝୁମି ନାଚିଲେ ନୀରଜ ଚୋପ୍ରାଙ୍କ ମା’, ମନକୁ ଛୁଇଁଯିବ ଏହି ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.