ବିହାର: ନୂଆ ବାହା ହୋଇ ଯାଇଥିଲେ ହନିମୁନ, ଟ୍ରେନ୍‌ରେ ସକାଳୁ ନିଖୋଜ ମିଳିଲେ ପତ୍ନୀ, ମୋବାଇଲ୍‌ ବି ସ୍ୱିଚ୍‌ ଅଫ୍‌

ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍ୱାମୀଙ୍କ ସହ ହନିମୁନ୍ ଯାଇଥିବା ଜଣେ ନବବିବାହିତା ମହିଳା ଟ୍ରେନରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ପୋଲିସ ତାଙ୍କୁ ଖୋଜାଖୋଜି କରୁଛି।

ମହିଳାଙ୍କ ମୋବାଇଲ ଫୋନ୍‌ ସ୍ୱିଚ୍‌ ଅଫ୍‌ ଦେଖାଇବା ପରେ ସ୍ୱାମୀ ଜଣ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ବହୁ ଖୋଜାଖୋଜି ପରେ ସେ ଏ ନେଇ କିଶାନଗଞ୍ଜ ଥାନାରେ ଏତଲା ଦାୟର କରିଥିଲେ। ଅଭିଯୋଗ ପାଇ ପୋଲିସ ମହିଳାଙ୍କ ମୋବାଇଲର CDR ଏବଂ ମୋବାଇଲ୍ ଲୋକେସନ ବାହାର କରି ତଦନ୍ତରେ ଲାଗିପଡ଼ିଛି।

ମିଳିଥିବା ସୂଚନା ମୁତାବକ, ପୀଡ଼ିତ ସ୍ୱାମୀ ଜଣକ ହେଉଛନ୍ତି ପ୍ରିନ୍ସ କୁମାର, ଯିଏକି ବିଦ୍ୟୁତ ବିଭାଗରେ ସହକାରୀ କନିଷ୍ଠ ଯନ୍ତ୍ରୀ ଭାବେ କାମ କରନ୍ତି। ଚଳିତ ବର୍ଷ ଫେବୃଆରୀ ୨୨ରେ ସେ କାଜଲ କୁମାରୀଙ୍କୁ ବିବାହ କରିଥିଲେ। ବିବାହ ପରେ ଜୁଲାଇ ୨୭ରେ ଉଭୟ ହନିମୁନ୍ ପାଇଁ ଟ୍ରେନ୍‌ରେ ଦାର୍ଜିଲିଂ ଏବଂ ସିକ୍କିମ୍ ଯାଉଥିଲେ।

ଦମ୍ପତି ମୁଜାଫରପୁର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଏନଜେପି ଏକ୍ସପ୍ରେସ ଟ୍ରେନ୍ (12524)ର ଏସି କୋଚ୍ ବି-୪ର ସିଟ୍ ନମ୍ବର ୪୩ ଏବଂ ୪୫ରେ ଯାତ୍ରା କରୁଥିଲେ। କିନ୍ତୁ ଜୁଲାଇ ୨୮ ତାରିଖ ସକାଳେ ଟ୍ରେନ୍‌ କିଶାନଗଞ୍ଜ ଷ୍ଟେସନରେ ପହଞ୍ଚିବା ପରେ ପ୍ରିନ୍ସ ତାଙ୍କ ପତ୍ନୀ କାଜଲ କୁମାରୀଙ୍କୁ ଆଉ ପାଇ ନ ଥିଲେ। କାଜଲ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ତାଙ୍କ ମୋବାଇଲ୍ ମଧ୍ୟ ବନ୍ଦ ହୋଇଯାଇଥିଲା।

ଏହି ଘଟଣା ସମ୍ପର୍କରେ ପ୍ରିନ୍ସ ତାଙ୍କ ପରିବାର ଏବଂ ଶ୍ୱଶୁର ଘର ଲୋକଙ୍କୁ ଜଣାଇଥିଲେ। ଏହାପରେ ସମସ୍ତ ପରିବାର ସଦସ୍ୟ ଥାନାରେ ପହଞ୍ଚି କାଜଲଙ୍କୁ ଖୋଜିବାରେ ଲାଗି ପଡ଼ିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାର ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଉଛି। ପ୍ରେମ ସମ୍ପର୍କ ଘଟଣାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ। ପ୍ରାଥମିକ ତଦନ୍ତରୁ ମହିଳାଙ୍କ ଶେଷ ଲୋକେସନ ରୋସରା ଷ୍ଟେସନ ଦେଖାଉଛି। ପୋଲିସ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି।