୧୨ ବର୍ଷ ଧରି ଟ୍ରକରେ ବିଶ୍ୱ ଭ୍ରମଣ କରି ଚାଲିଛନ୍ତି ଦମ୍ପତି; ଏବେ ଭାରତର ସୌନ୍ଦର୍ଯ୍ୟକୁ କରୁଛନ୍ତି ଉପଭୋଗ…; ଭେଟନ୍ତୁ ଏହି ନିଆରା ପରିବାରକୁ

ସାରା ବିଶ୍ୱ ଭ୍ରମଣ କରିବାର ସ୍ୱପ୍ନ କାହାର ବା ନ ଥାଏ। ସଡ଼କ ଯାତ୍ରା କରି ବିଭିନ୍ନ ଦେଶ ପରିଭ୍ରମଣ କରିବାରେ ଅନେକେ ଆନନ୍ଦ ପାଇ ଥାଆନ୍ତି। ଆଜି ଆମେ ଏମିତି ଜଣେ ଦମ୍ପତିଙ୍କ ବିଷୟରେ କହିବୁ, ଯିଏ ନିଜ ପିଲାଛୁଆଙ୍କୁ ଧରି ୧୨ ବର୍ଷ ହେବ ସଡ଼କ ଯାତ୍ରା କରୁଛନ୍ତି। ଏମାନେ ଜର୍ମାନୀର ବାସିନ୍ଦା। ନିକଟରେ ଏହି ଦମ୍ପତି କେରଳ ପରିଦର୍ଶନ କରିଥିଲେ, ଯାହାର ଏକ ଭିଡିଓ ରିପୋର୍ଟ କେରଳକୌମୁଦି ନ୍ୟୁଜ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରିଛି।

ଜର୍ମାନୀର ଥୋରବେନ ଓ ମିଚି ସେମାନଙ୍କର ଦୁଇ ପିଲାଙ୍କ ସହିତ ଯାତ୍ରା କରୁଛନ୍ତି। ସେମାନେ ମର୍ସିଡିଜ୍-ବେଞ୍ଜ୍ 911 4 × 4 ଟ୍ରକକୁ ଏକ କାରାଭାନରେ ରୂପାନ୍ତର କରିଛନ୍ତି ଏବଂ ଏହାକୁ ବିଶ୍ୱ ଭ୍ରମଣ ପାଇଁ ଉପଯୋଗ କରୁଛନ୍ତି। ଏହି ଦମ୍ପତି ଗତ ବର୍ଷ ଅଗଷ୍ଟରେ ଆନୁଷ୍ଠାନିକ ଭାବରେ ଭାରତରେ ପ୍ରବେଶ କରିଥିଲେ। ପ୍ରାୟ ୧୨ ବର୍ଷ ହେବ ସେମାନେ ରାସ୍ତାରେ ହିଁ ଅଛନ୍ତି ଏବଂ ଏହି ସମୟ ମଧ୍ୟରେ ଭାରତକୁ ଛାଡ଼ି ପାଖାପାଖି ୯୦ଟି ଦେଶ ଯାତ୍ରା କରିବାରେ ସଫଳ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ଥୋରବେନ ପେସାରେ ଜଣେ ଇଞ୍ଜିନିୟର ଏବଂ ମିଚି ଜଣେ ଲେଖିକା। ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି, ଜଣେ ୬ ବର୍ଷର ପୁଅ ଏବଂ ଆଉ ଜଣେ ୯ ବର୍ଷର ଝିଅ। ଦମ୍ପତି ଅନେକ ଭାରତୀୟ ରାଜ୍ୟ ପରିଦର୍ଶନ କରିବା ପରେ ନିକଟରେ କୋଝିକୋଡ ଯାତ୍ରା କରିଥିଲେ ଏବଂ ଯେଉଁ ସ୍ଥାନୀୟ ଲୋକେ ସେମାନଙ୍କ ବିଷୟରେ ଜାଣିଥିଲେ, ଦୁହେଁ ସେମାନଙ୍କୁ ଭେଟିବାକୁ ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ପ୍ରତିକ୍ରିୟାରେ ଦମ୍ପତି ଅଭିଭୂତ ହୋଇ ଯାଇଥିଲେ। ଭିଡିଓରେ ଥୋରବେନ ଏହା କହୁଥିବାର ଶୁଣିବାକୁ ମିଳି ପାରିବ ଯେ ଲୋକମାନେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଏବଂ ଏଠାକାର ଦୃଶ୍ୟ ବି ବହୁତ ଭଲ।

ଦମ୍ପତି ମୁନ୍ନାର ଅଭିମୁଖେ ଯାଉଥିବା ବେଳେ କିଛି ସମୟ ପାଇଁ କୋଝିକୋଡ୍‌ ବା କାଲିକଟ୍‌ରେ ବିଶ୍ରାମ ନେଇଥିଲେ। ଏହି ଦମ୍ପତି ଭର୍କଲା, ଅଲାପୁଝା, ମାରାରିକୁଲମ୍, କୋଚି ଏବଂ ଥିରୁବନନ୍ତପୁରମ୍ ଭଳି ଅନ୍ୟାନ୍ୟ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ। ଗତ ବର୍ଷ ଭାରତରେ ପ୍ରବେଶ କରିବା ପରେ ସେମାନେ ଏଠାକାର ସଂସ୍କୃତି ଏବଂ ସୌନ୍ଦର୍ଯ୍ୟ ବିଷୟରେ ଅଧିକ ଜାଣିବା ପାଇଁ ସାରା ଦେଶ ଯାତ୍ରା କରିବା ଆରମ୍ଭ କରିଥିଲେ।

ତେବେ ସେମାନେ ବ୍ୟବହାର କରୁଥିବା ମର୍ସିଡିଜ୍ 911 4 × 4 ଟ୍ରକ୍ ବାସ୍ତବରେ ଏକ ମିନି ଘର ସଦୃଶ। ଯଦିଓ ଭିଡିଓରେ ଗାଡ଼ି ଭିତରର ଦୃଶ୍ୟକୁ ଦେଖାଯାଉ ନାହିଁ, କିନ୍ତୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଏଥିରେ ଛୋଟ ପରିବାର ପାଇଁ ଆବଶ୍ୟକ ସମସ୍ତ ସୁବିଧା ରହିଛି। ଏହା ଭିତରେ ଶଯ୍ୟା ଏବଂ ରୋଷେଇ ଘର ଅଛି, ଯାହା ଦମ୍ପତିଙ୍କୁ ରହିବା, ଖାଇବା, ଶୋଇବାରେ ବେଶ୍‌ ସହାୟକ ହୋଇଥାଏ। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଦମ୍ପତି କୋଝିକୋଡ୍‌ରେ ପହଞ୍ଚିବା ପରେ ନିଜ ପୁଅର ଜନ୍ମଦିନ ପାଳନ କରିଥିଲେ ଏବଂ ଏହାପରେ ମୁନ୍ନାର ଅଭିମୁଖେ ବାହାରିଥିଲେ। ତେବେ ସାରା ବିଶ୍ୱରେ ଭ୍ରମଣ କରିବା ପାଇଁ ଏହି ପରିବାର ଏତେ ପ୍ରତିବଦ୍ଧ ଯେ ୧୨ ବର୍ଷ ଧରି ସେମାନେ ରାସ୍ତାରେ ଯାତ୍ରା କରି ଚାଲିଛନ୍ତି।

video credit: Keralakaumudi News