ଲୋକସଭାରେ କେଉଁ ଦଳକୁ ମିଳିବ ଉପବାଚସ୍ପତି ପଦ ? ଥମୁ ନାହିଁ ସସ୍‌ପେନ୍ସ

ଲୋକସଭାରେ ଉପବାଚସ୍ପତି ପଦ ପରମ୍ପରା ମୁତାବକ, ବିରୋଧୀ ଦଳଙ୍କୁ ଦିଆଯାଇଥାଏ । ଏଥର ଏହି ପଦ ଏନ୍‌ଡିଏ କେଉଁ ଦଳକୁ ଦେବ। ୨୦୧୪ରେ ଏଆଇଏଡିଏମ୍‌କୁ ଉପବାଚସ୍ପତି ପଦ ପ୍ରଦାନ କରିଥିଲେ ମୋଦି ସରକାର । ଏଥର କାହାକୁ ? ଭିନ୍ନଭିନ୍ନ ଗଣମାଧ୍ୟମରେ ଭିନ୍ନଭିନ୍ନ ଚର୍ଚ୍ଚା ଲାଗି ରହିଛି । କିଛି ଗଣମାଧ୍ୟମରେ ଖବର ଆସିଛି, ଏହି ପଦଲାଗି YSR କଂଗ୍ରେସକୁ ବିଜେପି ଅନୁରୋଧ କରିଛି । ଏ ପ୍ରସଙ୍ଗରେ ଦଳର ନେତା ଜିଭିଏଲ ନରସିମହା ରାଓ ଗତକାଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ସହ କଥା ହୋଇଥିଲେ । ଜଗନ କିନ୍ତୁ ଏ ପ୍ରସଙ୍ଗରେ ଚୁପ୍‌ ଅଛନ୍ତି। ଯଦି ବିଜେପିର ପ୍ରସ୍ତାବ ଗ୍ରହଣ କରେ ତେବେ ତାଙ୍କ ରାଜ୍ୟରେ ରାଜନୈତିକ ପ୍ରଭାବ କଣ ରହିବ ସେ ନେଇ ଜଗନ ବିଚାର କରୁଥିବା ଜଣା ପଡିଛି ।

ସେପଟେ ଅନେକ ଦିନ ହେଲା କିଛି ଗଣମାଧ୍ୟମ ଚର୍ଚ୍ଚା କରୁଛନ୍ତି, ଉପ ବାଚସ୍ପତି ପଦ ବିଜେଡିକୁ ମିଳିପାରେ। ଯେଉଁଥିରେ ଭର୍ତ୍ତୃହରି ମହତାବଙ୍କ ନାଁ ରହିଛି। କିନ୍ତୁ ଏ ପ୍ରସଙ୍ଗରେ ବିଜେଡି ନେତା କିଛି କହୁ ନାହାନ୍ତି। ଦୁଇ ଦଳ ଭିତରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି କି ନାହିଁ ଜଣା ପଡି ନାହିଁ। ଏହାରି ଭିତରେ ଗତକାଲି ନବୀନ, ମୋଦିଙ୍କୁ ଭେଟିଥିଲେ। ଫନି ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ କଥା ହେଲେ। ନବୀନ କହିଥିଲେ, ଉପବାଚସ୍ପତି ପଦ ନେଇ କୌଣସି ଆଲୋଚନା ହୋଇ ନାହିଁ।

ଦୁଇ ନେତାଙ୍କ ଭିତରେ ଏ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇ ନଥିଲେ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ଥମୁ ନାହିଁ।

ସେପଟେ ବିଜେପିର ସହଯୋଗୀ ଶିବସେନା ଉପବାଚସ୍ପତି ପଦ ଲାଗି ଦାବି ଜଣାଇ ସାରିଛି। କିନ୍ତୁ ବିଜେପି, ମହାରାଷ୍ଟ୍ର ରାଜନୀତିକୁ ଦୃଷ୍ଟିରେ ରଖି ଶିବସେନା ବଦଳରେ ଅନ୍ୟ ଦଳକୁ ଏହି ପଦବୀ ଦେବାକୁ ଚାହୁଁଥିବା ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.