ମାତୃ ଉପାସନାର ଏକ ଅନନ୍ୟ ପୀଠ କାକଟପୁରର ମା ମଙ୍ଗଳା, ପାର୍ବଣରେ ଷୋଡଶ ଉପଚାରରେ ପାଉଛନ୍ତି ପୂଜା

ରାଜ୍ୟର ଅନେକ ଶକ୍ତିପୀଠ ମଧ୍ୟରୁ କାକଟପୁରର ମା ମଙ୍ଗଳାଙ୍କ ଶକ୍ତିପୀଠ ହେଉଛି ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ । ଏହି ଶକ୍ତିପୀଠଟି ମାତୃଉପାସନାର ଏକ ଅନନ୍ୟ ପୀଠ ହୋଇଥିଲେ ମଧ୍ୟ ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ସହିତ ଏହା ଅଙ୍ଗାଅଙ୍ଗି ଭାବେ ଜଡ଼ିତ ।

କାକଟପୁର(କେନ୍ୟୁଜ୍): ରାଜ୍ୟର ଅନେକ ଶକ୍ତିପୀଠ ମଧ୍ୟରୁ କାକଟପୁରର ମା ମଙ୍ଗଳାଙ୍କ ଶକ୍ତିପୀଠ ହେଉଛି ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ । ଏହି ଶକ୍ତିପୀଠଟି ମାତୃଉପାସନାର ଏକ ଅନନ୍ୟ ପୀଠ ହୋଇଥିଲେ ମଧ୍ୟ ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ସହିତ ଏହା ଅଙ୍ଗାଅଙ୍ଗି ଭାବେ ଜଡ଼ିତ । ମା ମଙ୍ଗଳା ହେଉଛନ୍ତି ପରମ ବୈଷ୍ଣବୀ ଏବଂ ଆଦିଶକ୍ତି। ମାଦଳା ପାଞ୍ଜି ର ସତ୍ଵଲିପି ଅନୁଯାୟୀ ବଳଭଦ୍ର ,ଜଗନ୍ନାଥ ,ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ନବକଳେବର ସମୟରେ ମା ମଙ୍ଗଳାଙ୍କ ସ୍ଵପ୍ନାଦେଶରେ ଚତୁର୍ଦ୍ଧା ମୁରତିଙ୍କ ଦାରୁ ଚୟନର ଠିକଣା ମିଳିଥାଏ। ନବକଳେବରର ଏହି ପରମ୍ପରା କାହିଁ କେଉଁ ଅନାଦି ସମୟରୁ ଏବେ ବି ମଧ୍ୟ ପ୍ରଚଳିତ ହୋଇ ଆସୁଛି । ସେଥିପାଇଁ ମା ମଙ୍ଗଳାଙ୍କ ଶକ୍ତିପୀଠର ସମସ୍ତ ନୀତିକାନ୍ତି ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ।

ଏହି ଶାରଦୀୟ ଦୁର୍ଗାପୂଜା ସମୟରେ ମା ମଙ୍ଗଳାଙ୍କ ପୀଠରେ ସ୍ଵତନ୍ତ୍ର ରୀତି ନୀତିରେ ଷୋଡଶ ଉପଚାରରେ ମା ମଙ୍ଗଳାଙ୍କୁ ଆରାଧନା କରାଯାଇଥାଏ। ମା ମଙ୍ଗଳା ପରମ ବୈଷ୍ଣବୀ ,ବର୍ଷର ସବୁସମୟରେ ମା ମଙ୍ଗଳାଙ୍କୁ ବୈଷ୍ଣବ ତତ୍ଵରେ ପଞ୍ଚଉପଚାରରେ ପୂଜା କରାଯାଇଥାଏ । କିନ୍ତୁ ଶାରଦୀୟ ଦୂର୍ଗା ପୂଜା ଏବଂ ବାସନ୍ତିକ ଦୁର୍ଗାପୂଜା ସମୟରେ ମା ମଙ୍ଗଳା ଙ୍କୁ ଷୋଡଶ ଉପଚାର ରେ ସେବା ପୂଜା କରାଯାଇଥାଏ। ଏହି ସମୟରେ ସ୍ଵତନ୍ତ୍ର ଷୋଡଶ ଉପଚାର ପୂଜାପଣ୍ଡା ସଂକଳ୍ପିତ ହୋଇ ଦୀର୍ଘ ଷୋଳ ଦିନ ଯାଏ ମା ମଙ୍ଗଳାଙ୍କୁ ପୂଜା କରିଥାନ୍ତି। ମଙ୍ଗଳା ମହାପୁରାଣ ଅନୁଯାୟୀ ମା ମଙ୍ଗଳା ହେଉଛନ୍ତି ଆଦିମାତା ବା ଆଦି ଶକ୍ତି । ମା ମଙ୍ଗଳା ବ୍ରହ୍ମା ,ବିଷ୍ଣୁ ,ମହେଶ୍ବର ଏହି ତ୍ରିଦେବ ଙ୍କ ଜନନୀ । ମା ମଙ୍ଗଳା ଙ୍କ କୌଣସି ନିଜସ୍ଵ ମନ୍ତ୍ର ନାହିଁ ,ମା ମଙ୍ଗଳାଙ୍କୁ ବନଦୂର୍ଗା ମନ୍ତ୍ର ରେ ପୂଜତ କରାଯାଇଥାଏ । ମା ମଙ୍ଗଳା ବୈଷ୍ଣବ ତତ୍ଵ ର ଠାକୁରାଣୀ ହୋଇଥିଲେ ମଧ୍ୟ ଯେହେତୁ ବନଦୂର୍ଗା ମନ୍ତ୍ର ରେ ପୂଜିତ ହେଉଛନ୍ତି ତେଣୁ ପାର୍ବଣ ସମୟରେ ମା ଦୂର୍ଗାଙ୍କ ଆରାଧନା କରାଯାଇ ତନ୍ତ୍ର ଉପଚାର ରେ ମା ଙ୍କୁ ଆରାଧନା କରାଯାଇଥାଏ ।

