ରାହୁଲଙ୍କ ୱାୟନାଡ ଆସନରେ ଘୋଷଣା ହେଲା ନାହିଁ ଉପ ନିର୍ବାଚନ, ଜାଣନ୍ତୁ କ’ଣ କହିଲେ ନିର୍ବାଚନ ଆୟୋଗ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ପାଇଁ ଅପେକ୍ଷାର ଅନ୍ତ ଘଟିଛି। ନିର୍ବାଚନ ଆୟୋଗ ବୁଧବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ପାଇଁ ଅପେକ୍ଷାର ଅନ୍ତ ଘଟିଛି। ନିର୍ବାଚନ ଆୟୋଗ ବୁଧବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏପଟେ କେରଳର ଲୋକସଭା ଆସନ ୱାୟନାଡ ମଧ୍ୟ ଚର୍ଚ୍ଚାରେ ଥିଲା।

ବାସ୍ତବରେ, ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଯିବା ପରେ ୱାୟନାଡ ଆସନରେ ପୁଣିଥରେ ନିର୍ବାଚନ ହେବାର ଅଛି। କୁହାଯାଉଥିଲା ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସହିତ ନିର୍ବାଚନ ଆୟୋଗ ୱାୟନାଡ ଆସନରେ ମଧ୍ୟ ଉପ ନିର୍ବାଚନର ତାରିଖ ଘୋଷଣା କରିବେ, କିନ୍ତୁ ସେମିତି ହେଲା ନାହିଁ। ଯଦିଓ ନିର୍ବାଚନ ଆୟୋଗ କିଛି ରାଜ୍ୟରେ ବିଧାନସଭା ଏବଂ ଲୋକସଭା ପାଇଁ ଉପ ନିର୍ବାଚନ ଘୋଷଣା କରିଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି କି, ପଞ୍ଜାବର ଜଳନ୍ଧର ଲୋକସଭା ଆସନ ବ୍ୟତୀତ ଓଡିଶାର ଝାରସୁଗୁଡା, ୟୁପିର ଛାନବେ ଓ ସ୍ୱାର ଏବଂ ମେଘାଳୟର ସୋହିୟୋଙ୍ଗ ବିଧାନସଭା ଆସନରେ ମେ’ ୧୦ରେ ମତଦାନ ହେବ। ମେ’ ୧୩ରେ ଉପ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

ୱାୟନାଡକୁ ନେଇ କ’ଣ କହିଲେ ନିର୍ବାଚନ ଆୟୋଗ

ପ୍ରେସ୍‌ କନ୍‌ଫରେନ୍ସରେ ଗଣମାଧ୍ୟମ ପ୍ରତିନିଧିମାନେ ୱାୟନାଡ ଉପ ନିର୍ବାଚନକୁ ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ‘କୌଣସି ବି ଗୋଟିଏ ଆସନ ଖାଲି ପଡିଲେ ଉପ ନିର୍ବାଚନ କରିବା ପାଇଁ ୬ ମାସ ସମୟ ରହିଥାଏ। ଆମେ ଏଥିପାଇଁ ତତ୍ପର ନୁହଁ। ଟ୍ରାଏଲ କୋର୍ଟ ୩୦ ଦିନର ସମୟ ଦେଇଛନ୍ତି। ତେଣୁ ଆମେ ଅପେକ୍ଷା କରିବୁ’।

କହି ରଖୁଛୁ, ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଜନ ପ୍ରତିନିଧି ଆଇନ ୧୯୫୧ ଧାରା ୮ (୩) ଅନୁଯାୟୀ ଯଦି ଜଣେ ସାଂସଦ ବା ବିଧାୟକଙ୍କୁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଏ ଏବଂ ତାଙ୍କୁ ୨ ବର୍ଷ କିମ୍ବା ତା’ ଠାରୁ ଅଧିକ ଦଣ୍ଡାଦେଶ ହୁଏ, ତେବେ ସେ ସଦସ୍ୟ ପଦ ହରାଇବେ। ଏଥିସହ ଜେଲ୍‌ରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ି ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.