୨୦୪୦ ମସିହା ସୁଦ୍ଧା ପ୍ରାୟ ୨୫ ଭାଗ ପିଲା ପାଇବେନି ଶୁଦ୍ଧ ଜଳ !

ଜଳ ହିଁ ଜୀବନ । ଜଳ ବିନା ଜୀବ ଜଗତ ଦଣ୍ଡେ ବଂଚିବା ଅସମ୍ଭବ । ପୃଥିବୀରେ ଥିବା ଜଳ ମଧ୍ୟରୁ ପ୍ରାୟ ୯୭ ପ୍ରତିଶତ ଲୁଣି ଜଳ ହୋଇଥିବା ବେଳେ ମାତ୍ର ୩ ପ୍ରତିଶତ ମଧୁର ଜଳ। ସାଧାରଣ ଭାବେ ଏହି ମଧୁର ଜଳକୁ ହିଁ ଦୈନନ୍ଦିନ କାର୍ଯ୍ୟ ଗୁଡିକରେ ବ୍ୟବହାର କରାଯାଇଥାଏ । କିନ୍ତୁ ଦେଖାହେଉଛି ଏହି ମଧୁର ଜଳର ପରିମାଣ ଦିନକୁ ଦିନ କମିବାରେ ଲାଗିଛି । କିନ୍ତୁ ଏହି ଜଳକୁ ଯଦି ସମୟ ଥାଉ ଥାଉ ଠିକ ଭାବେ ରକ୍ଷଣା ବେକ୍ଷଣ କରାନଯାଏ ତେବେ ହୁଏତ ଆଗାମୀ କିଛି ବର୍ଷ ମଧ୍ୟରେ ପୃଥିବୀରେ ଗୋଟେ ବୁନ୍ଦା ବି ଶୁଦ୍ଧ ଜଳ ମିଳିବା ଏକ ପ୍ରକାର ଅସମ୍ଭବ ହୋଇଯିବ । ହୁଏତ ଜଳ ମିଳିପାରେ କିନ୍ତୁ ଶୁଦ୍ଧ ଜଳ ମିଳିବ ନାହିଁ । ଯେଉଁ ଜଳକୁ କି ସାଧାରଣ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ପ୍ରତିବର୍ଷ ମାର୍ଚ୍ଚ ମାସ ୨୨ ତାରିଖରେ ବିଶ୍ୱ ଜଳ ଦିବସ ଦିବସ ପାଳନ କରାଯାଇଥାଏ ।

୧୯୯୨ ମସିହାରେ ସଂଯୁକ୍ତ ରାଷ୍ଟ୍ରମାନଙ୍କ ଦ୍ୱାରା ଗଠିତ ଏକ ସମ୍ମିଳନୀରେ ସଦସ୍ୟଙ୍କ ଦ୍ୱାରା ବିଶ୍ୱ ଜଳ ଦିବସ ପାଳନ ପାଇଁ ଏକ ପ୍ରସ୍ତାବ ଅଣାଯାଇଥିଲା । ପର ବର୍ଷ ୧୯୯୩ ମସିହାରେ ମାର୍ଚ୍ଚ ମାସ ୨୨ ତାରିଖ ଦିନ ଟିକୁ ହିଁ ଜଳ ଦିବସ ରୂପେ ପାଳନ କରାଯିବା ନେଇ ନିଷ୍ପତି ନିଆଯାଇଥିଲା । ଲୋକଙ୍କ ମଧ୍ୟରେ ପାନୀୟ ଜଳ ସଂରକ୍ଷଣ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସ ପାଳନ ଆରମ୍ଭର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

