ଜେଲେନସ୍କିଙ୍କ ଚିଠି ଦେଖି କ୍ଷୁବ୍ଧ ହେଲେ ପୁଟିନ…! କହିଲେ, ‘ତାକୁ କହିଦିଅ ୟୁକ୍ରେନକୁ ବର୍ବାଦ କରିଦେବି’

ରୁଷ ଓ ୟୁକ୍ରେନ ମଧ୍ୟରେ ୩୪ ଦିନ ହେବ ଯୁଦ୍ଧ ଜାରି ରହିଛି। ୟୁକ୍ରେନର ଅନେକ ସହର ରୁଷ ଆକ୍ରମଣରେ ଧ୍ୱଂସ ପାଇ ଯାଇଛି। ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶକୁ ଚାଲିଯାଇ ଶରଣାର୍ଥୀ ଜୀବନ ଜିଉଁଛନ୍ତି। ଏହି ଯୁଦ୍ଧରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଅନ୍ୟପଟେ ଯୁଦ୍ଧ ଶେଷ କରିବାକୁ କୂଟନୈତିକ ଉଦ୍ୟମ ମଧ୍ୟ ଜାରି ରହିଛି।

ଏମିତି ସ୍ଥିତିରେ ରୁଷ ଅରବପତି ତଥା ଚେଲ୍‌ସି ଫୁଟବଲ କ୍ଲବ ମାଲିକ ରୋମନ ଅବ୍ରାମୋଭିଚ୍‌ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଚିଠି ନେଇ ଭ୍ଲାଦିମିର ପୁଟିନଙ୍କ ପାଖରେ ପହଞ୍ଚିଥିଲେ। ଏହି ଚିଠିରେ ଜେଲେନସ୍କି ସେହି ସର୍ତ୍ତଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ, ଯଦ୍ଦ୍ଵାରା ଯୁଦ୍ଧକୁ ରୋକାଯାଇ ପାରିବ। କିନ୍ତୁ ପୁଟିନ ଏହା ଉପରେ କ୍ଷୁବ୍ଧ ହୋଇ କହିଥିଲେ, ‘ମୁଁ ୟୁକ୍ରେନକୁ ବର୍ବାଦ କରିଦେବି’।

ଏହାଛଡ଼ା ଉଭୟ ଦେଶର ପ୍ରତିନିଧି ଦଳ ତୁର୍କୀରେ ଅସ୍ତ୍ରବିରତି ପାଇଁ ବୈଠକ କରୁଥିବା ବେଳେ ଆମେରିକାର କହିବା ହେଲା, ପୁଟିନ ମିଳାମିଶା ମୁଡ୍‌ରେ ହିଁ ନାହାନ୍ତି। ରିପୋର୍ଟ ମୁତାବକ, ହାତରେ ଲେଖା ଯାଇଥିବା ଏହି ଚିଠିରେ ଯୁଦ୍ଧ ବନ୍ଦ କରିବା ପାଇଁ ୟୁକ୍ରେନର ସର୍ତ୍ତଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଥିଲା। ରୁଷ ଅରବପତି ରୋମନ ଅବ୍ରାମୋଭିଚ୍‌ ୟୁକ୍ରେନର ଅନୁରୋଧକୁ ସ୍ୱୀକାର କରି ରୁଷ ସହିତ କଥାବାର୍ତ୍ତାରେ ମଧ୍ୟସ୍ଥତା କରିବାକୁ ସ୍ୱୀକୃତି ଦେଇଥିଲେ।

ସୂଚନାଥାଉ କି, ଅବ୍ରାମୋଭିଚ୍‌ ରୁଷର ପୂର୍ବତନ ରାଷ୍ଟ୍ରପତି ବୋରିସ୍‌ ୟେଲ୍ଟସିନ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ବିଶ୍ୱାସପାତ୍ର ରୂପେ ଜଣା ଯାଆନ୍ତି। କୁହାଯାଏ, ଅବ୍ରାମୋଭିଚ୍‌ ଓ ପୁଟିନଙ୍କ ମଧ୍ୟରେ ବାପପୁଅ ଭଳି ସମ୍ପର୍କ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.