ଆସନ୍ତୁ ଜାଣିବା UNGAର ଚାରି ମହିଳା ଅଧ୍ୟକ୍ଷ ସମ୍ପର୍କରେ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମ୍ବର ୨୭ ତାରିଖରେ ଜାତିସଂଘର ୭୪ ତମ ସଂସ୍କରଣରେ ନିଜ ଅଭିଭାଷଣ ଦେଇଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ପୃଥିବୀ ବହୁ ଆଗେଇଥିଲେ ସୁଦ୍ଧା ଜାତିସଂଘରେ ମହିଳାଙ୍କ ପ୍ରତିନିଧିତ୍ବ ସୀମିତ ହୋଇ ରହିଯାଇଛି । ଜାତିସଂଘ ଗଠନ ହେବାକୁ ୭୪ ବର୍ଷ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେବଳ ୪ ଜଣ ମହିଳା ଅଧ୍ୟକ୍ଷ ହୋଇପାରିଛନ୍ତି । ଏ ଥରର ୭୪ ତମ ସଂସ୍କରଣର ଅଧକ୍ଷତା ନାଇଜେରିଆର ସ୍ଥାୟୀ ପ୍ରତିନିଧି ନିଜେନି ମହମ୍ମଦ କରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ପ୍ରାୟ ୬୬ ବର୍ଷ ପୂର୍ବେ ଭାରତ ଜାତିସଂଘର ମହିଳା ସଶକ୍ତି କରଣ କ୍ଷେତ୍ରରେ ଏମିତି ଏକ ଉଦାହରଣ ସୃଷ୍ଟି କରିଥିଲା ଯାହାକି ଜାତିସଂଘ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ସଂଯୁକ୍ତ ରାଷ୍ଟ୍ର ମହାସଭାର ଏପର୍ଯ୍ୟନ୍ତ ହୋଇଥିବା ୪ ମହିଳା ଅଧ୍ୟକ୍ଷ ବିଷୟରେ କିଛି ଜାଣିବା । ଆସନ୍ତୁ ସେମାନଙ୍କ ସମ୍ପର୍କରେ କିଛି ତଥ୍ୟ:
ବିଜୟ ଲକ୍ଷ୍ମୀ ପଣ୍ଡିତ:
ସଂଯୁକ୍ତ ରାଷ୍ଟ୍ର ମହାସଭା ପ୍ରଥମ ମହିଳା ଅଧ୍ୟକ୍ଷ ଶ୍ରୀମତୀ ବିଜୟ ଲକ୍ଷ୍ମୀ ପଣ୍ଡିତ ଥିଲେ । ସେ ୧୯୫୩ ମସିହାରେ ଜାତିସଂଘର ୮ମ ଅଧିବେଶନରେ ପ୍ରଥମ ମହିଳା ଅଧ୍ୟକ୍ଷ ହୋଇଥିଲେ । ଖାଲି ସେତିକି ନୁହେଁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ବି ସେ ଏକ ଗୁରୁତର ଭୂମିକା ନିଭେଇଥିଲେ । ବ୍ରିଟିଶ ଶାସନ କାଳରେ କ୍ୟାବିନେଟରେ ରହିଥିବା ସେ ହିଁ ପ୍ରଥମ ମହିଳା ଥିଲେ । ୧୯୩୭ ମସିହାରେ ୟୁନାଇଟେଡ଼ ପ୍ରୋଭିସେନ୍ସର ବିଧାନ ମଣ୍ଡଳକୁ ସେ ନିର୍ବାଚିତ ହୋଇଥିଲେ । ସେ ସ୍ୱପ୍ରଶାସନ ଓ ଜନ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ । ଏହାବାଦ ସେ ରାଜ୍ୟପାଳ ଓ ରାଷ୍ଟ୍ର ଦୂତ ପରି ଗୁରୁତ୍ୱପୂର୍ଣ୍ଣ ପଦ ମାନଙ୍କରେ ମଧ୍ୟ ରହିଛନ୍ତି । ୧୯୦୦ ମସିହା ଅଗଷ୍ଟ ମାସ ୧୮ ତାରିଖରେ ଜନ୍ମ ହୋଇଥିବା ବିଜୟ ଲକ୍ଷ୍ମୀଙ୍କ ଦେହାନ୍ତ ୧୯୯୦ ମସିହାରେ ହୋଇଥିଲା ।
ଏଂଙ୍ଗୀ ଏଲିଯା ବେଥ ବୃକ୍ସ :
