ମହିଳା ଦୋକାନୀ ଲଗାଇ ନ ଥିଲେ ଟିକିଲି, ବିଜେପି ସାଂସଦ କହିଲେ, ‘ଆଗ ଟିକିଲି ଲଗାଅ, ତୁମର ସାଧାରଣ ଜ୍ଞାନ ଅଛି ନା ନାହିଁ’

କର୍ଣ୍ଣାଟକର ବିଜେପି ସାଂସଦ ଏମ ମୁନିସ୍ୱାମୀ ଜଣେ ମହିଳା ଦୋକାନୀଙ୍କୁ ତାଗିଦ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ଦୋକାନୀଙ୍କୁ କପାଳରେ ଟିକିଲି ନ ଲଗାଇବାକୁ ନେଇ ମୁନିସ୍ୱାମୀ ଗାଳିଗୁଲଜ କରିଛନ୍ତି।

କର୍ଣ୍ଣାଟକର ବିଜେପି ସାଂସଦ ଏମ ମୁନିସ୍ୱାମୀ ଜଣେ ମହିଳା ଦୋକାନୀଙ୍କୁ ଟିକିଲି ନ ପିନ୍ଧିବାକୁ ନେଇ ତାଗିଦ କରିଛନ୍ତି, ଯାହା ଉପରେ ଏବେ ରାଜନୈତିକ ଅସନ୍ତୋଷ ସୃଷ୍ଟି ହୋଇଛି। କୋଲାର ସାଂସଦ ମୁନିସ୍ୱାମୀ ଅନ୍ତର୍ଜାତୀୟ ମହିଳା ଦିବସରେ ଜଣେ ମହିଳା ଦୋକାନୀଙ୍କୁ କପାଳରେ ଟିକିଲି ନ ଲଗାଇବାକୁ ନେଇ ଗାଳିଗୁଲଜ କରିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ, ମହିଳା ଦିବସ ଅବସରରେ ପ୍ରଦର୍ଶନୀକୁ ଉଦଘାଟନ କରିବା ପାଇଁ ବିଜେପି ସାଂସଦ ମୁନିସ୍ୱାମୀ ସେଠାରେ ପହଞ୍ଚିଥିଲେ। ଉଦଘାଟନ କରିବା ପରେ ସେ ଏକ ଷ୍ଟଲରେ ଅଟକିଥିଲେ, ଯେଉଁଠାରେ ଜଣେ ମହିଳା ପୋଷାକ ବିକ୍ରି କରୁଥିଲେ। ମହିଳା ଦୋକାନୀ ମଥାରେ ଟିକିଲି ଲଗାଇ ନ ଥିଲେ। ଏହା ଦେଖି ସାଂସଦ ରାଗିଯାଇ ମହିଳାଙ୍କୁ ଗାଳି ଦେଇଥିଲେ। ଏଥିସହ ସେ ମହିଳାଙ୍କୁ କହିଥିଲେ, ‘ପ୍ରଥମେ ଟିକିଲି ଲଗାଅ, ତୁମର ସ୍ୱାମୀ ଜୀବିତ ଅଛନ୍ତି ନ ନାହିଁ? ତୁମର କୌଣସି ସାଧାରଣ ଜ୍ଞାନ ନାହିଁ’।

ମହିଳା ଦୋକାନୀଙ୍କୁ ଗାଳିଗୁଲଜ କରିବାକୁ ନେଇ କଂଗ୍ରେସ ଏବେ ବିଜେପି ସାଂସଦ ମୁନିସ୍ୱାମୀଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ଏହି ଘଟଣାକୁ ନିନ୍ଦା କରି କହିଛି ଯେ ଏଭଳି ଘଟଣା ବିଜେପିର ସଂସ୍କୃତିକୁ ଦର୍ଶାଉଛି। ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ କାର୍ତ୍ତି ପି ଚିଦାମ୍ବରମ ଭାଇରାଲ ଭିଡିଓ ଉପରେ କହିଛନ୍ତି ଯେ ବିଜେପି ଭାରତକୁ ହିନ୍ଦୁତ୍ୱ ଇରାନରେ ବଦଳାଇଦେବ।