ପୁଣି ବାଜି ମାରିନେଲା ପଞ୍ଜାବ କିଙ୍ଗସ, ରାଜସ୍ଥାନ ରୟାଲ୍ସକୁ ୫ ରନରେ ହରାଇଲା
ଆଇପିଏଲ୍ ୨୦୨୩ରେ ପଞ୍ଜାବ କିଙ୍ଗସର ଲଗାତାର ଦ୍ୱିତୀୟ ବିଜୟ । ଶିଖର ଧଓ୍ଵନଙ୍କ ଟିମ୍ ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫ ରନରେ ହରାଇଲା ।

ଆଇପିଏରେ ପଞ୍ଜାବ କିଙ୍ଗ୍ସର ରୋମାଞ୍ଚକ ବିଜୟ । ରାଜସ୍ଥାନକୁ ୫ ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ ଲଗାତାର ବିଜୟ ହାସଲ କରିଛି। ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ । ଶିଖର ଧୱନ ଓ ପ୍ରଭସିମ୍ରନ୍ ସିଂହଙ୍କ ଅର୍ଦ୍ଧଶତକ ବଳରେ ୪ ୱିକେଟ ହରାଇ ୧୯୭ ରନ୍ କରିଥିଲା ପଞ୍ଜାବ । ୧୯୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ରାଜସ୍ଥାନ ଶେଷ ଯାଏ ଲଢ଼ିଥିଲା । ୭ ଓ୍ଵି୍ଵିକେଟ ହରାଇ ୧୯୨ ରନ୍ରେ ସୀମିତ ରହିଥିଲା ରାଜସ୍ଥାନ ରୟାଲ୍ସ ।
ପଞ୍ଜାବ ପକ୍ଷରୁ ନାଥନ୍ ଏଲିସଙ୍କ ଘାତକ ବୋଲିଂ କରିଥିଲେ । ସେ ନେଇଥିଲେ ସର୍ବାଧିକ ୪ଟି ଓ୍ଵିକେଟ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ରାଜସ୍ଥାନ ବୋଲରଙ୍କୁ ପ୍ରହାର କରିଥିଲେ ଯୁବ ବ୍ୟାଟର ପ୍ରଭସିମରନ୍ । ସେ ୨୮ ବଲରୁ କରିଥିଲେ ଅର୍ଦ୍ଧଶତକ । ପ୍ରଭସିମରନ୍ ୩୪ ବଲ୍ ଖେଳି ୭ଟି ଚୌକା ଓ ୩ ଛକା ବଳରେ କରିଥିଲେ ୬୦ ରନ୍ । ଶିଖର ଧଓ୍ଵନ ଅପରାଜିତ ୮୬ ରନ୍ କରିଥିଲେ । ଅନ୍ୟମାନଙ୍କ ଭିତରେ ଜିତେଶ ଶର୍ମା କରିଥିଲେ ୨୭ ରନ୍ ।
ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରୟାଲ୍ସ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ପାୱାରପ୍ଲେ ଭିତରେ ଯଶସ୍ବୀ ଜୟସ୍ବାଲ, ରବିଚନ୍ଦ୍ରନ ଅଶ୍ବିନ, ଜୋସ୍ ବଟଲରଙ୍କୁ ଆଉଟ୍ ହେବା ପରେ ପଞ୍ଜାବ ପାଇଁ ବିଜୟ ସହଜ ହୋଇପଡିଥିଲା । କିନ୍ତୁ ସଞ୍ଜୁ ସାମସନ୍ ସବୁ ବୋଲରଙ୍କ ଉପରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ୍ ସର୍ବାଧିକ ୪୨ ରନ୍ କରିଥିବା ବେଳେ ପାଡିକଲ ୨୧, ହେଟମାୟର ୩୬ ଓ ଜୁରେଲ୍ କରିଥିଲେ ୩୨ ରନ୍ । ମଧ୍ୟଭାଗରେ ଭଲ ଖେଳିଥିଲେ ବି ଦଳକୁ ବିଜୟୀ କରାଇବାରେ ସକ୍ଷମ ହୋଇ ନଥିଲେ ରାଜସ୍ଥାନ ବ୍ୟାଟର । ଗୁଆହାଟୀର ବାର୍ସପରା ଷ୍ଟାଡିୟମରେ ଏହି ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା ।