ବର୍ଷା ପାଇଁ କୁନି କୁନି ପୁଅଙ୍କ ବିବାହ କରାଇଲେ କଣ୍ଣାଟକର ଗାଁ ଲୋକେ

ବିଶ୍ୱାସ ଓ ପରମ୍ପରାକୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା କର୍ଣ୍ଣାଟକରୁ ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ଗାଁ ଲୋକମାନେ ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାବାଳକଙ୍କ ବିବାହ କରିଛନ୍ତି । ବର୍ଷା ଅଭାବରୁ ଗାଁ ଲୋକେ ଫସଲ ନଷ୍ଟ ହେବା ଭୟରେ ଏପରି କରିଛନ୍ତି ।

ବର୍ଷା ପାଇଁ କୁନି କୁନି ପିଲାଙ୍କ ବିବାହ କରାଇଲେ ଗାଁ ଲୋକେ । ତାହା ପୁଣି ଦୁଇ ନାବାଳକଙ୍କ ବିବାହ । ଗାଁରେ ଦୀର୍ଘଦିନ ଧରି ବର୍ଷା ହେଉନଥିବାରୁ ଏପରି କରିଛନ୍ତି ଗ୍ରାମବାସୀ । କଥା ଟା ବିଶ୍ୱାସ ନହେଉ ଥିଲେ ବି ଘଟଣାଟି ସତ । ଭାରତର ଅନେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଯାଏ । ଲୋକମାନେ ନିଜ ବିଶ୍ୱାସ ପରମ୍ପରାକୁ ନେଇ କିଛି ବି କରନ୍ତି । ଏହି ବିଶ୍ୱାସ ଓ ପରମ୍ପରାକୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା କର୍ଣ୍ଣାଟକରୁ ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ଗାଁ ଲୋକମାନେ ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାବାଳକଙ୍କ ବିବାହ କରିଛନ୍ତି । ନିକଟରେ ଏଭଳି ଦୁଇଟି ମାମଲା ସାମ୍ନାକୁ ଆସିଛି । ବର୍ଷା ଅଭାବରୁ ଗାଁ ଲୋକେ ଫସଲ ନଷ୍ଟ ହେବା ଭୟରେ ଏପରି କରିଛନ୍ତି । ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ କୁନି କୁନି ପୁଅଙ୍କ ବିବାହ କଲେ ବର୍ଷା ଦେବତା ଖୁସି ହୁଅନ୍ତି ।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକର ଚିକ୍କାବଲାପୁରର ଚିନ୍ତାମଣି ତାଲୁକର ଏକ ଗାଁରେ ଗ୍ରାମବାସୀମାନେ ୩୧ ଅଗଷ୍ଟରେ ଦୁଇ ପୁଅଙ୍କର ବିବାହ କରିଥିଲେ । ଏହି ଅଞ୍ଚଳର ଜଣେ କୃଷକ ଦାବି କରିଛନ୍ତି ଯେ ବିବାହ ହେବାର ମାତ୍ର ଅଧ ଘଣ୍ଟାଏ ମଧ୍ୟରେ ବର୍ଷା ହୋଇଥିଲା । ଚଳିତ ମୌସୁମୀରେ କମ ବର୍ଷା ହୋଇଥିବାରୁ କର୍ଣ୍ଣାଟକର କୃଷକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଳ ଅଭାବରୁ ଫସଲ ନଷ୍ଟ ହେବା ସ୍ଥିତିରେ ପହଞ୍ଚିଛି । ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ ଯଦି ସେମାନେ କୁନି କୁନି ପୁଅମାନଙ୍କର ବିବାହ କରନ୍ତି ତେବେ ପ୍ରବଳ ବର୍ଷା ହୋଇଥାଏ । ଏହି ରିପୋର୍ଟରେ କୃଷକଙ୍କ ତରଫରୁ କୁହାଯାଇଛି ଯେ ବିବାହ ପାଇଁ ବଛା ଯାଇଥିବା ଦୁଇ ଜଣ ପୁଅ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି ।

ଉକ୍ତ ବିବାହରେ ସମଗ୍ର ଗାଁର ଲୋକମାନେ ସାମିଲ ହୋଇଥିଲେ ଏବଂ ମଙ୍ଗଲସୁତ୍ର ବାନ୍ଧିବା ଠାରୁ ଆରମ୍ଭ କରି ସମସ୍ତ ରୀତିନୀତି ସାଧାରଣ ବିବାହ ଭଳି କରାଯାଇଥିଲା । ଗାଁ ଲୋକମାନେ ସେମାନଙ୍କୁ ଉପହାର ମଧ୍ୟ ଦେଇଥିଲେ। ବିବାହ ଶେଷ ହେବା ପରେ ବର ଓ କନିଆକୁ ୧୬୦୦ରୁ ଅଧିକ ଟଙ୍କା ମିଳିଥିଲା ଯାହା ସେମାନେ ପରସ୍ପର ମଧ୍ୟରେ ବାଣ୍ଟି ନେଇଥିଲେ ।

ଏହାପୂର୍ବରୁ ଚିକ୍କାବଲାପୁର ତାଲୁକର ମୋଗଲାକୁପ୍ପେ ଗାଁରେ ସମାନ ଭାବେ ଏହି ପ୍ରଥା ଅନୁସାରେ ଦୁଇ ନାବାଳକଙ୍କ ବିବାହ କରାଯାଇଥିଲା । କର୍ଣ୍ଣାଟକର ଏହି ଅଞ୍ଚଳରେ ବର୍ଷ ବର୍ଷରୁ ଚାଲିଆସୁଛି ଏହି ପରମ୍ପରା । ଏଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ ନାବାଳକ ପୁଅମାନଙ୍କୁ ବିବାହ କଲେ ଦେବତାମାନେ ଖୁସି ହୋଇ ବର୍ଷା କରନ୍ତି ।

ବିବାହ ପରେ କ’ଣ ହୁଏ?

ଗ୍ରାମବାସୀଙ୍କ ଅନୁଯାୟୀ ଏହି ବିବାହ କେବଳ ଏକ ରୀତିନୀତି ଅନୁସାରେ ହୋଇଥାଏ । ଏହି ପୁଅମାନଙ୍କର ବିବାହ ପରେ ଏହାକୁ ଅନୁସରଣ କରିବାକୁ ପଡି ନଥାଏ ଏବଂ ପରେ ସେମାନେ ସାଧାରଣ ଜୀବନଯାପନ କରନ୍ତି । ଯେତେବେଳେ ସେମାନେ ବଡ ହୁଅନ୍ତି, ସେମାନେ ନିଜ ପରିବାର କିମ୍ବା ନିଜ ଇଚ୍ଛା ଅନୁଯାୟୀ ବିବାହ କରନ୍ତି ଏବଂ ଏଥିରେ କୌଣସି ପ୍ରତିବନ୍ଧକ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.