ଲାଇବେରିଆର ଏନଜି ଏଲୀଯା ବେଥ ଥିଲେ ସଂଯୁକ୍ତ ରାଷ୍ଟ୍ର ମହାସଭାର ୨ୟ ମହିଳା ଅଧ୍ୟକ୍ଷା । ସେ ୧୯୬୯ ମସିହାରେ ଜାତିସଂଘର ୨୪ତମ ଅଧିବେଶନରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ସେ ଏହି ପଦବୀରେ ବସିଥିବା ପ୍ରଥମ ଆଫ୍ରିକୀୟ ମହିଳା ଥିଲେ । ୧୯୫୪ ମସିହାରେ ସେ ଲାଇବେରିଆ ତରଫରୁ ଜାତିସଂଘର ସ୍ଥାୟୀ ସଦସ୍ୟତା ଗ୍ରହଣ କରିଥିଲେ । ୧୯୭୭ ମସିହା ପର୍ଯ୍ୟନ୍ତ ଏହି ପଦାକୁ ସୁରୁଖୁରୁରେ ନିଭେଇଥିଲେ । ଖାଲି ଏତିକି ନୁହେଁ ଜାତିସଂଘରେ ଥିବା ବେଳେ ବିଭିନ୍ନ ଉପନିବେଶ ରାଷ୍ଟ୍ର ମାନଙ୍କୁ ସ୍ୱତନ୍ତ୍ର ଦେଶ ଗଠନ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲେ । ଏହାବଦ ସେ ଲାଇବେରିଆ ସୁପ୍ରିମ କୋର୍ଟର ପ୍ରଥମ ମହିଳା ଜର୍ଜ ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ ।
ହୟା ରସେଦ ଅଳ ଖାଲିଫା:
ବାହାରିନର ହୟା ରସେଦ ଅଳ ଖାଲିଫା ସଂଯୁକ୍ତ ରାଷ୍ଟ୍ର ମହାସଭାର ୩ୟ ମହିଳା ଅଧ୍ୟକ୍ଷା ଥିଲେ । ସେ ୨୦୦୬ ମସିହାରେ ଜାତିସଂଘର ୬୧ ତମ ସଂସକଣରେ ଅଧ୍ୟକ୍ଷାର ଭରା ସମ୍ଭାଳିଥିଲେ । ହୟାଙ୍କ ଜନ୍ମ ୧୯୫୨ ମସିହା ଅକ୍ଟୋବର ମାସ ୧୮ ତାରିଖରେ ହୋଇଥିଲା । ସେ ବାହାରିନର ଜଣେ ପ୍ରଖ୍ୟାତ ଓକିଲ ତଥା ରାଜନୀତିଜ୍ଞ ଥିଲେ । ସେ ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ବାହାରିନର ରାଷ୍ଟ୍ରଦୂତର ଭାର ସମ୍ଭାଳିଥିଲେ । ଏ କ୍ଷେତ୍ରରେ ବି ସେ ପ୍ରଥମ ମହିଳା ଥିଲେ ।
ମାରିଆ ଫ୍ରନେଣ୍ଡା ଏସ୍ପିନୂଯା:
କୌଣସି ଲାଟିନ ଆମେରିକା ଦେଶରୁ ସଂଯୁକ୍ତ ରାଷ୍ଟ୍ର ମହାସଭାର ଅଧ୍ୟକ୍ଷା ପଦ ସମ୍ଭାଳି ବାରେ ମାରିଆ ପ୍ରଥମ ମହିଳା ଥିଲେ । ସଂୟୁକ୍ତ ରାଷ୍ଟ୍ର ମହାସଭାର ସେ ୪ର୍ଥ ମହିଳା ଅଧ୍ୟକ୍ଷା ଥିଲେ । ୧୯୬୪ ମସିହା ସେପ୍ଟେମ୍ବର ମାସ ୭ ତାରିଖରେ ଜନ୍ମ ହୋଇଥିବା ମାରିଆ ୨୦୧୮ ମସିହାରେ ଜାତିସଂଘର ୭୩ତମ ଅଧିବେଶନରେ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ସେ ଜାତିସଂଘର ପ୍ରଥମ ମହିଳା ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ପଣ୍ଡିତ ଙ୍କୁ ନିଜ ଆଦର୍ଶ ରୂପେ ମାନିଥିଲେ । ସେ ୨୦୧୨ ମସିହା ନଭେମ୍ବର ମାସ ୨୮ ତାରିଖରୁ ୨୦୧୪ ମସିହା ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଇକୁଏଡରର ପ୍ରତିରକ୍ଷା ମନ୍ତ୍ରୀ ରହିବା ସହ ଇକୁଏଡାରର ବିଦେଶ ମନ୍ତ୍ରୀ ମଧ୍ୟ ଥିଲେ ।
ଏହା ସହ ପଢନ୍ତୁ:
ଗ୍ଲୋବାଲ ୱାର୍ମିଙ୍ଗର ପ୍ରଭାବ, ପିଜୋଲା ଗ୍ଲସିୟରର ଅନ୍ତିମ ସଂସ୍କାର କଲେ ସ୍ୱିଜରଲ୍ୟାଣ୍ଡ ବାସୀ