Below header

ୟୁଟ୍ୟୁବ୍‌ ଭିଡିଓ ଦେଖି ଟ୍ୟୁସନ ଶିକ୍ଷକ ୫ ଛାତ୍ରଙ୍କ ପିଚାରେ ଫୋଡ଼ିଦେଲେ ‘ମସ୍ତିଷ୍କ ବିକାଶ’ କରୁଥିବା ଇଞ୍ଜେକ୍ସନ, ପୋଲିସ ବି ଚକିତ

ଦିଲ୍ଲୀରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଟ୍ୟୁସନ ଶିକ୍ଷକ ନିଜ ଛାତ୍ରମାନଙ୍କୁ ‘ମସ୍ତିଷ୍କ ବିକାଶ’ କରୁଥିବା ଇଞ୍ଜେକ୍ସନ ଫୋଡ଼ି ଦେଇଛନ୍ତି। କିନ୍ତୁ ପରେ ଜଣାପଡ଼ିଛି ଯେ ଶିକ୍ଷକ ଜଣକ ସାଧାରଣ ସାଲାଇନ୍‌ ଇଞ୍ଜେକ୍ସନ ବ୍ୟବହାର କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା, ସେ ୟୁଟ୍ୟୁବ୍‌ରେ ଭିଡିଓ ଦେଖିବା ପରେ ଏଭଳି ଉପାୟ ଆପଣାଇଥିଲେ।

ସୂଚନା ମୁତାବକ, ଟ୍ୟୁସନ ଶିକ୍ଷକ ଛାତ୍ରମାନଙ୍କ ପିଚା ମାଂସପେଶୀରେ ଏହି ଇଞ୍ଜେକ୍ସନ ଫୋଡ଼ି ଦେଇଛନ୍ତି। ଘଟଣା ସେତେବେଳେ ଲୋକଲୋଚନକୁ ଆସିଥିଲା, ଯେତେବେଳେ ଜଣେ ଛାତ୍ର ଇଞ୍ଜେକ୍ସନ ଲଗାଇବାକୁ ମନା କରିଥିଲେ ଏବଂ ଏ ବିଷୟରେ ଘର ଲୋକଙ୍କୁ ଜଣାଇଥିଲେ। ଛାତ୍ରଙ୍କଠାରୁ ସମସ୍ତ କଥା ଶୁଣିବା ପରେ ତାଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ଅଭିଯୋଗକାରୀ ଛାତ୍ର ଦିଲ୍ଲୀ ୟୁନିଭର୍ସିଟିର ବୋଲି ଜଣାପଡ଼ିଛି।

ସେପଟେ ପୋଲିସ ଟ୍ୟୁସନ ଶିକ୍ଷକଙ୍କଠାରୁ କେତେକ ଇଞ୍ଜେକ୍ସନ ଜବତ କରି ଯାଞ୍ଚ ପାଇଁ ଲ୍ୟାବ୍‌ ପଠାଇଛି। ପଚରାଉଚରା ପରେ ଜଣାପଡ଼ିଛି କି, ଶିକ୍ଷକ ୫ ଜଣ ଛାତ୍ରଙ୍କୁ ଏଭଳି ଇଞ୍ଜେକ୍ସନ ଲଗାଇଛନ୍ତି। ପୋଲିସ ଅନ୍ୟ ମାଧ୍ୟମରେ ମଧ୍ୟ ଯାଞ୍ଚ ଜାରି ରଖିଛି। ତେବେ ପୋଲିସ ଏଥି ପୂର୍ବରୁ କଣ୍ଟ୍ରୋଲ ରୁମ୍‌ରୁ ମିଳିଥିବା ସୂଚନା ଆଧାରରେ ମଣ୍ଡାବଳୀ ପହଞ୍ଚିଥିଲା। ସେତେବେଳକୁ ସ୍ଥାନୀୟ ଲୋକେ ଉକ୍ତ ଶିକ୍ଷକଙ୍କୁ କାବୁ କରି ରଖିଥିଲେ।

ନବମ ଶ୍ରେଣୀରେ ପଢ଼ୁଥିବା ଅନ୍ୟ ଜଣେ ଅଭିଯୋଗକାରୀ ଛାତ୍ର କହିଛନ୍ତି, ମସ୍ତିଷ୍କ ବିକାଶ କରୁଥିବା ଇଞ୍ଜେକ୍ସନ ଶିକ୍ଷକଙ୍କ ପାଖରେ ଅଛି। ଏହାଦ୍ୱାରା ଉଚ୍ଚତା ବି ବଢ଼ୁଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ବିହାରର ମୂଳ ବାସିନ୍ଦା। ସେ ମଣ୍ଡାବଳୀରେ ଘର ଭଡ଼ା ନେଇ ରହୁଛନ୍ତି। କୁହାଯାଉଛି କି, ଅଭିଯୁକ୍ତ ଶିକ୍ଷକ ଆର୍ଥିକ ରୂପେ ଦୁର୍ବଳ ପିଲାମାନଙ୍କୁ ବିନା ପଇସାରେ ପଢ଼ାଉଥିଲେ। ତାଙ୍କ ପାଖକୁ ପାଖାପାଖି ୫୦ ପିଲା ଟ୍ୟୁସନ ପଢ଼ିବାକୁ ଆସୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.