Below header

ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ଆମେରିକା ରାଷ୍ଟପ୍ରତି ଜୋ ବାଇଡେନ

ଓଡିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କହିଛନ୍ତି, ଏଭଳି ଦୁର୍ଘଟଣା ବିଷୟରେ ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଏବଂ ଦୁଃଖିତ ।

ଓଡିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ନେତାମାନେ ଏଭଳି ଦୁର୍ଘଟଣାକୁ ନେଇ ମର୍ମାହତ ହୋଇଛନ୍ତି । ଏଭଳି ଦୁର୍ଘଟଣାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ବାଇଡେନ କହିଛନ୍ତି, ଜିଲ୍‌ ବାଇଡେନ ଏବଂ ମୁଁ ଭାରତରେ ହୋଇଥିବା ଟ୍ରେନ ଦୁର୍ଘଟଣା ବିଷୟରେ ଶୁଣି ଅତ୍ୟନ୍ତ ମର୍ମାହତ ଏବଂ ଦୁଃଖିତ । ସମସ୍ତଙ୍କ ପ୍ରତି ମୋର ପ୍ରାର୍ଥନା । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି,ସେମାନଙ୍କୁ ମୋର ସମବେଦନା । ଏଭଳି ଦୁଃଖ ସମୟରେ ଭାରତ ସହିତ ଆମେରିକା ରହିଛି । ଯେଉଁଭଳି ଉଦ୍ଧାରକାର୍ଯ୍ୟ ଚାଲିଛି ତା’ ପ୍ରଶଂସନୀୟ।

କେବଳ ଜୋ ବାଇଡେନ ନୁହନ୍ତି ବରଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ୍‌ ମେକାନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶଦା, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ ଗାରକେଟ୍ଟି, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପା କମଳ ଦହାଲ, ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲୀ ସାବରୀ, ଭୁଟାନ ପ୍ରଧାନମନ୍ତ୍ରୀ ଲୋଟାୟ ଟେଶରିଙ୍ଗ, ଇଟାଲୀର ଉପ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ ତାଞ୍ଜାନି, ମିଳିତ ଜାତିସଂଘ ସାଧାରଣ ପରିଷଦ ସଭାପତି କାସାବା କୋରୋସି, ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭୋନ ଡେର ଲିୟନ ଓ ତାଇୱାନା ରାଷ୍ଟ୍ରପତି ତସାଇ ଇଙ୍ଗ ୱେନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ପୂରା ବିଶ୍ୱ ଶୋକ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ ଜଣ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.