ମୁମ୍ବାଇର ୮୭ ବର୍ଷୀୟ ଏହି ବୃଦ୍ଧ ବ୍ୟକ୍ତି, ଯିଏ ଅଦରକାରୀ କପଡ଼ାରୁ ବ୍ୟାଗ ସିଲାଇ କରନ୍ତି ବିକ୍ରି, ସୋସିଆଲ ମିଡିଆରେ ଭାଇରଲ ହେଉଛି ଫଟୋ 

ଦୁନିଆ ବଦଳି ଯାଇଛି ବୋଲି ଆମେ କହିପାରିବାନି, ହେଲେ ନିଶ୍ଚିତ କହିପାରିବା ଯେ ଦୁନିଆ ବଦଳୁଛି। କାହିଁକି ନା, ଦିଲ୍ଲୀ ମାଲବୀୟ ନଗରରେ ଥିବା ‘ବାବା କା ଢ଼ାବା’କୁ ସାହାଯ୍ୟ କରିବା ପରେ ଏବେ ଲୋକେ ନିଜ ନିଜ ଅଞ୍ଚଳରେ ବୃଦ୍ଧ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଦେଇଛନ୍ତି। ଖାସ କରି, ଯେଉଁ ବ୍ୟକ୍ତିମାନେ ପରିଣତ ବୟସରେ ବି ପରିଶ୍ରମ କରିବା ଛାଡି଼ ନାହାନ୍ତି କିମ୍ବା କରୋନା ମହାମାରୀ ଯାହାର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛି, ସେମାନଙ୍କୁ ଲୋକେ ସହାୟତାର ହାତ ବଢ଼ାଉଛନ୍ତି।

ଏବେ ମୁମ୍ବାଇର ଜଣେ ୮୭ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କ କାହାଣୀ ସାମ୍ନାକୁ ଆସିଛି, ଯିଏ ନିଜେ ରିସାଇକେଲ କରି ବ୍ୟାଗ ତିଆରି କରନ୍ତି ଏବଂ ଏହାକୁ ବିକନ୍ତି। ଗୌରୀ ନାମକ ଟୁଇଟର ୟୁଜର ଏହି କାହାଣୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଗୌରୀ ଲେଖିଛନ୍ତି, ‘ଅଙ୍କଲ ଯୋଶୀଙ୍କୁ ୮୭। ସେ ୪୦ରୁ ୮୦ ଟଙ୍କାରେ ବ୍ୟାଗ ବିକିଥାନ୍ତି। ସୋଫା ଓ ପରଦା ତିଆରି କରୁଥିବା ଲୋକଙ୍କଠାରୁ କପଡ଼ା ଖଣ୍ଡ କିଣନ୍ତି ଏବଂ ନିଜେ ଏହି ବ୍ୟାଗଗୁଡ଼ିକୁ ସିଲେଇ କରିଥାନ୍ତି। ଅଙ୍କଲ ମୁମ୍ବାଇ Dombiviliର Phadke Roadରେ ବସନ୍ତି। ଅଙ୍କଲ ଯୋଶୀଙ୍କୁ ଫେମସ କରିବା ଏବଂ ଗୋଟିଏ ବ୍ୟାଗ ତାଙ୍କଠାରୁ କିଣିବାକୁ ଭୁଲିବା ନାହିଁ’।

ଏହି ଟୁଇଟକୁ ଏ ପର୍ଯ୍ୟନ୍ତ ୨୩ ହଜାର ୟୁଜର ପସନ୍ଦ କରିସାରିଲେଣି। ଏପରିକି ବଲିଉଡ ଅଭିନେତ୍ରୀ ରାକୁଲପ୍ରୀତ ବି ଏହି ପୋଷ୍ଟକୁ ସେୟାର କରିଛନ୍ତି। ଏହାକୁ ୯,୧୦୦ ରିଟୁଇଟ କରାଯାଇସାରିଲାଣି। ତେବେ ସୁସ୍ମିତା ସେଟ୍ଟୀ ନାମ୍ନୀ ୟୁଜର କହିଛନ୍ତି କି, ଏହି ବ୍ୟକ୍ତିଙ୍କ ପିଲାମାନେ ବିବାହିତ। ସେ ନିଜ ସନ୍ତୁଷ୍ଟି ପାଇଁ ବ୍ୟାଗ ବିକୁଛନ୍ତି। କାହିଁକି ନା, ତାଙ୍କୁ ଖାଲି ବସିବାକୁ ପସନ୍ଦ ନୁହେଁ। ଦୟାକରି ତାଙ୍କର ତମାସା ବନାନ୍ତୁ ନାହିଁ। ଏହି ଅଙ୍କଲ ଭଲ ଭାବେ ବସବାସ କରୁଛନ୍ତି। ତାଙ୍କ ପିଲାମାନେ ମଧ୍ୟ ଭଲରେ ରହୁଛନ୍ତି। ସେ ସ୍ୱତନ୍ତ୍ର ରହିବାକୁ ଚାହୁଁଛନ୍ତି’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ସାମାଜିକ ସୁରକ୍ଷାର ଅଭାବକୁ ଦୂର କରାଯିବାର ଆବଶ୍ୟକତା ରହିଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.