ସୂର୍ଯ୍ୟକୁମାର ଯାଦବଙ୍କ ବଡ ନିଷ୍ପତ୍ତି, ଅନ୍ତର୍ରାଷ୍ଟ୍ରୀୟ କ୍ରିକେଟ ଛାଡି ଖେଳିବେ ରଣଜୀ ମ୍ୟାଚ୍‌

ଭାରତୀୟ କିକ୍ରେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ନିଜ ବ୍ୟାଟିଂ ଷ୍ଟାଇଲରେ ସମସ୍ତଙ୍କ ମନ ଜିଣିପାରିଛନ୍ତି । ଟି୨୦ ହେଉ ଅବା ଦିନିକିଆ ତାଙ୍କର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି । ପାଖାପାଖି ୭୫ ଦିନ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାରତୀୟ ଟିମ୍‌ ସହିତ ରହିବା ପରେ ବିରତି ନେଇଛନ୍ତି ସୂର୍ଯ୍ୟକୁମାର । ଖାସ୍‌ ଏହି କାରଣ ଯୋଗୁଁ ବାଂଲାଦେଶ ସିରିଜରୁ ବ୍ରେକ୍‌ ନେଇଛନ୍ତି । ତେବେ ଏହା ଭିତରେ ଖବର ମିଳିଛି କି, ଟେଷ୍ଟ କ୍ରିକେଟରେ ପାଦ ଦେବା ପୂର୍ବରୁ ବଡ ନିଷ୍ପତ୍ତି ନେଇଛନ୍ତି। ସୂର୍ଯ୍ୟ ଏବେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ଛାଡି ରଣଜୀ ମ୍ୟାଚ୍‌ ଖେଳିବାକୁ ମନ କରିଛନ୍ତି ।

ଏମସିଏର ସଚିବ ଆଜିଙ୍କ୍ୟ ନାୟକ ଗଣମାଧ୍ୟମକୁ କହିଛନ୍ତି, ଡିସେମ୍ବର ୨୦ରୁ ମୁମ୍ବାଇ ନିଜର ଘରୋଇ ମଇଦାନରେ ହାଇଦ୍ରାବାଦ ବିପକ୍ଷରେ ରଣଜୀ ମ୍ୟାଚ୍ ଖେଳିବ । ତେଣୁ ମୁମ୍ବାଇ ତରଫରୁ ମ୍ୟାଚ୍‌ ଖେଳିବେ ସୂର୍ଯ୍ୟ । ସୂର୍ଯ୍ୟ ଦ୍ଵିତୀୟ ରଣଜୀ ମ୍ୟାଚରେ ଦଳ ପାଇଁ ଉପଲବ୍ଧ ରହିବେ ।   ଆଉ ସୂର୍ଯ୍ୟକୁମାରଙ୍କ ଏମିତି ନିଷ୍ପତ୍ତି ସମସ୍ତଙ୍କ ହୃଦୟକୁ ବେଶ୍‌ ଛୁଇଁଛି । ଧଳା ବଲ୍ କ୍ରିକେଟରେ ନିଜକୁ ସାବ୍ୟସ୍ତ କରି ସାରିଥିବା ସୂର୍ଯ୍ୟକୁମାର ଯାଦବ ଏବେ ରେଡ୍ ବଲ କ୍ରିକେଟରେ ଭାରତୀୟ ଦଳର ସଦସ୍ୟ ହେବାକୁ ଚାହାନ୍ତି। ଏହି କାରଣରୁ ସେ ସୁଯୋଗ ମିଳିଲେ ରଣଜୀ ମ୍ୟାଚ୍ ଖେଳିବାକୁ ଚାହୁଁଛନ୍ତି । ଆନ୍ଧ୍ର ପ୍ରଦେଶ ବିପକ୍ଷ ପ୍ରଥମ ମ୍ୟାଚ୍ ପାଇଁ ଚୟନ କମିଟି ଆଜି ଦଳ ଘୋଷଣା କରିଛନ୍ତି। ଦଳର ନେତୃତ୍ଵ ନେବେ ଆଜିଙ୍କ୍ୟ ରାହାଣେ ।

ସୂର୍ଯ୍ୟକୁମାର ଯାଦବଙ୍କ ପଡିଆର ପ୍ରତିଟି କୋଣରେ ସଟ୍ ଖେଳିବାର କଳା ତାଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରିଛି। ଦେଢ ବର୍ଷ ପୂର୍ବେ ଟି-୨୦ କ୍ରିକେଟରେ ପଦାର୍ପଣ କରିଥିବା ଏହି ଖେଳାଳି ଆଜି ଟି-୨୦ ଫର୍ମାଟରେ କିଙ୍ଗ ଏବଂ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚି ଯାଇଛନ୍ତି।

୩୨ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୧ ମାର୍ଚ୍ଚରେ ଖେଳିଥିଲେ। ତା ପରଠୁ ସେ ଭାରତୀୟ ଦଳ ପାଇଁ ୧୬ଟି ଦିନିକିଆ ଏବଂ ୪୨ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ସାରିଛନ୍ତି। ସେ ଦିନିକିଆରେ ୧୦୦.୫୨ ଷ୍ଟ୍ରାଇକ ରେଟ୍ ଏବଂ ୩୨ ହାରରେ ୩୮୪ ରନ କରିଥିବା ବେଳେ ଟି-୨୦ ଅନ୍ତର୍ଜାତୀୟରେ ୧୮୦.୯୭ ଷ୍ଟ୍ରାଇକ୍ ଏବଂ ୪୪ ହାରରେ ୧୪୦୮ ରନ କରିଛନ୍ତି।

ଜିମ୍ବାଓ୍ଵେ ବିପକ୍ଷ ୬୧ ରନର ଅପରାଜିତ ଇନିଂସ ଖେଳିଥିବା ସୂର୍ଯ୍ୟକୁମାର ଯାଦବ ଆଜି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ୨୩ଟି ବଲ୍ରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। ସୂର୍ଯ୍ୟକୁମାର ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ରେ ଏକ ହଜାର ରନ ପୂରଣ କରିବାରେ ପ୍ରଥମ ଖେଳାଳି। ସୂର୍ଯ୍ୟ ନିଜର ୨୮ତମ ମୁକାବିଲାରେ ୧୦୦୦ ରନ ପୂରଣ କରିଛନ୍ତି। ଏ ପର୍ଯ୍ୟନ୍ତ ସେ ୧୦୨୬ ରନ କରିଛନ୍ତି।