ପାଣି ସଂକଟରେ ପାରାଦୀପ, ବନ୍ଦର ନଗରୀରେ ଉଦବେଗଜନକ ଭାବେ ଖସୁଛି ଭୂତଳ ଜଳ

ପାରାଦୀପ (କେନ୍ୟୁଜ୍‌) : ଧୀରେ ଧୀରେ କମିବାରେ ଲାଗିଛିି ଭୂତଳ ଜଳ। ଏହା ଗୋଟିଏ ସ୍ଥାନ ନୁହେଁ ସାରା ପୃଥିବୀରେ ଏଭଳି ସମସ୍ୟା ଦେଖା ଦେଇଛି । ତେବେ ଜଗତସିଂହପୁର ଜିଲ୍ଲାର ବନ୍ଦର ନଗରୀ ପାରାଦୀପରେ ଏ ନେଇ ଆଗକୁ ଅଧିକ ସଂକଟ ଦେଖା ଦେଇ ପାରେ ବୋଲି ଏକ ଆଶଙ୍କା ଉପୁଜିଛି । ତେଣୁ ଭୂତଳ ଜଳ ହ୍ରାସ ପାଇବାର କାରଣ କଣ? ତାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ଗୋଟିଏ ପଟେ ଜଳବାୟୁର ପରିବର୍ତ୍ତନ ଓ ଅନ୍ୟପଟେ ଶିଳ୍ପାନୁଷ୍ଠାନ ଗୁଡିକ ଦ୍ୱାରା ମନଇଚ୍ଛା ଭୂତଳ ଜଳର ବ୍ୟବହାର ଏହି ସଂକଟକୁ ଡାକି ଆଣିଛି। ସମୁଦ୍ର ତଟବର୍ତ୍ତୀ ଅଂଚଳଗୁଡିକରେ କ୍ରମଶଃ ଭୂତଳ ଜଳସ୍ତର ହ୍ରାସ ପାଉଛି। କେଉଁଠି ପାଣି ଲୁଣା ପଡୁଛି ତ ଆଉ କେଉଁଠି ଆଇରନ ମିଶା ପାଣି ବାହାରୁଛି। ଯାହାକୁ ନେଇ ଚିନ୍ତାରେ ପାରାଦୀପ ବାସିନ୍ଦା।

ପାରାଦୀପର ୧୨ଟି ଓାର୍ଡର ପ୍ରାୟ ୪୦ ହଜାରରୁ ଉର୍ଦ୍ଧ ବସ୍ତି ବାସିନ୍ଦା ଏବେ ଭୂତଳ ଜଳକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ୪୦ରୁ ଊର୍ଦ୍ଧ୍ୱ ବର୍ଷ ହେବ ଯେଉଁ ସ୍ଥାନରୁ ମିଠା ଜଳ ବାହାରୁଥିଲା ଏବେ ସେଠାରୁ ବାହାରୁଛି ଆଇରନ ଯୁକ୍ତ ଏବଂ ଲୁଣି ପାଣି। ଜଗତସିଂହପୁର ଜିଲ୍ଲାର ଶିଳ୍ପଭିତ୍ତିକ ସହର ହେଉଛି ପାରାଦୀପ । ତେଣୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଯେଉଁଠି ୪ ବର୍ଷ ତଳେ ୨୮୦ ମିଟର ତଳେ ମଧୁର ଜଳ ମିଳୁଥିଲା ତାହା ଏବେ ୩୦୦ ମିଟରକୁ ଖସି ଯାଇଛି। ଯେଉଁ ବସ୍ତି ବାସିନ୍ଦା ନଳକୂପ, କୂଅ ଉପରେ ନିର୍ଭର କରି ଚଳୁଥିଲେ ସେମାନେ ଏବେ ନିରୁପାୟ। ବାଧ୍ୟ ହୋଇ ପାନୀୟ ଜଳ କିଣୁଛନ୍ତି। ପାରାଦୀପ ବନ୍ଦର ପକ୍ଷରୁ କେତେକ ସ୍ଥାନରେ ସପ୍ଲାଇ ପାଣି ଦେଇଥିଲେ ବି ତାହା ବସ୍ତିବାସିନ୍ଦାଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ। ଗୋଟିଏ ମାଠିଆ ପାଣି ପାଇଁ ପାଖାପାଖି ୨ରୁ ୩ କିଲୋମିଟର ଚାଲିଚାଲି ଯାଇଥାନ୍ତି ବସ୍ତିବାସିନ୍ଦା। ଷଣ୍ଢକୁଦର ୧୭, ୧୮, ୧୯ ନମ୍ବର ଓ୍ଵାର୍ଡରେ ପାଖାପାଖି ୧୦ ହଜାରରୁ ଉର୍ଦ୍ଧ ଲୋକ ରହୁଛନ୍ତି। ଏମାନଙ୍କ ପାଖରେ ସପ୍ଲାଇ ପାଣି ନଥିବାରୁ ସମସ୍ତେ ନଳକୂଅ, କୂଅ ଓ ପୋଖରୀ ଉପରେ ନିର୍ଭର କରିଥାନ୍ତି। ମାତ୍ର ମରାମତି ଅଭାବରୁ ଅନେକ ସ୍ଥାନରେ ଏବେ ନଳକୂପ ଗୁଡିକ ଭାଙ୍ଗିଗଲାଣି। କେତେକ ସ୍ଥାନରେ ଆଇରନ ଯୁକ୍ତ ପାଣି ବାହାରୁଛି। ଯାହାକି ପିଇବା ପାଇଁ ଉପଯୁକ୍ତ ନୁହେଁ। ଏହି ପାଣି କେବଳ ଧୁଆଧୋଇରେ ବ୍ୟବହାର ହେଉଛି।

