Below header

ଅର୍ଡର କ୍ୟାନ୍ସଲ କରିଦେବାରୁ ଯୁବତୀଙ୍କ ନାକକୁ ମୁଥ ମାରି ଫଟାଇ ଦେଲେ ଜମାଟୋ ଡେଲିଭରୀ ବୟ, ପୀଡ଼ିତାଙ୍କୁ କ୍ଷମା ମାଗିଲା କମ୍ପାନୀ

ବେଙ୍ଗାଲୁରୁରେ ଜମାଟୋ ଡେଲିଭରୀ ବୟଙ୍କ ଦୁର୍ଦ୍ଦାନ୍ତ କାରନାମା ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ବୁଧବାର। ଜଣେ ଯୁବତୀ ଜମାଟୋରେ ଅର୍ଡର କରିଥିବା ଖାଦ୍ୟକୁ କ୍ୟାନ୍ସଲ କରିଦେବାର ଜାଣି ଡେଲିଭରୀ ବୟ ହଠାତ୍‌ ରାଗିଯାଇଥିଲେ। ଆଉ ତା’ପରେ ଯୁବତୀଙ୍କ ନାକକୁ ମୁଥ ମାରି ଫଟାଇ ଦେଇଥିଲେ।

ଖବରରୁ ଜଣାପଡ଼ିଛି, ଯୁବତୀ ଜଣକ ପ୍ରଥମେ ଜମାଟୋରେ ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ବିଳମ୍ବ ହେବାରୁ ସେ ଅର୍ଡର କ୍ୟାନ୍ସଲ କରିଦେଇଥିଲେ। ସେପଟେ ଡେଲିଭରୀ ବୟ ଖାଦ୍ୟ ନେଇ ତାଙ୍କ ଘରେ ପହଞ୍ଚିଯାଇଥିଲେ। ଯୁବତୀ ଖାଦ୍ୟ ନେବାକୁ ମନା କରି କଷ୍ଟମର କେୟାରକୁ ଫୋନ୍‌ କରିଥିଲେ। ଏଥିରେ ଭୀଷଣ ରାଗିଯାଇ ଡେଲିଭରୀ ବୟ ଯୁବତୀଙ୍କ ନାକକୁ ମୁଥ ମାରିଥିଲେ ଏବଂ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ଘଟଣାଟି ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ଯୁବତୀ ଜଣକ ପୂରା ଘଟଣାକ୍ରମ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ବର୍ଣ୍ଣନା କରିଥିଲେ। ଭିଡିଓରେ ଯୁବତୀଙ୍କ ନାକରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳୁଛି। ଯୁବତୀ କହିଛନ୍ତି, ଡେଲିଭରୀ ବୟ ତାଙ୍କ ନାକକୁ ମୁଥ ମାରି କହିଥିଲେ କି, ‘ମୁଁ କ’ଣ ତୁମର ଚାକର’। ତେବେ ଯୁବତୀଙ୍କ କହିବା ହେଲା, ସେ ଘରେ ଏକୁଟିଆ ଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବାକୁ କେହି ନ ଥିଲେ। ଘଟଣା ପରେ ସେ ହସ୍ପିଟାଲ ଯାଇଥିଲେ ଏବଂ ନିଜ ଚିକିତ୍ସା କରାଇଥିଲେ।

ସେପଟେ ସୋସିଆଲ ମିଡିଆରେ ୟୁଜରମାନେ ଜମାଟୋ କମ୍ପାନୀ ଏବଂ ଡେଲିଭରୀ ବୟଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଏହି ମାମଲାରେ ପୋଲିସ ସମ୍ପୃକ୍ତ ଡେଲିଭରୀ ବୟଙ୍କୁ ଗିରଫ କରିନେଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜମାଟୋ ଉକ୍ତ ଯୁବତୀଙ୍କୁ କ୍ଷମା ମାଗିଛି। ତାଙ୍କ ମେଡିକାଲ ଖର୍ଚ୍ଚଠୁ ଆରମ୍ଭ କରି ପୋଲିସ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛି। ଏଥିସହିତ ଅଭିଯୁକ୍ତ ଡେଲିଭରୀ ବୟଙ୍କୁ ଚାକିରିରୁ ବାହାର କରିଦେଇଥିବା ଜଣାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.