କିନ୍ତୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ଜଳ ବିନା ଯେ ସ୍ତୃଷ୍ଟି ଅସମ୍ଭବ ସମସ୍ତଙ୍କୁ ଜଣା । କିନ୍ତୁ ଏହାକୁ ଜାଣି ଶୁଦ୍ଧା ଲୋକେ ଏପରି ଏକ ଅମୂଲ୍ୟ ସମ୍ପଦର ସଂରକ୍ଷଣ କ୍ଷେତ୍ରରେ ସାଧାରଣ ଲୋକେ ସେତେଟା ସଚେତନ ନୁହନ୍ତି । ଏକ ତଥ୍ୟରୁ ପ୍ରକାଶ ପାଇଛି ଯେ ପୃଥିବୀର ଅନ୍ୟାନ ପ୍ରାନ୍ତ ଅପେକ୍ଷା ଭାରତୀୟ ମାନେ ଅଧିକ ବେପରୁଆ ଭାବେ ଜଳର ବ୍ୟବହାର କରିଥାନ୍ତି । ଗୋଟେ ମିନିଟରେ ଶହ ଶହ ଲିଟର ଜଳର ବଦ ଖର୍ଚ୍ଚ କରିବାରେ ଟିକେ ହେଲେ ସଂକୋଚ କରନ୍ତି ନାହିଁ ।

କାରଖାନାର ଦୂଷିତ ପଦାର୍ଥ, ପୂଜା ପ୍ରବଣ ଗୁଡିକର ମୂର୍ତ୍ତି ବିସର୍ଜନ, ସହରର ନାନାଦି ଅଳିଆ ଆବର୍ଜନାକୁ ଏହି ନଦୀ ଓ ସମୁଦ୍ର ଜଳରେ ହିଁ ଛାଡ଼ି ଦେଇଥାନ୍ତି । ଯାହାକି ଜଳ ପ୍ରଦୂଷଣର ଏକ ପ୍ରମୁଖ କାରଣ । ଏହା ଦ୍ୱାରା ବାହାରେ ବସବାସ କରୁଥିବା ଜୀବଙ୍କ ସହ ଜଳ ଭିତରେ ବସବାସ କରୁଥିବା ଜୀବ ମାନେ ମଧ୍ୟ କଷ୍ଟ ଭୋଗିଥାନ୍ତି । ଭାରତର ପବିତ୍ର ନଦୀ ରୂପେ ପରିଚିତ ଗଙ୍ଗା, ଯମୁନା ଦିନକୁ ଦିନ ଅପବିତ୍ର ହେବାକୁ ବସିଲାଣି । ଏମିତିକି ଏହି ନଦୀ ଗୁଡିକ ଅତି ଦୟନୀୟ ପରିସ୍ଥିତି ମୁହାଁ ହେଲେଣି ।

ଜାଣନ୍ତୁ ଜଳ ସମ୍ବନ୍ଧୀୟ କିଛି ତଥ୍ୟ:

୧. ଏକ ସର୍ବେକ୍ଷଣରୁ ଜଣା ଯାଇଛି ଯେ ବିଶ୍ୱର ପ୍ରାୟ ୧.୫ ଶତ କୋଟି ଲୋକ ଏପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳ ପାଇପାରୁନାହାନ୍ତି ।

୨.ବାଥ ଟବରେ ଗାଧେଇବା ସମୟରେ ପ୍ରାୟ ୩୦୦ ଲିଟର ରୁ ୫୦୦ ଲିଟର ପର୍ଯ୍ୟନ୍ତ ଜଳ ଖର୍ଚ୍ଚ ହୋଇଥାଏ । ଯେତେବେଳେ କି ସାଧାରଣ ଭାବେ ଗାଧେଇଲେ ମାତ୍ର ୧୦୦ ରୁ ୧୫୦ ଲିଟର ପାଣି ଖର୍ଚ୍ଚ ହୋଇଥାଏ ।

