ମୃତ ପକ୍ଷୀଙ୍କ ସାମ୍ପଲ ଦେବାକୁ ଝଡ଼ବର୍ଷାରେ ବାଇକ୍‌ରେ ୩୫୦ କିଲୋମିଟର ଗଲେ ଅଫିସର, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

ଦେଶରେ ଏବେ ବାର୍ଡ-ଫ୍ଲୁର ଆତଙ୍କ ଦେଖାଦେଇଛି। ମଧ୍ୟପ୍ରଦେଶରେ କାଉ ମଡ଼କ ଦେଖାଯିବା ପରେ ପଶୁ ବିଭାଗ ସଜାଗ ହୋଇଛି। ତେବେ ଇତିମଧ୍ୟରେ ମଧ୍ୟପ୍ରଦେଶର ପଶୁ ଅଧିକାରୀ କିଛି ଏଭଳି କରିଛନ୍ତି, ଯାହାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ୍‌ ମଧ୍ୟ ପ୍ରଶଂସା କରିଛନ୍ତି।

ରିପୋର୍ଟ ମୁତାବକ, କେତେକ ଜିଲ୍ଲାରେ ମୃତ ପକ୍ଷୀଙ୍କ ସାମ୍ପଲ ଭୋପାଳ ପଠାଇବାର ଥିଲା। ଏଥିପାଇଁ ଭେଟେନାରୀ ଅଫିସର ଆରପି ତିଓ୍ଵାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଠିକ୍‌ ସମୟରେ ସାମ୍ପଲ ପହଞ୍ଚାଇବା ପାଇଁ ତିଓ୍ଵାରୀଙ୍କୁ ଟ୍ରେନ୍‌ ଟିକେଟ୍‌ ମିଳିପାରିନଥିଲା। ବସ୍‌ ଟିକେଟ୍‌ କରିଥିଲେ ମଧ୍ୟ ବସ୍‌ରେ ଯିବାକୁ ବିଳମ୍ବ ହୋଇଥାଆନ୍ତା। ଏଣୁ ସେ ବାଇକ୍‌ରେ ଭୋପାଳ ଯାଏଁ ପ୍ରାୟ ୩୫୦ କିଲୋମିଟର ଯିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ତାଙ୍କ ସାଥ୍‌ ଦେଇଥିଲେ ତାଙ୍କ ପୁଅ। ଆରପି ତିଓ୍ଵାରି ଓ ତାଙ୍କ ପୁଅ ଶନିବାର ସକାଳ ୬ଟାରୁ ବାହାରିଥିଲେ ମଧ୍ୟ ବର୍ଷା ଯୋଗୁ ଏକାଧିକ ସ୍ଥାନରେ ଅଟକିଥିଲେ। ଗୋଟିଏ ସ୍ଥାନରେ ରାତି କାଟିବା ପରେ ରବିବାର ସକାଳରେ ସେ ମୃତ ପକ୍ଷୀଙ୍କ ସାମ୍ପଲ ଯାଞ୍ଚ ପାଇଁ ଲ୍ୟାବ୍‌ରେ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ୍‌ ଆରପି ତିଓ୍ଵାରୀଙ୍କ ବିଷୟରେ ଜାଣିବା ପରେ ଟ୍ଵିଟ୍‌ କରି ତାଙ୍କ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଚୌହ୍ଵାନ ଲେଖିଛନ୍ତି- ଶ୍ରୀ ଆରପି ତିଓ୍ଵାରୀଙ୍କ ଉଦ୍ୟମକୁ ପ୍ରଣାମ କରୁଛି। ଆପଣ ସମାଜ ସାମ୍ନାରେ କର୍ତ୍ତବ୍ୟନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତିର ଅଦ୍ଭୁତ ଉଦାହରଣ ରଖିଛନ୍ତି। ମଧ୍ୟ ପ୍ରଦେଶକୁ ଆପଣଙ୍କ ଭଳି ଅଧିକାରୀ ଓ କର୍ମଚାରୀ ହିଁ ଗଢ଼ିଛନ୍ତି। ମୋ ତରଫରୁ ଆପଣଙ୍କୁ ହାର୍ଦ୍ଦିକ ଶୁଭକାମନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.