ଚିକିତ୍ସାଳୟରେ ମହାମିଳନ : ୮ ବର୍ଷରେ ଛାଡି ଯାଇଥିବା ପୁଅକୁ ୮୮ ବର୍ଷରେ ଭେଟିଲା ବାପା
ପୁରୀ (କେନ୍ୟୁଜ): ଦୀର୍ଘ ୪୨ ବର୍ଷ ପରେ ବାପା ପୁଅଙ୍କ ମିଳନ ହୋଇଛି । ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡରେ ଭାବବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାଜପୁର ଜିଲ୍ଲା ଜେନାପୁର ଥାନା ଦଣ୍ଡଘାଟୀ ଗାଁର ଧନେଶ୍ୱର ଦାସ । ପୁଅକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ସେ ଘର ଛାଡ଼ି ଚାଲି ଆସି ରାଧାମୋହନ ମଠରେ ମହନ୍ତ ଧରଣୀଧର ଦାସ ନାମରେ ରହୁଥିଲେ। ୪୫ ବର୍ଷ ତଳେ ଧନେଶ୍ୱର ଗେଲି ଦାସଙ୍କୁ ବିବାହ କରି ସଂସାର ଗଢିଥିଲେ। ତାଙ୍କର ଗୋଟିଏ ପୁଅ ଓ ଚାରି ଝିଅ। ବାର୍ଦ୍ଧକ୍ଯରେ ରୋଗଶଯ୍ଯାରେ ପଡ଼ିବା ପରେ ପରିବାର ଓ ପିଲାମାନଙ୍କ କଥା ମନେ ପଡିଥିଲା। ମହନ୍ତ ଧରଣୀଧର ଦାସଙ୍କ ପାଖ ମଠରରେ ରହୁଥିବା ଯମୁନା ଦାସ ତାଙ୍କ ପରିବାର ପରିଚୟ ଜାଣିଥିଲେ।
୮୮ ବର୍ଷ ବୟସରେ ବାର୍ଦ୍ଧକ୍ଯ ଜନିତ କାରଣରୁ ରୋଗଶଯ୍ଯାରେ ପଡି ପୁରୀ ସଦର ମୁଖ୍ଯ ଚିକିତ୍ସାଳୟର ଭର୍ତ୍ତି ହେବା ପରେ ପୁଅ ବାବାଜୀ ବାପାଙ୍କ ପିଲା ଦିନର ସାଙ୍ଗ ରାଇ ଓଝାଙ୍କୁ ସାଙ୍ଗରେ ଧରି ହସ୍ପିଟାଲରେ ପହଞ୍ଚିଥିଲେ। ଏହାପରେ ହସ୍ପିଟାଲ ପରିସରରେ ସୃଷ୍ଟି ହୋଇଥିଲା ଏକ ଭିନ୍ନ ପରିବେଶ। ଦୀର୍ଘ ୪୨ ବର୍ଷ ପରେ ହୋଇଥିଲା ବାପା,ପୁଅଙ୍କ ମିଳନ। ବାପା ପୁଅ ସାମ୍ନା ସାମ୍ନି ହେବା ପରେ ଦେଖଣାହାରୀଙ୍କ ଆଖିରେ ମଧ୍ୟ ଲୁହ ଆସି ଯାଇଥିଲା।