ଗ୍ଲୋବାଲ ୱାର୍ମିଙ୍ଗର ପ୍ରଭାବ, ପିଜୋଲା ଗ୍ଲସିୟରର ଅନ୍ତିମ ସଂସ୍କାର କଲେ ସ୍ୱିଜରଲ୍ୟାଣ୍ଡ ବାସୀ

ପୃଥିବୀର ତାପମାତ୍ରା ଦିନ କୁ ଦିନ ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନର ଜଳବାୟୁରେ ମଧ୍ୟ ଏକ ଅସମାନତା ହେଉଥିବା ଲକ୍ଷ କରାଯାଉଛି । ତାହା ବିଶ୍ୱର ପ୍ରାକୃତିକ ପରିବେଶ ଉପରେ କିପରି ଭାବେ ଗମ୍ଭୀର ପ୍ରଭାବ ପକାଉଛି ତାହା ନିକଟରେ ଘଟୁଥିବା କେତେ ଗୁଡିଏ ଘଟଣାରୁ ସହଜରେ ଅନୁମାନ କରାଯାଇ ପାରିବ । ଯାହାକି ପରିବେଶବିତ ମାନଙ୍କ ଚିନ୍ତାକୁ ଦୁଇଗୁଣା ବଢାଇଦେଇଛି | ଏମିତିକି ତାପମାତ୍ରା ବୃଦ୍ଧି ଯୋଗୁଁ ପୃଥିବୀ ଧୀରେ ଧୀରେ ଉତ୍ତପ୍ତ ହେବାରେ ଲାଗିଛି ଯାହାକୁ ଅନ୍ୟ ଭାଷାରେ ଗ୍ଲୋବାଲ ୱାର୍ମିଙ୍ଗ କୁହାଯାଉଛି । ବିଭିନ୍ନ ସ୍ଥାନର ସ୍ୱାଭାବିକ ତାପମାତ୍ରା ଅସ୍ଥିର ହେବାରେ ଲାଗିଛି । ଏହି ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁଁ ଗ୍ଲସିୟାର ଗୁଡିକ ମଧ୍ୟ ତରଳିବା ଆରମ୍ଭ କଲାଣି । ତେଣୁ ସ୍ଥାନୀୟ ଲୋକେ ସ୍ଥାନ ଟିର ଦୟନୀୟ ଅବସ୍ଥା ଯୋଗୁଁ ଗ୍ଲସିୟର ଗୁଡିକୁ ମୃତ ଘୋଷଣା କରୁଛନ୍ତି ।

 

ନିକଟରେ ଏମିତି ହିଁ ଏକ ଘଟଣା ଘଟିଛି ସ୍ୱିଜରଲ୍ୟାଣ୍ଡରେ । ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁଁ ସ୍ୱିଜରଲ୍ୟାଣ୍ଡର ଏହି ଗ୍ଲସିୟରଟି ନିଜର ଅସ୍ଥିତ୍ୱ ହରାଇବାକୁ ବସିଲାଣି । ଏହି କାରଣରୁ ପରିବେଶବିତଙ୍କ ସମେତ କିଛି ଆଖପାଖ ଲୋକେ ଏହି ଟିକୁ ମୃତ ଘୋଷଣା କରି ଏହାର ଅନ୍ତିମ ସଂସ୍କାର ମଧ୍ୟ କରିଛନ୍ତି । ଖାଲି ଏତିକି ନୁହେଁ ମୃତ ଗ୍ଲସିୟରର ଅନ୍ତିମ ଯାତ୍ରା ମଧ୍ୟ କରାଯାଇଛି । ସ୍ୱିଜରଲ୍ୟାଣ୍ଡର ଏହି ପିଜୋଲ ଗ୍ଲସିୟର ଏବେ ମୃତ । ସ୍ଥାନୀୟ ଅଂଚଳର ପ୍ରାୟ ୨୫୦ ଲୋକ ପ୍ରାୟ ୨ ଘଣ୍ଟା କାଳ ପାହାଡ ଚଢିବା ପରେ ପ୍ରାୟ ୨୭୦୦ ମିଟର ଉଚ୍ଚରେ ଥିବା ପିଜୋଲ ଶିଖରରେ ପହଂଚିଥିଲେ । ସ୍ୱିଜରଲ୍ୟାଣ୍ଡର ଗ୍ଲସିୟର ବିଶେଷଜ୍ଞ ମୈଥୁନିସ ହ୍ୟୁଜ କହିଛନ୍ତି କି ଏହି ପିଜୋଲ ଗ୍ଲସିୟର ଟି ଦ୍ରୁତ ଗତିରେ ତରଳୁଥିବା କାରଣ ଯୋଗୁଁ ଏହାକୁ ସେମାନେ ଅନ୍ତିମ ବିଦାୟ ଦେଇଛନ୍ତି ।

