ଆତ୍ମହତ୍ୟା କରିଥିଲେ, ଜୀବିତ ଅବସ୍ଥାରେ ଠାବ କଲା ପୋଲିସ, ପଢ଼ନ୍ତୁ ଏହି ରୋଚକ ଘଟଣା

ଉତ୍ତର ପ୍ରଦେଶର ଗାଜିଆବାଦରୁ ନିଖୋଜ ଥିବା କୋମଲ ନାମ୍ନୀ ମହିଳାଙ୍କୁ ବେଙ୍ଗାଲୁରୁ ପୋଲିସ ଜୀବିତ ଅବସ୍ଥାରେ ଉଦ୍ଧାର କରିଛି। ତେବେ ମହିଳ ଜଣକ ନିଖୋଜ ହେବା ଦିନଠାରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିଲା। ସପ୍ତାହ ପରେ ପୋଲିସ ତାଙ୍କୁ ଜୀବିତ ଠାବ କରିବା ତାଙ୍କ ପରିବାର ଲୋକଙ୍କୁ ଚକିତ କରିଦେଇଛି।

କୋମଲ ହେଉଛନ୍ତି ଏକ ବୀମା କମ୍ପାନୀର ପ୍ରଶିକ୍ଷଣ ପ୍ରବନ୍ଧକ ତଥା ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ସଚିବଙ୍କ ଝିଅ। କିଛିଦିନ ତଳେ ସେ ହଠାତ୍ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା।

ଏହାସହ ପଢ଼ନ୍ତୁ: ୬ ମାସରେ ୨୪ ହଜାର ନାବାଳିକା ବଳାତ୍କାର ମାମଲା, ଚିନ୍ତା ପ୍ରକଟ କଲେ ସୁପ୍ରିମ କୋର୍ଟ

ଜୁଲାଇ ୬ରେ କୋମଲଙ୍କ କାର୍ ଗାଜିଆବାଦର ହିଣ୍ତନ ପୁଲ୍ ନିକଟରେ ମିଳିଥିଲା। କାର୍ ଭିତରେ ଥିବା ଏକ ସୁଇସାଇଡ୍ ନୋଟରୁ ଏହା ଅନୁମାନ କରାଯାଉଥିଲା ଯେ ସେ ହିଣ୍ଡନ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସାଇସାଇଡ୍ ନୋଟରେ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକଙ୍କୁ ଦାୟୀ କରାଯାଇଥିଲା। କୋମଲଙ୍କ ବାପା ପୋଲିସକୁ ଝିଅର ଶାଶୁଘର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ତେବେ ସୁଇସାଇଡ୍ ନୋଟ ହସ୍ତଗତ ହେବା ପରେ ପୋଲିସ ୩ ଦିନ ଧରି ନଦୀରେ ଖୋଜାଖୋଜି କରିଥିଲା।

ଏବେ ଘଟଣା ଏକ ଭିନ୍ନ ମୋଡ଼ ନେଇଛି। ସୂଚନା ମୁତାବକ, କୋମଲ ଜୀବିତ ରହିଥିଲେ ଏବଂ ରାଜସ୍ଥାନ ଜୟପୁରରେ ଥିଲେ। କିନ୍ତୁ ପୋଲିସ ଯେତେବେଳେ ଜୟପୁରରେ ପହଞ୍ଚିଥିଲା, ସେତେବେଳେ କୁହାଯାଇଥିଲା କି କୋମଲ ମୁମ୍ବାଇରେ ଅଛନ୍ତି। ପୋଲିସ ମୁମ୍ବାଇରେ ପହଞ୍ଚିବା ପରେ ଜଣାପଡ଼ିଥିଲା ଯେ ସେ ବେଙ୍ଗାଲୁରରେ ଅଛନ୍ତି। ଶେଷରେ ପୋଲିସ ମୋବାଇଲ୍ ଫୋନ୍ ଟ୍ରାକ୍ କରି ବେଙ୍ଗାଲୁରରେ ହିଁ ତାଙ୍କୁ ଠାବ କରିଥିଲା।

ଏବେ ମାମଲାର ତଦନ୍ତ ଆରମ୍ଭ ହୋଇଛି। ଗାଜିଆବାଦ ପୋଲିସ ଅଧିକ ତଦନ୍ତ ଲାଗି କୋମଲଙ୍କୁ ଗାଜିଆବାଦ ନେବାକୁ ଚେଷ୍ଟା ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.