ପାଠରେ ବିଟେକ ଇଞ୍ଜିନିୟର, କିନ୍ତୁ ଠେଲାରେ ବିରିୟାନୀ ବିକ୍ରି କରୁଛନ୍ତି ଦୁଇ ବନ୍ଧୁ

ମାଲକାନଗିରି (କେନ୍ୟୁଜ) : ଇଞ୍ଜିନିୟର୍ସ ଠେଲା । ଏହାକୁ ଦେଖିଲେ କିଛି ଅଜବ କଥା ମନକୁ ଆସୁଛି କି? ନାଇଁ ଆଜ୍ଞା କିଛି ଅଲଗା ଭାବନ୍ତୁ ନାହିଁ । ଏବେ ଖୁବ୍‌ ଚର୍ଚ୍ଚାରେ ଅଛି ମାଲକାନଗିରିର ଏହି ଇଞ୍ଜିନିୟର୍ସ ଠେଲା । ସୁସ୍ୱାଦୁ ଖାଦ୍ୟ ପାଇଁ ଲୋକଙ୍କୁ ଟାଣି ଆଣୁଛି ପାଖକୁ । ଆପଣ ଭାବୁଥିବେ ଏହି ଦୋକାନର ନାଁ ଏପରି କାହିଁକି? ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଠେଲାରେ ବିକ୍ରି କରୁଥିବା ଏହି ଯୁବକ ଦୁଇଜଣ ହେଉଛନ୍ତି ମେକାନିକାଲ ଇଞ୍ଜିନିୟର। ତେବେ ନିଶ୍ଚୟ ପ୍ରଶ୍ନ ଉଠିବ ଇଞ୍ଜିନିୟରିଂ ପଢ଼ି କାହିଁକି ଏମାନେ ଠେଲା ଲଗାଇଲେ । ତାର ବି ଉତ୍ତର ଅଛି ଏହି ଉଦ୍ୟମୀ ଯୁବକମାନଙ୍କ ପାଖରେ ।

ଆପଣ ତ ୟାଙ୍କୁ କହିପାରିବେ ପାଠୁଆ ପିଲାଙ୍କ ଆଗୁଆ ଚିନ୍ତା। ଦୁଇ ବନ୍ଧୁ, ଦୁଇ ଇଞ୍ଜିନିୟରଙ୍କର ଏହି ଚିନ୍ତାଧାରା ହାତରେ ସାର୍ଟିଫିକେଟ୍‌ ଧରି ଚାକିରି ପଛରେ ଗୋଡ଼ାଉଥିବା ଯୁବ ପିଢ଼ିଙ୍କୁ ଏକ ବଡ଼ ଶିକ୍ଷା ଦେଉଛି । ଏମାନେ ଦେଖିବାକୁ ଯେମିତି ହ୍ୟାଣ୍ଡସମ୍‌ ସେମାନଙ୍କ ହାତ ରନ୍ଧା ଖାଦ୍ୟ ମଧ୍ୟ ସେମିତି ଟେଷ୍ଟି । ଆଉ ସେମାନେ ସିଧାସଳଖ ଜଣାଇ ଦେଇଛନ୍ତି, କୌଣସି କାମ ଛୋଟ ନୁହେଁ । ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ଏମାନେ ଠେଲା ଲଗାଇଛନ୍ତି । ଦୁଇ ବନ୍ଧୁ ହେଉଛନ୍ତି ସୁମିତ ଏବଂ ପ୍ରିୟମ।

ସୁମିତ ସାମଲ ଓ ପ୍ରିୟମ୍‌ ବେବର୍ତ୍ତା ଇଂଜିନିୟରିଂ ପାଠ ପଢିଛନ୍ତି । ତାଙ୍କ ଭିତରୁ ପ୍ରିୟମ୍‌ ଏକ ଆଇଟି କମ୍ପାନୀରେ କାମ କରୁଛନ୍ତି । ଆଉ ସୁମିତ ଲକ୍‌ଡାଉନ୍‌ ପରେ ତାଙ୍କ ଚାକିରି ଛାଡ଼ି ଘରକୁ ଫେରି ଆସିଥିଲେ । ଦିନରେ ନିଜର ସବୁ କାମ ସାରି ଅପରାହ୍ନରେ ଠେଳା ପାଖକୁ ଚାଲି ଆସନ୍ତି । ଆଉ ସଂଧ୍ୟାରେ ଲାଗେ ଇଞ୍ଜିନିୟର୍ସ ଠେଲା । ଏହି ଠେଲାରେ ସମସ୍ତ ଫାଷ୍ଟ ଫୁଡ ସହ ବିରିୟାନି ମଧ୍ୟ ମିଳେ। ଏହି ମେକାନିକାଲ ଇଞ୍ଜିନିୟର ଯେ ଏତେ ସୁନ୍ଦର ଖାଦ୍ୟ ରାନ୍ଧି ପାରନ୍ତି ସେକଥା କେବଳ ଗ୍ରାହକମାନଙ୍କ ପ୍ରଶଂସାରୁ ସ୍ପଷ୍ଟ । କାନ୍ଧରେ ବ୍ୟାଗ ପକାଇ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭସ ପିନ୍ଧି ପୂରା ସ୍ୱଚ୍ଛତାର ସହ ଏକଦମ୍ ବଢ଼ିଆ ଭାବରେ ଖାଦ୍ୟ ବାଢ଼ି ଦେଉଛନ୍ତି ଗ୍ରାହକଙ୍କୁ। ସେଥିଲାଗି ସଂଧ୍ୟା ହେଲେ ଇଂଜନିୟରସ୍ ଠେଲା ପାଖରେ ଲାଗୁଛି ଭିଡ ।

କୋଭିଡ ପରିସ୍ଥିତିରେ ଓ୍ଵାର୍କ ଫ୍ରମ୍‌ ହୋମ୍‌ ଚାଲିଥିଲା। ଏହି ସମୟରେ ଚିନ୍ତା ଆସିଲା ଆଉ କିଛି କରିବାକୁ । ଅଳ୍ପ ଖର୍ଚ୍ଚରେ କଣ କରିହେବ ଚିନ୍ତା କରିବା ପରେ ଜନ୍ମ ନେଲା ଏହି ଇଞ୍ଜିନିୟର୍ସ ଠେଲା । ସୁମିତ ଓ ପ୍ରିୟମ୍‌ କୁହନ୍ତି, ଏହା ଭିନ୍ନ ଏକ ପେସା । ଏଥିରେ ଲଜ୍ଜିତ ହେବାର କୌଣସି କାରଣ ନାହିଁ । ପୁଣି ସେମାନଙ୍କ ସହ କିଛି କର୍ମଚାରୀ ମଧ୍ୟ କାମ କରି ପେଟ ପୋଷୁଛନ୍ତି । ପରିଚୟ ଥାଏ କର୍ମରେ ପାଠରେ ନୁହେଁ । ପାଠ ସହ ନିଜ ବୃତ୍ତିର ଯେ ନିହାତି ସମ୍ପର୍କ ରହିବା ଜରୁରୀ ନୁହେଁ ତାହା କରି ଦେଖାଇଛନ୍ତି ଏହି ଦୁଇ ଯୁବକ । ଯାହା ରାସ୍ତା ଦେଖାଇଛି ଅନ୍ୟମାନଙ୍କୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.