ଏଥି ନେଇ ଆଉ ସେପରି କୌଣସି ଆଶା ଆଉ ପରିଲକ୍ଷିତ ହେଉନାହିଁ ।ସଂସ୍କାରରେ ଯାଇଥିବା ସମସ୍ତ ଲୋକେ କଳା ଡ୍ରେସ ପିନ୍ଧି ଯାଇଥିଲେ । ସ୍ୱିଜରଲ୍ୟାଣ୍ଡର ଗ୍ଲରୁଷ ଅଲପ୍ସ ସ୍ଥିତ ପିଜୋଲ ଗ୍ଲସିୟର ୨୦୦୬ ମସିହାରେ ହିଁ ୮୦ ପ୍ରତିଶତ ବିନାଶ ହୋଇ ଯାଇଥିଲା । ୧୯୮୭ ମସିହାରେ ଏହାର କ୍ଷେତ୍ରଫଳ ୩.୨୦ ଲକ୍ଷ ବର୍ଗ କିଲୋମିଟର ଥିବାବେଳେ ଏବେ ଏହାର ମାତ୍ର ୨୬ ହଜାର ବର୍ଗ କିଲୋମିଟର ହିଁ ବାକିଅଛି । ଯାହାକୁ ବିଲୁପ୍ତ ହେବାକୁ ବେଶୀ ସମୟ ଲାଗିବନି । ଆଉ ଜଣେ ଗ୍ଲସିୟର ବୈଜ୍ଞାନିକ ଅଳସେନ୍ଦ୍ର ଡୋଗିଅକୋମିଙ୍କ ଅନୁଯାୟୀ, ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଏବେ ପିଜୋଲରେ ଆଉ ଗ୍ଲସିୟର ଭାବେ କିଛି ମଧ୍ୟ ବଂଚିନାହିଁ । ଏହାର ଅନ୍ତ୍ୟୋଷ୍ଟି କ୍ରିୟା ଶେଷ କରି ଏହାକୁ ମୃତ ଘୋଷଣା କରାଯାଇଛି । ଗତ ୩୬ ବର୍ଷ ଧରି ପ୍ରାୟ ୧୯୮୩ ମସିହାରୁ ବୈଜ୍ଞାନିକ ମାନଙ୍କ ନଜର ଏହା ଉପରେ ଥିଲା । ଏହାକୁ ରକ୍ଷା କରିବାକୁ ସେମାନେ ଆପ୍ରାଣ ଉଦ୍ୟମ ମଧ୍ୟ କରିଛନ୍ତି । କିନ୍ତୁ ସେପରି କୌଣସି ସୁଫଳ ମିଳି ପାରିନାହିଁ ।

ଏହା ସହ ପଢନ୍ତୁ:

କି ଅଜବ ଦେଶ? ଶବ ପୋତିବା ପାଇଁ କିଣିବାକୁ ପଡିଥାଏ ଜାଗା, ଯାହାର ମୂଲ୍ୟ କୋଟି କୋଟି ଟଙ୍କା

ମୈଥିୟାସଙ୍କ କହିବା ଅନୁଯାୟୀ ତାଙ୍କୁ ଏଥିପାଇଁ ବହୁବାର ପିଜୋଲ ଶିଖରକୁ ଚଢ଼ିବାକୁ ପଡିଛି ।ସେ ଏହା ସହ କହିଛନ୍ତି ଭବିଷ୍ୟତରେ ଏହାର ଅସ୍ଥିତ୍ବକୁ ମିଟାଇ ନ ଦେବାକୁ ସେମାନେ ଚେଷ୍ଟା କରିବେ । ଗ୍ଲସିୟର ନଥିଲେ ମଧ୍ୟ ତାର କାହାଣିକୁ ବଜାୟ ରଖିବେ । ନିଜର ଭବିଷ୍ୟ ପିଢ଼ି ମାନଙ୍କୁ ଗ୍ଲସିୟର ଗୁଡିକର କାହାଣୀ ନିଶ୍ଚୟ କହିବେ । ଏକ ଅଧ୍ୟୟନରୁ ଜଣା ଯାଇଛି ଯେ ୨୦୫୦ ମସିହା ବେଳକୁ ଅଲପ୍ସ ପର୍ବତ ଶୃଙ୍ଖଳାର ୪୦୦୦ ଗ୍ଲସିୟରର ଅଧା ବରଫ ସଂପୂର୍ଣ୍ଣ ରୂପେ ତରଳି ଯାଇ ଥିବାର ଅନୁମାନ କରାଯାଉଛି । ଆସନ୍ତା ଶତାବ୍ଦୀର ଶେଷ ବେଳକୁ ପ୍ରାୟ ଦୁଇ ତୃତୀୟାଂଶ ଗ୍ଲସିୟର ତରଳି ଯାଇଥିବ । ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ହିଁ ଆଇସଲ୍ୟାଣ୍ଡ ସ୍ଥିତ ଏକ ଗ୍ଲସିୟରକୁ ମୃତ ଘୋଷଣା କରାଯାଇଥିଲା । ସ୍ୱିଜରଲ୍ୟାଣ୍ଡରେ ସମୁଦାୟ ୧୫୦୦ଟି ଗ୍ଲସିୟର ଥିବା ବେଳେ ଏଗୁଡିକର ସୁରକ୍ଷା ପାଇଁ ସେଠାକାର ପରିବେଶବିତ ମାନେ ଚେଷ୍ଟା ଚଳାଇଛନ୍ତି । ଏହି ଘଟଣା ଗୁଡିକୁ ଆଖି ଆଗରେ ରଖି ଆମକୁ ବେଳହୁଁ ସତର୍କ ହେବାକୁ ପଡିବ । ନଚେତ ଏମିତି ଯଦି ଜାରି ରହେ ପୃଥିବୀ ମାତାକୁ ଗ୍ଲସିୟର ଶୂନ୍ୟ ହେବାକୁ ବେଶୀ ସମୟ ଲାଗିବନି ।