maa

ବର୍ଷର ସବୁ ସମୟରେ ମା ମଙ୍ଗଳାଙ୍କ ନିକଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଙ୍କ ସମାଗମ ଲାଗି ରହିଥାଏ ,କିନ୍ତୁ ଏହି ପାର୍ବଣ ସମୟରେ ମା ମଙ୍ଗଳା ଙ୍କ ନିକଟରେ ଅନେକ ମାନସିକ ଧରି ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ଅନେକ ଶ୍ରଦ୍ଧାଳୁ ମା ମଙ୍ଗଳାଙ୍କ ବେଢା ପରିସରରେ ଅଧିଆ ପଡି ମା ଙ୍କୁ ସେମାନଙ୍କ ଗୁହାରି ଜଣାଉଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଥାଏ। ଏହି ସମୟରେ ମା ମଙ୍ଗଳାଙ୍କ ବିଭିନ୍ନ ବେଶ ଦର୍ଶନ କରିବାର ସୌଭାଗ୍ୟ ଭକ୍ତ ମାନଙ୍କୁ ମିଳିଥାଏ। ନବପତ୍ରିକା ଠାରୁ ମା ଙ୍କର ବେଶ ଆରମ୍ଭ ହୋଇଥାଏ। ନବପତ୍ରିକା ଠାରୁ ମା ମଙ୍ଗଳାଙ୍କ ମନ୍ଦିର ରେ ମନ୍ଦରଗିରି ବିଜେ ନୀତି ଆରମ୍ଭ ହୋଇଥାଏ । ମା ମଙ୍ଗଳା ବିଳମ୍ବିତ ରାତ୍ରିରେ ମନ୍ଦିର ମଧ୍ୟରୁ ବାହାରି ଏକ ସୁସଜିତ ବିମାନ ରେ ବିଜେ କରି ମନ୍ଦିର ର ପୂର୍ବ ପଟେ ରହିଥିବା ସେବକ ସାହି ନିକଟରେ ରହିଥିବା ମନ୍ଦରଗିରି ପିଣ୍ଡିକୁ ବିଜେ କରିଥାନ୍ତି।

ମହିଷାସୁରର ଅତ୍ୟାଚାର ରେ ଦେବତା ମାନେ ତ୍ରାହି ତ୍ରାହି ଡ଼ାକୁଥିବା ବେଳେ ମା ଦୂର୍ଗା ଆବିର୍ଭାବ ହୋଇଥିଲେ ଏବଂ ମହିଷାସୁର କୁ ନିଧନ କରିବା ପାଇଁ ଦେବତା ମାନଙ୍କୁ ଆଶ୍ଵାସନା ଦେଇଥିଲେ। ସେହି ଦିନ ଠାରୁ ମା ଦୂର୍ଗା ମହିଷାସୁର କୁ ଖୋଜିବାକୁ ଦୈନିକ ମନ୍ଦରଗିରି କୁ ବିଜେ କରିଥାନ୍ତି ଏବଂ ରାକ୍ଷସ ର ସନ୍ଧାନ କରି ପୁଣି ମନ୍ଦିର କୁ ଫେରି ଆସିଥାନ୍ତି । ତେବେ ଏହି ସମୟରେ ଘଣ୍ଟ ,ଘଣ୍ଟା ,ମାର୍ଦଳ ,ଭେରୀ ,ତୁରି ଆଦି ବିଭିର୍ନ ବିରବାଦ୍ୟ ମାଙ୍କ ବିମାନ ଆଗେ ଆଗେ ବଜାଇ ଯାଇଥାନ୍ତି ,ଏବଂ ମାଙ୍କ ବିମାନ ଆଗରେ ପାରମ୍ପରିକ ଦିହୁଡି ଜଳାଇ ଜଣେ ସେବକ ଆଗେ ଆଗେ ଯାଇଥାନ୍ତି। ମନ୍ଦରଗିରି ରୁ ଫେରିବା ପରେ ମନ୍ଦିର ନାଟମଣ୍ଡପ ଠାରେ ମନ୍ଦିର ମଧ୍ୟରୁ ବନଦୂର୍ଗା ଙ୍କୁ ଅଣାଯାଇ ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ନିକଟରେ ରଖାଯାଇ ସ୍ଵତନ୍ତ୍ର ପୂଜା ଏବଂ ଆଳତି କରାଯାଇ ଥାଏ । ଏହି ସମୟରେ ସେବାୟତ ମାନଙ୍କ ଦ୍ବାରା ସୁନ୍ଦର ଭାବରେ ଘଣ୍ଟ ଏବଂ ପଖଜ ବାଦ୍ୟରେ ମନ୍ଦିର ପ୍ରକମ୍ପିତ ହୋଇଥାଏ |

ଆଶ୍ୱିନର ପରଶ ପାଇ ପୁଲକିତ ହୋଇଉଠିଛି ଧରଣି ରାଣୀ ,କାହିଁକି ନା ପାର୍ବଣ ଆସିଛି । ଏହି ପାର୍ବଣରେ ଧରବତରଣ କରିଛନ୍ତି ଜଗତଜନନୀ ମା ଦୂର୍ଗା । ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ,ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ମା ଓହ୍ଲାଇ ଆସିଛନ୍ତି ଧରାଧାମକୁ । ମା ଙ୍କ ଆଗମନ ରେ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶକ୍ତିପୀଠ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.