ପ୍ରେମିକ ବିରୋଧରେ ମହିଳାମାନେ ଆଣିପାରିବେ ନାହିଁ ଦୁଷ୍କର୍ମ ଅଭିଯୋଗ : ବମ୍ବେ ହାଇକୋର୍ଟ

ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେ ନାହିଁ କୌଣସି ମହିଳା । ଦୀର୍ଘଦିନର ସମ୍ପର୍କ ରଖିବା ପରେ ଯଦି ବାହାଘର ନ ହେଲା ତେବେ ଏହାକୁ ଦୁଷ୍କର୍ମ କହି ଅଭିଯୋଗ କରିପାରିବେ ନାହିଁ ।

ପ୍ରେମିକ ବିରୋଧରେ ମହିଳାମାନେ ଆଣିପାରିବେ ନାହିଁ ଦୁଷ୍କର୍ମ ଅଭିଯୋଗ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜଣେ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ତାଙ୍କ ପ୍ରେମିକା ଆଣିଥିବା ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, ସହମତିରେ ଦୀର୍ଘଦିନ ଧରି ସମ୍ପର୍କ ରଖିବା ପରେ ସମ୍ପର୍କ ତିକ୍ତ ହେଲା । ପ୍ରେମ ବିବାହରେ ରୂପାୟିତ ନହେଲେ ସେତେବେଳେ ମହିଳା ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେ ନାହିଁ ।

ଖବର ମୁତାବକ, ୨୦୧୬ରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମୁମ୍ବାଇର ବର୍ସୋବା ଥାନାରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ ଅଭିଯୋଗକାରୀ । ତଳକୋର୍ଟ ଆବେଦନକୁ ଗ୍ରହଣ ନକରିବା ପରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ଭାରତୀ ଡାଙ୍ଗ୍ରେଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ଦୁଇ ଜଣ ପ୍ରାପ୍ତ ବୟସ୍କ ପୁରୁଷ ଓ ମହିଳା ସହମତିଭିତ୍ତିରେ ଦୀର୍ଘଦିନ ସମ୍ପର୍କରେ ରହିବା ପରେ ଯଦି କୌଣସି ଦିନ ସମ୍ପର୍କରେ ଫାଟ ହୁଏ ଓ ପ୍ରେମ ବିବାହରେ ରୂପାୟିତ ନହେଲେ ସେତେବେଳେ ମହିଳା ସଂପୃକ୍ତ ପୁରୁଷ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେ ନାହିଁ ।

ମହିଳା ଅଭିଯୋଗ କରିଥିଲେ, ଅର୍କୁଟ ମାଧ୍ୟମରେ ଉଭୟଙ୍କ ଭିତରେ ସମ୍ପର୍କ ସୃଷ୍ଟି ହୋଇଥିଲା ଏବଂ ସେମାନେ ୮ ବର୍ଷ ଧରି ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ। ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ଜଣକ ତାଙ୍କ ସହ ଦୈହିକ ସମ୍ପର୍କ ରଖି ଆସିଥିଲେ। ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ଜାଣନ୍ତି। କିନ୍ତୁ ଏବେ ସେ ବିବାହ କରିବାକୁ ରାଜି ହେଉ ନାହାନ୍ତି।

କୋର୍ଟ କହିଛନ୍ତି, ଭଭୟ ସାବାଳକ ଓ ଏତେ ଦିନର ସମ୍ପର୍କ ଜଣଙ୍କର ଇଚ୍ଛା ବିରୋଧରେ ରହି ନପାରେ । ସମ୍ପର୍କ ରଖିବା ପୂର୍ବରୁ ମହିଳା ଜାଣିଥିଲେ ଏହାର ପରିଣତି କଣ ହେବ । ତେଣୁ ଏହାକୁ ବଳାତ୍କାର କୁହାଯାଇ ପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.