ଅନେକ ସ୍ଥାନରେ କୂଅ ଗୁଡିକ ପୋତି ହୋଇପଡିଛି। ବାହାର ଡ୍ରେନ ପାଣି ପଶି ପୋଖରୀ ପାଣି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପାଣି ମାଫିଆ ମାନେ ବୋରିଙ୍ଗ କରି ଭୂତଳ ଜଳକୁ ଫିଲଟରିଂ କରି ଜାର ଦ୍ୱାରା ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ସେହିପରି ପାରାଦୀପ ନିକଟରେ ଗଢି ଉଠୁଥିବା ବଡ ବଡ ଶିଳ୍ପାନୁଷ୍ଠାନ ଗୁଡିକ ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରୁଥିବାରୁ ଭୂତଳ ଜଳ ହ୍ରାସ ପାଇବାର ଏହା ଅନ୍ୟ ଏକ କାରଣ ବୋଲି କୁହାଯାଉଛି।

ଜଳ ସଂକଟ ଦୂର ପାଇଁ ପାରାଦୀପ ମ୍ୟୁନିସପାଲିଟି ପକ୍ଷରୁ ୧୨ଟି ଓାର୍ଡ ନୂଆବଜାରର ତେଲେଗୁପଡା, ଷଣ୍ଢକୁଦର ତେଲଗୁପଡା, ମୁଣ୍ଡାପଡା, ଜଗନ୍ନାଥ କଲୋନୀ, ଲୋକନାଥ କଲୋନୀ, ବାଉରିଆ ପାଳନ୍ଦା, ତାରେଣୀଗଡା, ରାଇସମିଲ, ସନ୍ତୋଷୀନଗର, ବାଲିଝରା, ଭିତରଗଡ, ଶୁଖୁଆଖୋଳା, ନେହେରୁ ବଙ୍ଗଳାର ୧୫ଟି ସ୍ଥାନରେ ପାଖାପାଖି ହଜାରେ ଫୁଟର ବୋରିଙ୍ଗ କରାଯାଇଛି। ସ୍ୱତନ୍ତ୍ର ପାନୀୟ ଜଳ ଗୃହ ନିର୍ମାଣ କରାଯାଇ ବସ୍ତି ବାସିନ୍ଦାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ଏଥିପାଇଁ ପ୍ରତିସ୍ଥାନରେ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ମାତ୍ର ବର୍ତ୍ତମାନ ତାହା ଆଉ ପିଇବା ଉପଯୁକ୍ତ ନୁହେଁ। କେଉଁଠି ଲୁଣା ପାଣି ବାହାରୁଛି ତ ଆଉ କେଉଠି ଆଇରନ ଯୁକ୍ତ ପାଣି ବାହାରୁଛି। ଆଉ କେତେକ ସ୍ଥାନରେ ରକ୍ଷଣାବେକ୍ଷଣ ଅଭାବରୁ ଯନ୍ତ୍ରପାତିଗୁଡିକ ଅଚଳ ହୋଇଯାଇଛି।

ସେପଟେ ସମସ୍ୟା ସମ୍ପର୍କରେ ଜଳସଂପଦ ବିଭାଗର ସହକାରୀ ଯନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ସେପତେ ବସ୍ତି ନିକଟରେ ଏନ.ଆର.ଏଲ କମ୍ପାନୀ ଖାଲୁଆ ସ୍ଥାନକୁ ସମୁଦ୍ରରୁ ଡ୍ରେଜିଙ୍ଗ କରି ପୋତିବା ଦ୍ୱାରା ଭୂତଳ ଜଳ ଲୁଣା ପଡୁଥିବା କହିଛନ୍ତି ବୁଦ୍ଧିଜୀବୀ, ସମାଜସେବୀ ଓ ପରିବେଶବିତ। ବର୍ତ୍ତମାନ ଜଳ ସଂକଟ ଦୂର ପାଇଁ ଅଣ୍ଟା ଭିଡିଛି ପାରାଦୀପ ବନ୍ଦର। ତାଳଦଣ୍ଡା କେନାଲରେ ପାଣି କମ ରହୁଥିବାରୁ ସମୁଦ୍ର ପାଣିକୁ ଅତ୍ୟାଧୁନିକ ପଦ୍ଧତିରେ ଜଳ ବିଶୋଧନାଗାର କାରଖାନାରେ ପ୍ରତିଦିନ ୧୬ ନିୟୁତ ଲିଟର ମଧୁର ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପାରାଦୀପ ବନ୍ଦରର ଅଧ୍ୟକ୍ଷ। ଏଥିସହ ବର୍ଷା ଜଳକୁ ସଂରକ୍ଷିତ ରଖି ପାରାଦୀପ ବାସିନ୍ଦାଙ୍କୁ ଯୋଗାଇ ଦିଆଯିବ ଅଧ୍ୟକ୍ଷ କହିଛନ୍ତି। ଏଥିପାଇଁ ୫୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯିବ।

ଆଗକୁ ଖରାଦିନ ଆସୁଛି। ଯଦି ଏବେଠାରୁ ପ୍ରଶାସନ କିମ୍ବା ଜଳସଂପଦ ବିଭାଗ ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ବସ୍ତିବାସିନ୍ଦା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.