ଭାରତର ନୌସେନା ମୁଖ୍ୟ ହେଲେ ଭାଇସ ଆଡମିରାଲ ଆର ହରି କୁମାର, ୩୦ ନଭେମ୍ବରରୁ ସମ୍ଭାଳିବେ ଦାୟିତ୍ୱ

ଭାରତର ନୌସେନା ମୁଖ୍ୟ ହେଲେ ଭାଇସ ଆଡମିରାଲ ଆର ହରି କୁମାର। ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ମୁଖ୍ୟ ଭାଇସ ଆଡମିରାଲ ଆର ହରି କୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସେ ଆସନ୍ତା ୩୦ରେ ବର୍ତ୍ତମାନ ନୌସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଡମିରାଲ କରମବୀର ସିଂହଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ଆର ହରି କୁମାର ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ ଭାବେ କାର୍ଯ୍ୟ କରୁଛନ୍ତି। ନୌସେନାର କାର୍ଯ୍ୟନିର୍ବାହୀ ବ୍ରାଞ୍ଚରେ ହରି କୁମାର ୧୯୮୩ ମସିହା ଜାନୁଆରୀ ୧ରେ ନିଯୁକ୍ତି ପାଇଥିଲେ। ଏହି ୩୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ନୌସେନାର ବିଭିନ୍ନ ପଦପଦବୀରେ କାମ କରିଛନ୍ତି। ସେ ଆଇଏନଏସ୍ ବିରାଟ ଓ ମିସାଇଲ ବିଧ୍ୱଂସକାରୀ ଆଇଏନଏସ୍ ରଣବୀରର ପରିଚାଳନା ଦାୟିତ୍ୱ ସମ୍ପାଦନ କରିଛନ୍ତି।

ଭାଇସ ଆଡମିରାଲ ଆର ହରି କୁମାର ୟୁଏସ୍‌ର ନାଭାଲ ଓ୍ଵାର କଲେଜ, Mhowର ଆର୍ମି ଓ୍ଵାର୍‌ କଲେଜ ଏବଂ ୟୁକେର ରୟାଲ କଲେଜ ଅଫ୍‌ ଡିଫେନ୍ସରୁ ପାଠ୍ୟକ୍ରମ କରିଛନ୍ତି। ଏଥି ସହିତ ସେ Param Vishist Seva Medal (PVSM), Ati Vishist Seva Medal (AVSM) ଏବଂ Vishist Seva Medal (VSM)ରେ ସମ୍ମାନିତ ହୋଇଛନ୍ତି।

ସେହିପରି ଏନଡିଆରଏଫ ନୂଆ ଡିଜି ହେଲେ ଅତୁଲ କରୱାଲ। କରୱାଲ ବର୍ତ୍ତମାନ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଏହା ସହ ଭାରତୀୟ ପୋଲିସ ସେବା ବିଭାଗର ବରିଷ୍ଠ ଅଧିକାରୀ ସେଲ ବର୍ଦ୍ଧନ ସିଂହଙ୍କୁ ସିଆଇଏସଏଫ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। Personnel Ministry ଦ୍ୱାରା ଜାରି ଆଦେଶ ଅନୁସାରେ, ସିଂହ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଏହି ପଦରେ ରହିବେ। ୧୯୮୬ ବ୍ୟାଚର ବିହାର କ୍ୟାଡର ଆଇପିଏସ୍ ସିଂହ ବର୍ତ୍ତମାନ ଇଣ୍ଟେଲିଜେନ୍ସ ବ୍ୟୁରୋରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.