ଆଶା ଛାଡ଼ି ନାହାନ୍ତି ଇସ୍ରୋ ବୈଜ୍ଞାନିକ, ଆସନ୍ତା ୭ ବର୍ଷ ପାଇଁ କାମ କରିବ ଅର୍ବିଟର୍
ମିଶନ୍ ଚନ୍ଦ୍ରାୟନ-୨ ବର୍ତ୍ତମାନ ପର୍ଯ୍ୟନ୍ତ ୯୫ ପ୍ରତିଶତ ସଫଳ ହୋଇଛି। ଯଦିଓ ଚନ୍ଦ୍ରରେ ପାଦ ଥାପିବା ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, କିନ୍ତୁ ଆଶା ଛାଡ଼ି ନାହାନ୍ତି ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରାୟନ-୨ ସହିତ ଯାଇଥିବା ଅର୍ବିଟର୍ ନିଜ କକ୍ଷପଥରେ ଅବସ୍ଥାପିତ ହୋଇ ସାରିଛି। ଏହା ଆସନ୍ତା ୭ ବର୍ଷ ପାଇଁ କାମ କରିବ। ପୁଣି ଥରେ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ ନେଇ ଉଦ୍ୟମ ଜାରି ରହିଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ରାୟନ-୨ ଅତ୍ୟନ୍ତ ଜଟିଳ ମିଶନ ଥିଲା। ଗତକାଲି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପାଦ ଥାପିବାର ଥିଲା ଚନ୍ଦ୍ରାୟନ-୨। ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ତେବେ ଲ୍ୟାଣ୍ଡିଂ ବିଫଳ ହେବା ପରେ ଆଘାତ ପାଇଥିବା ଇସ୍ରୋ ବୈଜ୍ଞାନିକଙ୍କ ମନରେ ଯୋଶ ଭରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ବିଜ୍ଞାନରେ ବିଫଳତା ନାହିଁ। ନୂଆ ଉତ୍ସାହ ଆଉ ନୂଆ ଶକ୍ତିରେ ଆଗକୁ ବଢିବ ଇସ୍ରୋ।