୩.ପୃଥିବୀରେ ପ୍ରାୟ ଏକ ଆରବ ୪୦ ଘନ ଲିଟର ପାଣି ଗଛିତ ଭାବେ ଅଛି । ତା ଭିତରୁ ୯୭.୫ ପ୍ରତିଶତ ପାଣି ସମୁଦ୍ରରେ କ୍ଷାର ଭାବେ ଥିବା ବେଳେ ୧.୫ ପ୍ରତିଶତ ଜଳ ଥଣ୍ଡା ଜାଗା ମାନଙ୍କରେ ବରଫ ଅବସ୍ଥାରେ ଅଛି । ପ୍ରାୟ ୧ ପ୍ରତିଶତ ଜଳ ବିଭିନ୍ନ ନଦୀ, ପୋଖରୀ, କୂଅ, ଝରଣା ଆଦିରେ ଅଛି । ଯେଉଁ ଗୁଡିକ କି ପାନୀୟ ଯୋଗ୍ୟ । ଏହି ଭିତରୁ ୬୦ ଭାଗ ଚାଷ କାର୍ଯ୍ୟରେ ବ୍ୟବହାର ହୋଇଥାଏ | ବାକି ୪୦ ଭାଗ ବିଭିନ୍ନ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ।

୪.ଏଯାବତ ସମଗ୍ର ବିଶ୍ୱରେ ପ୍ରତି ଦଶ ଜଣରେ ୨ ଜଣ ବିଶୁଦ୍ଧ ପାନୀୟ ଜଳ ପାଇପାରୁ ନାହାନ୍ତି ।

ଏହା ସହ ପଢନ୍ତୁ:

ସମୁଦ୍ର ପାଣିରେ ନୀଳ ରଙ୍ଗର ଚମକ! ହୋଇପାରେ ଘାତକ!

ସଂଯୁକ୍ତ ରାଷ୍ଟ୍ର ତରଫରୁ ଦିଆଯାଇଛି ଚେତାବନୀ:

ନିକଟରେ ସଂଯୁକ୍ତ ରାଷ୍ଟ୍ର ତରଫରୁ ଚେତାବନୀ ଦିଆଯାଇଛି କି ଆସନ୍ତା ୨୦୪୦ ମସିହା ବେଳକୁ ପୃଥିବୀରେ ପାନୀୟ ଜଳର ଘୋର ଅଭାବ ଦେଖାଦେବ । ସେହି ସମୟ ବେଳକୁ ପ୍ରତି ୪ ଜଣରେ ଜଣେ ଶିଶୁ ଶୋଷିଲା ରହିବ । ୨୦୧୭ ମସିହା ଜଳ ଦିବସ ଅବସରରେ ୟୁନିସେଫ ତରଫରୁ ଘୋଷଣା କରାଯାଇଥିଲା କି ଆଗାମୀ ୨୦ ବର୍ଷ ଭିତରେ ବିଶ୍ୱର ପ୍ରାୟ ୬୦୦ ମିଲିୟନ ଶିଶୁ ଘୋର ଜଳ ସଙ୍କଟ ତଥା ମରୁଡି ପ୍ରବଣ ସ୍ଥାନରେ ହିଁ ଥିବେ ।

ଭୟାବହ ଜଳ ସଙ୍କଟ ସ୍ଥାନ ଯେପରିକି ଇଥିଓପିଆ, ନାଇଜେରିଆ, ସୋମାଲିଆ, ଦକ୍ଷିଣ ସୁଦାନ ପରି ମରୁଡି ପ୍ରବଣ ଦେଶ ଗୁଡିକରେ ଜଳ ସଙ୍କଟ ଭୟାବହ ରୂପ ନେବ । ଦକ୍ଷିଣ ଏସିଆ ଓ ମଧ୍ୟ ଏସିଆର ଦେଶ ଗୁଡିକରେ ହିଁ ଅଧିକ ଜଳ ସଙ୍କଟ ଦେଖାଯିବାର ଅଧିକ ସମ୍ଭାବନା ଅଛି । ତେଣୁ ଭବିଷ୍ୟତକୁ ଲକ୍ଷ ବେଳହୁଁ ସତର୍କ ରହିବା ହିଁ ପ୍ରକୃତରେ ଚତୁରତା ହେବ କହିଲେ ଭୁଲ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.