ପାଣି ଟୋପାଏ ପାଇଁ ଡହଳ ବିକଳ ଗାଁ ଲୋକେ, ଜଙ୍ଗଲ ଭିତର ପୋଖରୀରେ ଥିବା ଚୁଆ ଭରସା

ପାଣି ଟୋପାଏ ପାଇଁ ଡହଳ ବିକଳ ଗାଁ ଲୋକେ । ପୋଖରୀ ଚୁଆରୁ ବାହାରୁଥିବା ମଇଲା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଗାଁଠୁ ଦୂର ଜଙ୍ଗଲ ଭିତରେ ଥିବା ପୋଖରୀର ପାଣି ପିଉଛନ୍ତି । ଜଙ୍ଗଲି ଜୀବଙ୍କ ଭୟ ରହିଥିବାରୁ ସାଥୀହୋଇ ଗାଁର ମହିଳା ପାଣି ନେବାକୁ ଯାଉଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ପାଣି ଟୋପାଏ ପାଇଁ ଡହଳ ବିକଳ ଗାଁ ଲୋକେ । କାଦୁଅ ଭର୍ତ୍ତି ପୋଖରୀର ଚୁଆ ପାଣି ଏକମାତ୍ର ଭରସା । ଅନ୍ୟାନ୍ୟ ସୁବିଧା ସୁଯୋଗ ତ ଦୂରର କଥା ଏମାନଙ୍କ ଭାଗ୍ୟରେ ବିଶୁଦ୍ଧ ପାଣି ଟୋପାଏ ମିଳିବା ସାତ ସପନ । ଫଳରେ ପୋଖରୀ ଚୁଆରୁ ବାହାରୁଥିବା ମଇଲା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଏମାନେ । ଗାଁଠୁ ଦୂର ଜଙ୍ଗଲ ଭିତରେ ଥିବା ପୋଖରୀର ପାଣି ପିଉଛନ୍ତି । ଗାଁ ମହିଳା ମାନେ ଗରା ବାଲଟି ଧରି ଚୁଆରୁ ପାଣି ଆଣୁଛନ୍ତି । ଏହାସହ ଏଠାରେ ଜଙ୍ଗଲି ଜୀବଙ୍କ ଭୟ ରହିଥିବାରୁ ସାଥୀହୋଇ ଗାଁର ମହିଳା ପାଣି ନେବାକୁ ଯାଉଛନ୍ତି । ଗାଁରେ ନଳକୂପ ରହିଛି ହେଲେ କେଉଁଥିରେ ବି ପାଣି ଆସୁନି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଜଡିଚାତର ଗାଁ ଲୋକେ ଏପରି ସମସ୍ୟା ଭୋଗୁଛନ୍ତି ।

ପାଟଣା ବ୍ଲକ ଜଡିଚାତର ଗାଁ । ଏହି ଗାଁରେ ରହିଛି ତିନୋଟି ସାହି । ପ୍ରାୟ ହଜାରେରୁ ଉର୍ଦ୍ଧ୍ୱ ପରିବାର ଏଠାରେ ବସବାସ କରିଥାନ୍ତି । ଅଧିକାଂଶ ପରିବାର ଆଦିବାସୀ ସମ୍ପ୍ରଦାୟର । ପ୍ରଚଣ୍ଡ ଖରାରେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଏହି ଗାଁ ଲୋକେ । ଗାଁରେ ରହିଛି ଦୁଇଟି ନଳକୂପ । ଗୋଟିଏରୁ ପାଣି ବାହାରୁ ନଥିବା ବେଳେ ଆଉ ଗୋଟିଏରୁ ବାଲଟିଏ ପାଣି ଭରିବାକୁ ଘଣ୍ଟାଏ ସମୟ ଲାଗୁଛି । ଗାଁ ପୋଖରୀ ସବୁ ଶୁଖିଲା । ପାଣିପାଇଁ ଗାଁ ଲୋକେ ବାଧ୍ୟ ହୋଇ ଜଙ୍ଗଲ ଭିତରେ ଥିବା ଏକ ପୋଖରୀ ଉପରେ ନିର୍ଭର କରୁଛନ୍ତି । ଏହି ପୋଖରୀରେ ଚୁଆ ଖୋଲି ସେହି ପାଣିକୁ ରୋଷେଇଠୁ ଆରମ୍ଭ କରି ପିଇବା ପାଇଁ ବ୍ୟବହାର କରୁଛନ୍ତି । ଏପରିକି ଗାଧୋଇବା ପାଇଁ ବି ଏହିପାଣି ଭରସା । ଏହାସହ ଜଙ୍ଗଲି ଜୀବଙ୍କ ଭୟ ରହିଥିବାରୁ ସାଙ୍ଗହୋଇ ଗାଁର ମହିଳା ପାଣି ନେବାକୁ ଯାଉଛନ୍ତି ।

ଏହି ଚୁଆପାଣି ପିଇ ଲୋକେ ବାରମ୍ବାର ଅଜଣା ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଏନେଇ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କେହି ଶୁଣୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହାସହ ସରପଞ୍ଚଠୁ ବିଡିଓ ପର୍ଯ୍ୟନ୍ତ ଏସମସ୍ୟା ସମ୍ପର୍କରେ ଅବଗତ କରାଇ ଥିଲେ ବି ଏପର୍ଯ୍ୟନ୍ତ ଗାଁକୁ ପାନୀୟ ଜଳ ଯୋଗାଣର ସେପରି କିଛି ହୋଇପାରିନି । ସରକାରଙ୍କ ପାନୀୟ ଜଳ ଯୋଗାଣର ଯୋଜନାକୁ ଏହି ଗାଁକୁ ପହଁଚାଇବାରେ ପ୍ରଶାସନ ବିଫଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.