ମନ୍ତ୍ରୀ, ବିଧାୟକଙ୍କ ଦରମା ବୃଦ୍ଧି ଘୋଷଣା କଲେ ମମତା ବାନାର୍ଜୀ, ଏଣିକି ମାସକୁ ୪୦,୦୦୦ ଟଙ୍କା ଅଧିକ ବେତନ ମିଳିବ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମନ୍ତ୍ରୀ, ବିଧାୟକଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ବିଧାୟକଙ୍କ ଦରମାରେ ମାସିକ ୪୦ ହଜାର ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମନ୍ତ୍ରୀ, ବିଧାୟକଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ବିଧାୟକଙ୍କ ଦରମାରେ ମାସିକ ୪୦ ହଜାର ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି। ମମତା ବାନାର୍ଜୀ ବିଧାନସଭାରେ କହିଛନ୍ତି ଯେ ମୋ ବେତନରେ କୌଣସି ସଂଶୋଧନ କରାଯାଇ ନାହିଁ, କାରଣ, ମୁଁ ଦୀର୍ଘ ଦିନ ଧରି କୌଣସି ଦରମା ନେଉନାହିଁ।

ମମତା ବାନାର୍ଜୀ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗ ବିଧାନସଭାର ବିଧାୟକମାନଙ୍କ ଦରମା ବହୁତ କମ୍। ତେଣୁ ସେମାନଙ୍କ ଦରମାରେ ମାସିକ ୪୦,୦୦୦ ଟଙ୍କା ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏହା ବ୍ୟତୀତ ମମତା କ୍ୟାବିନେଟ୍ ମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀଙ୍କ ଦରମା ମଧ୍ୟ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ରାଜ୍ୟମନ୍ତ୍ରୀମାନଙ୍କ ମାସିକ ଦରମା ୧୦,୯୦୦ରୁ ୫୦,୯୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି କ୍ୟାବିନେଟ ମନ୍ତ୍ରୀଙ୍କ କ୍ଷେତ୍ରରେ ଏହି ରାଶି ୧୧,୦୦୦ ଟଙ୍କାରୁ ୫୧,୦୦୦ ଟଙ୍କାକୁ ବୃଦ୍ଧି ହୋଇଛି। କ୍ୟାବିନେଟ ମନ୍ତ୍ରୀ, ରାଜ୍ୟମନ୍ତ୍ରୀ ଏବଂ ବିଧାୟକମାନେ ମାସିକ ଦରମା ବ୍ୟତୀତ ଯେଉଁ ଅତିରିକ୍ତ ଭତ୍ତା ପାଇବାକୁ ହକଦାର, ତାହା ସମାନ ରହିବ।

ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି, ଏହାର ଅର୍ଥ ଯେ ଦରମା ଏବଂ ଭତ୍ତା ସମେତ ବିଧାୟକମାନଙ୍କୁ ମିଳୁଥିବା ପ୍ରକୃତ ମାସିକ ଟଙ୍କା ବର୍ତ୍ତମାନ ୮୧,୦୦୦ରୁ ବଢ଼ି ୧.୨୧ ଲକ୍ଷ ଟଙ୍କା ହୋଇଯିବ। ସେହିପରି ମନ୍ତ୍ରୀମାନଙ୍କୁ ମିଳୁଥିବା ପ୍ରକୃତ ମାସିକ ଦରମା ୧.୧୦ ଲକ୍ଷରୁ ବଢ଼ି ପ୍ରାୟ ୧.୫୦ ଲକ୍ଷ ହୋଇଯିବ।

ଗୁରୁବାର ରାଜ୍ୟ ବିଧାନସଭାରେ ବର୍ଦ୍ଧିତ ବେତନ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ବିଧାୟକମାନଙ୍କ ଦରମା ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍‌। ତେଣୁ ଏହାକୁ ଦୃଷ୍ଟିରେ ରଖି ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.