ଫୁଲବାଣୀରେ ଚାଲିଥିବା ସାହାଣୀ କପ୍ ବି.ଜେତାଙ୍କୁ ସମ୍ବର୍ଦ୍ଧନା କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ
କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ଥାନୀୟ କରୋନେସନ୍ ପଡିଆଠାରେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଫୁଟବଲ୍ ଖେଳାଳିଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ କରାଯାଇଥିଲା । ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡିଶା ରାଜ୍ୟ କ୍ରୀଡା ବିଭାଗ ମିଳିତ ସହଯୋଗରେ ନିକଟରେ ଅନୁଷ୍ଠିତ ହୋଇଥିବା ଆନ୍ତଃ ଜିଲ୍ଲା ଫୁଟବଲ୍ ଚାମ୍ପିଅନସିପ୍ (ସାହାଣୀ କପ୍)ରେ ଉପ ବିଜେତା ହୋଇଥିବା କନ୍ଧମାଳ ଫୁଟ୍ବଲ୍ ଦଳକୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍ ଯୋଗ ଦେଇଥିଲେ ।
ସେହିପରି ସମ୍ବର୍ଦ୍ଧନା ସଭାରେ କନ୍ଧମାଳ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ, ଜିଲ୍ଲା ବାର୍ ଆସୋସିଏସନ୍ ସଭାପତି ଭଗବାନ ମହାନ୍ତି, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଆଇନଜୀବୀ ବିଜୟ ପଟ୍ଟନାୟକ, କମଳାକାନ୍ତ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ୬୨ବର୍ଷରେ ପ୍ରଥମ ଥର ପାଇଁ କନ୍ଧମାଳ ଫୁଲବାଣୀ ଫୁଟ୍ବଲ୍ ଟିମ୍ ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇ ରନର୍ସ ଅପ୍ ହୋଇଥିଲା । ଯାହାକି କନ୍ଧମାଳ ଇତିହାସରେ ପ୍ରଥମ ।
ରନର୍ସ ଅପ୍ ଟିମ୍କୁ ଉତ୍ସାହିତ କରିବା ପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ଖେଳାଳିମାନଙ୍କୁ ଉତ୍ସାହିତ କରିଥିବାରୁ ଓ ସାଂସଦଙ୍କ ପକ୍ଷରୁ ଆର୍ଥିକ ରାଶି ସହୟତା ପାଇଥିବାରୁ ଫୁଟ୍ବଲ୍ ଟିମ୍ କ୍ୟାପଟେନ୍ ଓ କୋଚ୍ କନ୍ଧମାଳ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ବିଭିନ୍ନ ଫୁଟ୍ବଲ୍ ଖେଳାଳି,ଆଇଟିଆଇ ଛାତ୍ରଛାତ୍ରୀ ଓ ଜିଲ୍ଲା ସ୍ପୋର୍ଟସ୍ ହଷ୍ଟେଲ୍ ଛାତ୍ର ମାନେ ଉପସ୍ଥିତ ଥିଲେ ।