ଲଗାତାର ବିଗୁଡ଼ୁଛି ରୁଷ୍ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ! ଘର ସିଡ଼ିରୁ ଖସି ଆହତ ହେଲେ ପୁଟିନ, ଅଜାଣତରେ କରିଦେଲେ ମଳତ୍ୟାଗ

ରୁଷ୍ ଯେବେଠାରୁ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଛି, ସେବେଠାରୁ ରୁଷିଆର ସମସ୍ୟା କମିବାର ନାଁ ଧରୁନାହିଁ। ପ୍ରଥମେ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରତିବନ୍ଧକ, ବଡ଼ ବଡ଼ କମ୍ପାନୀର କାମ ବନ୍ଦ ହେବା ଏବଂ ଆଶାଠାରୁ ଅଧିକ ଦିନ ଯାଏ ଯୁଦ୍ଧ ଚାଲିବା, ଏ ସବୁ କିଛି ରୁଷ୍କୁ ବହୁତ କ୍ଷତି ପହଞ୍ଚାଇଛି।
ଏହାରି ଭିତରେ ବର୍ତ୍ତମାନ ଖବର ଆସିଛି କି, ଯୁଦ୍ଧ ସମୟରେ ହିଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଖରାପ ହେବାରେ ଲାଗିଛି। ତାଙ୍କୁ ଅନେକ ରୋଗ କବଳିତ କରିଛି। ନିକଟରେ ପୁଟିନ ସିଡ଼ିରୁ ଖସି ପଡ଼ିଥିବା ଏକ ରିପୋର୍ଟରେ ଦାବି କରାଯାଇଛି। କୁହାଯାଉଛି ଯେ ତାଙ୍କ ମେରୁଦଣ୍ଡ ହାଡ଼ରେ ଗଭୀର ଆଘାତ ଲାଗିଛି। ଯେତେବେଳେ ପୁଟିନ ସିଡ଼ିରୁ ଖସି ପଡ଼ିଥିଲେ, ସେତେବେଳେ ସେ ୫ଟି ପାହାଚ ଉପରେ ଥିଲେ। ପୁଟିନ ପଛପଟୁ ପଡ଼ିଥିବାରୁ ତାଙ୍କ ବ୍ୟାକ୍ବୋନରେ ଆଘାତ ଲାଗିଥିବା ରିପୋର୍ଟରେ କୁହାଯାଇଛି।
ରୁଷ୍ ରାଷ୍ଟ୍ରପତି ପୁଟିନ ଚଳିତ ସପ୍ତାହରେ ମସ୍କୋସ୍ଥିତ ନିଜ ଆବାସରେ ୫ମ ସିଡ଼ିରୁ ଖସି ପଡ଼ିଥିଲେ। ସେ ତଳେ ପଡ଼ିଯିବା ପରେ ସୁରକ୍ଷାକର୍ମୀମାନେ ତୁରନ୍ତ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କୁ ଉଠାଇଥିଲେ। ଏହି ସମୟରେ ପୁଟିନ ଅଜାଣତରେ ସେଠାରେ ମଳତ୍ୟାଗ ମଧ୍ୟ କରିଦେଇଥିଲେ। ସେପଟେ ଅନେକ ଖବରକାଗଜରେ ଏହି କଥାକୁ ନେଇ ମଧ୍ୟ ଚର୍ଚ୍ଚା କରାଯାଉଛି କି, ପୁଟିନ କ୍ୟାନ୍ସର ସହ ଲଢ଼ୁଛନ୍ତି, ଯେଉଁ କାରଣରୁ ତାଙ୍କ ପେଟ ଏବଂ ଅନ୍ତଃନଳୀ ନଷ୍ଟ ହୋଇଯାଇଛି।
ୟୁକେର ଏକ ଖବରକାଗଜ ଦାବି କରିଛି, ଗତମାସରେ କ୍ୟୁବାର ରାଷ୍ଟ୍ରପତି ମିଗୁଏଲ ଡିୟାଜ କ୍ୟାନଲଙ୍କ ସହ ଏକ ବୈଠକରେ ପୁଟିନ ବହୁତ ଅସହଜ ଅନୁଭବ କରିଥିଲେ। ଏହି ସମୟରେ ତାଙ୍କ ହାତ ଥରୁଥିଲା। ସେ ଠିକ୍ ଭାବେ କାହା ସହିତ ନଜର ମଧ୍ୟ ମିଶାଇ ପାରୁ ନ ଥିଲେ।
ପୁଟିନଙ୍କ ଘନିଷ୍ଠ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ପୁଟିନ ବ୍ଲଡ୍ କ୍ୟାନ୍ସର ସହ ଯୁଝି ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଲଗାତାର ଅବନତି ହେବାରେ ଲାଗିଛି। ଏହି କାରଣରୁ ସେ ଘରୁ କମ୍ ବାହାରକୁ ବାହାରୁଛନ୍ତି। ସାର୍ବଜନିକ କାର୍ଯ୍ୟକ୍ରମରେ ଯିବାଠୁ ଦୂରେଇ ରହୁଛନ୍ତି। ଯଦିଓ ଏ ପର୍ଯ୍ୟନ୍ତ ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟ କିମ୍ବା ରୋଗକୁ ନେଇ କୌଣସି ଅଫିସିଆଲ ନିଶ୍ଚିତ କରାଯାଇ ନାହିଁ।