ଜାତିଆଣ ମନୋଭାବ ପାଇଁ ହଜିଗଲା ମାନବିକତା, ୧୨ ଘଣ୍ଟା ପଡି ରହିଲା ବୃଦ୍ଧଙ୍କ ଶରୀର

ଯୁଗ ବଦଳିଛି । ମଣିଷ ପୃଥିବୀରୁ ଚନ୍ଦ୍ର ପୃଷ୍ଠରେ ପାଦ ଥାପିଲାଣି । ହେଲେ ଆଜିବି ଗାଁ ଗହଳିରେ ରହିଛି ଛୁଆଁ ଅଛୁଆଁ ମନୋଭାବ । ଯେଉଁଥିପାଇଁ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟର ୧୨ ଘଣ୍ଟା ପର୍ଯ୍ୟନ୍ତ ପଡିରହିଲା ଶରୀର ।

ସୁବର୍ଣ୍ଣପୁର(କେନ୍ୟୁଜ) : ଯୁଗ ବଦଳିଛି । ମଣିଷ ପୃଥିବୀରୁ ଚନ୍ଦ୍ର ପୃଷ୍ଠରେ ପାଦ ଥାପିଲାଣି । ହେଲେ ଆଜିବି ଗାଁ ଗହଳିରେ ରହିଛି ଛୁଆଁ ଅଛୁଆଁ ମନୋଭାବ । ଯେଉଁଥିପାଇଁ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟର ୧୨ ଘଣ୍ଟା ପର୍ଯ୍ୟନ୍ତ ପଡିରହିଲା ମୃତଶରୀର । ଘର ସାମ୍ନାରେ ପଡି ରହିଥିଲା ବୃଦ୍ଧଙ୍କ ମୃତଶରୀର । ସ୍ୱାମୀଙ୍କ ମୃତଶରୀର ସାମ୍ନାରେ ବସି ରହି ବାହୁନି ବାହୁନି କାନ୍ଦିବା ଛଡା ବୃଦ୍ଧାଙ୍କ ପାଖରେ କୌଣସି ଉପାୟ ନଥିଲା । କାରଣ ସ୍ୱାମୀଙ୍କୁ ଚାରିକାନ୍ଧ ଦେବାକୁ ପାଖରେ କେହିନାହିଁ । ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୧୨ ଘଣ୍ଟା ଧରି ପଡିରହିଥିଲେ ବି ମୃତଶରୀର ଉଠାଇବାକୁ କେହି ଆସିନଥିଲା ।

ଆଉ ଏପଟେଗାଁ ଦାଣ୍ଡରେ ପୁରୁଷ ଓ ମହିଳା ସମସ୍ତେ ନିରବଦ୍ରଷ୍ଟା ସାଜିିଥିଲେ । ଜାତିଆଣ ମନୋଭାବ ଭିତରେ ହଜିଯାଉଛି ଏମାନଙ୍କ ମାନବିକତା । ଏଇ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ପଂଚାୟତ ଅନ୍ତର୍ଗତ ଚିଙ୍ଗିରାନାଳୀ ଗାଁର । ଆଉ ମୃତ ବୃଦ୍ଧ ଜଣକ ହେଉଛନ୍ତି ଗାଁର ୯୦ ବର୍ଷୀୟ ବେଦ ପଧାନ । ଗତକାଲି ସକାଳ ୫ ଟାରୁ ବେଦଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହା ହେଉଛି ତାପରର ଘଟଣା ।

ବେଦ ପଧାନ ଗତ ୩୦ ବର୍ଷ ତଳେ ତାଙ୍କ ପରିବାର ଓ ଗାଁ ଛାଡି ଚିଙ୍ଗିରାନାଳି ଗାଁକୁ ଆସି ସେହି ଗାଁର ସୁମିତ୍ରା ପଧାନଙ୍କ ସହ ରହିଆସୁଥିଲେ । ସୁମିତ୍ରା ତାଙ୍କଠାରୁ ନିଚ୍ଚ ଜାତିର ହୋଇଥିବାରୁ ଜାତି ଭାଇ ସହିତ ତାଙ୍କର ସମ୍ପର୍କ ନଥିଲା । ସରକାରୀ ଭାବେ ମିଳୁଥିବା ଭତ୍ତା ଓ ଚାଉଳରେ ଉଭୟ ପତୀ ପତ୍ନୀ ଚଳିଯାଉଥିଲେ ।

ତେବେ ଗତକାଲି ସକାଳୁ ହଠାତ ବେଦଙ୍କ ମୃତ୍ୟୁ ହୋଇଗଲା । ହେଲେ ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କ ଶବ ସତ୍କାର କରିବାକୁ ତାଙ୍କ ପରିବାର ବର୍ଗ ,ଜାତି ଭାଇ କିମ୍ବା ଗ୍ରାମବାସୀ କେହିବି ଆସିଲେନି । ସମସ୍ତେ ଦେଖୁଥିଲେ ଆଉ ଏହିଭଳି ଘର ସାମ୍ନାରେ ବେଦଙ୍କ ଶରୀର ଘଣ୍ଟା ଘଣ୍ଟା ଧରି ପଡିରହିଥିଲା ।

ଶେଷରେ ପୂର୍ବତନ ସମିତି ସଭ୍ୟ ଏନେଇ ଖବର ପାଇଲା ପରେ ସେ ବିନିକାର ଏକ ସ୍ୱେଚ୍ଚାସେବୀ ଅନୁଷ୍ଠାନକୁ ଖବର ଦେଇଥିଲେ । ଏହାପରେ ସନ୍ଧ୍ୟା ୫ ଟା ସମୟରେ ବିନିକାର ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ହେଲ୍ପ ଟୁ ଅଦରର କର୍ମକର୍ତାମାନେ ଗାଁରେ ପହଁଚି ବୃଦ୍ଧଙ୍କ ଶବକୁ ସତ୍କାର କରିଛନ୍ତି । ଆଜିକାଲି ସମାଜରେ ମଣିଷ ଆଗରେ ସମ୍ପର୍କର ମୂଲ୍ୟ ଠାରୁ ନିଜ ସ୍ୱାର୍ଥର ମୂଲ୍ୟ ଅଧିକ। ତେଣୁ ତ ଧିରେ ଧିରେ ହଜିବାକୁ ବସିଲାଣି ମାନବିକତା । ଯାହା ଆଜିର ଏହି ଘଟଣା ପ୍ରମାଣ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.