ସଇତାନ୍ ବୋହୂ! ଯେତେ ଶାସ୍ତି ମିଳିଲେ ବି କମ୍ ଲାଗିବ
ସାମାନ୍ୟ ଗଣ୍ଡେ ଖାଇବାକୁ ମାଗିବାରୁ ଶାଶୁକୁ କେନାଲକୁ ଫିଙ୍ଗିଦେଲା ବୋହୂ । ସମ୍ବଲପୁରରୁ ଆସିଛି ଏହି ହୃଦୟ ବିଦାରକ ଘଟଣା । ସ୍ୱାମୀଙ୍କୁ ବାହାରୁ କବାଟ ଦେଇ ଶାଶୁକୁ କେନାଲକୁ ଫିଙ୍ଗିଦେଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାରେ ବୁର୍ଲା ପୋଲିସ ବୋହୂ ସବିତା ଭୁଏକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସମ୍ବଲପୁର (କେନ୍ୟୁଜ): ଶାଶୁ ଏବଂ ବୋହୂ ମଧ୍ୟରେ ସମ୍ପର୍କ ଟିକେ ଅଲଗା ପ୍ରକାରର। ଭଲପାଇବା ଏବଂ କଳିଝଗଡା ଉଭୟ ଏହି ସମ୍ପର୍କରେ ପ୍ରାୟତଃ ଦେଖାଯାଏ । ପୁଅ ଘରୁ ବାହାରିବା ପରେ ଶାଶୁ ସାଙ୍ଗରେ ବୋହୂର ସମ୍ପର୍କ ଗଭୀର ହୋଇଥାଏ । ଏହି ସଂପର୍କରେ ଛୋଟ ଛୋଟ କଥାକୁ ନେଇ ମନମାଳିନ ମଧ୍ୟ ଦେଖାଯାଏ । ହେଲେ ଉଭୟ କିନ୍ତୁ ନିଜ ନିଜର ସୀମାରେ ରୁହନ୍ତି ଘରର ଭଲ ମନ୍ଦ ସବୁ ବୁଝନ୍ତି । ମା ଝିଅଙ୍କ ଭଳି ସବୁ ମନମାଳିନ ପରେ ଏକାଠି ହୋଇ ରୁହନ୍ତି ।
ଥରେ ଚିନ୍ତା କଲେ ପୁଅଟିଏ ପାଇଁ ମା ଟିଏ ବାର ବ୍ରତ ଓ ମାନସିକ କରିଥାଏ । ସକଳ ଦୁଃଖ କଷ୍ଟକୁ ଭୁଲି ନିଜ ପୁଅ ଯେପରି ଖୁସିରେ ରହିବ ସେଥିପାଇଁ ନିରନ୍ତର ପ୍ରୟାସ କରିଚାଲୁ ଥାଏ ମା । ହେଲେ ଥରେ ଚିନ୍ତା କରନ୍ତୁ ଯଦି ସେହି ପୁଅ ସାମ୍ନାରେ ବୋହୂଟିଏ ଆସି ତା ଜନ୍ମକଲା ମାକୁ ମରଣ ମୁହଁକୁ ଠେଲି ଦବ, ଆଉ ପୁଅଟି ଅସହାୟ ଅବସ୍ଥାରେ ସବୁ ଦେଖି ବି ଚୁପ୍ ରହୁଥିବ ତାହାହେଲେ? ତେବେ ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ପୁଅର ଉପସ୍ଥିତିରେ ତା ମାକୁ ମାରିଦେବାକୁ ଉଦ୍ୟମ କରିଛି ସଇତାନ ବୋହୂ ।
ସାମାନ୍ୟ ଗଣ୍ଡେ ଖାଇବାକୁ ମାଗିବାରୁ ଶାଶୁକୁ କେନାଲକୁ ଫିଙ୍ଗିଦେଲା ବୋହୂ । ସମ୍ବଲପୁରରୁ ଆସିଛି ଏହି ହୃଦୟ ବିଦାରକ ଘଟଣା । ସ୍ୱାମୀଙ୍କୁ ବାହାରୁ କବାଟ ଦେଇ ଶାଶୁକୁ କେନାଲକୁ ଫିଙ୍ଗିଦେଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାରେ ବୁର୍ଲା ପୋଲିସ ବୋହୂ ସବିତା ଭୁଏକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୁରୁତର ଅବସ୍ଥାରେ ଶାଶୁ ଲୟ ଭୁଏକୁ କେନାଲରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭୀମସାରରେ ଭର୍ତ୍ତି କରାଯାଇଛି।
ଅଭିଯୋଗ ଅନୁଯାୟୀ, ଶାଶୁ ଲୟ ଭୁଏ ପୁଅ ବୋହୂ ସହ ଚିପିଲିମା ମଝିପାଲିରେ ରୁହନ୍ତି । ତେବେ ଗତକାଲି ରାତିରେ ବୋହୂକୁ ଖାଇବାକୁ ମାଗିଥିଲେ ଶାଶୁ । ହେଲେ ଝଗଡ଼ା କରିବା ସହ ବୋହୂ ଜଣକ ପ୍ରଥମେ ସ୍ୱାମୀଙ୍କୁ ବାହାରୁ କବାଟ ଦେଇ ଦେଇଥିଲେ । ପରେ ଶାଶୁଙ୍କ ପାଟି ଚିପି ଟାଣି ଟାଣି ନେଇ କେନାଲରେ ଫିଙ୍ଗିଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲା । ଯଦି ଟିକେ ବି ଡେରି ହୋଇଥାନ୍ତା ତେବେ କିଛି ବଡ ଅଘଟଣ ଘଟିଯାଇଥାନ୍ତା ।
କଥାରେ ଅଛି ବାପା ମା’ ହେଉଛନ୍ତି ପିଲାମାନଙ୍କ ପ୍ରଥମ ଭଗବାନ । ସକାଳୁ ସକାଳୁ ପାଦ ଧୂଳି ନେଇ ମୁଁଣ୍ଡରେ ମାରିଲେ ଦିନ ଭଲରେ କଟିଥାଏ, ସବୁ କାମ ସଫଳ ହୋଇଥାଏ । କିନ୍ତୁ ଆଜିକାଲି ପୁଅ, ବୋହୂ ବାପା ମା’ଙ୍କୁ ଯେଉଁଭଳି ଭାବେ ବ୍ୟବହାର କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେବେ ଏଭଳି ନୃଶଂସତାର ସୀମା ଟପିଲା ବୋହୂକୁ ଯେତେ ଶାସ୍ତି ମିଳିଲେ ବି କମ୍ ଲାଗିବ ।