Below header

ଗୁରୁପ୍ରିୟା ସେତୁ ହେଲା ଉଦ୍‌ଘାଟନ : ପୂରଣ ହେଲା ବିରାଟ ସ୍ୱପ୍ନ

ମାଲକାନଗିରି : ଏକ ବିରାଟ ସ୍ୱପ୍ନ, ଯାହା ପୂରଣ ହେଲା। ଏକ ବର୍ଷ ବର୍ଷର ଆବଶ୍ୟକତା ଯାହାର ସମାଧାନ ହେଲା। ପାଞ୍ଚ ଦଶନ୍ଧିର ପ୍ରକ୍ରିୟା ପରେ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରେ ଉଦ୍‌ଘାଟନ ହେଲା ଗୁରୁପ୍ରିୟା ସେତୁ। ହସ ଫୁଟିଛି ବିଚ୍ଛିନ୍ନାଞ୍ଚଳବାସୀଙ୍କ ମୁହଁରେ। ଅନେକ ଘାତ ପ୍ରତିଘାତ, ଅନେକ ପ୍ରତିବନ୍ଧକର ସାମନା କରିଛି ଏହି ସେତୁ। କେତେବେଳେ ମାଓବାଦୀଙ୍କ ଭୟ ତ ଆଉ କେତେବେଳେ ପାହାଡ଼ିଆ ନଦୀର ପ୍ରଖର ସ୍ରୋତ ସେତୁ ନିର୍ମାଣରେ ବାଧକ ସାଜିଥିଲା। ପାଣି ଭିତରେ ନିର୍ମାଣ କାମ କରିବା ଆଦୌ ସହଜ ନଥିଲା। ପୁଣି କେତେବେଳେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା ସ୍ଲାବ୍ ଭୁଶୁଡ଼ିବାକୁ ନେଇ। ଏସବୁ ଝଡ଼ଝଞ୍ଜାର ସାମନା କରି ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ଯୋଡ଼ିଛି ଗୁରୁପ୍ରିୟା। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସରିଲା ସେତୁ ନିର୍ମାଣ କାମ। ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସରକାରର ଆଉ ଏକ ବଡ଼ ସଫଳତା କହିଲେ ଭୁଲ ହେବ ନାହିଁ। ଏବେବି ପୋଲକୁ ଜଗି ରହିଛନ୍ତି ସୁରକ୍ଷା ବାହିନୀ।

ଲୋକଙ୍କ ଯାତାୟାତ ସହ ପୋଲର ସୁରକ୍ଷା ସେମାନଙ୍କ ଦାୟିତ୍ୱରେ। ସେତୁ କାର୍ୟ୍ୟକ୍ଷମ ହେବା ପରେ ମାଲକାଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳକୁ ଗମନାଗମନ ସୁବିଧା ହୋଇଛି। ୧୫୧ଟି ଗାଁ ଯୋଡ଼ି ହୋଇଛନ୍ତି। ଆଉ ଦେଶୀ ଡଙ୍ଗା କିମ୍ବା ଲଞ୍ଚ ଉପରେ ନିର୍ଭର କରିବାକୁ ପଡ଼ିବନି ଏଠାକାର ଲୋକଙ୍କୁ। ପହଞ୍ଚୁଛି ବିକାଶର ବାର୍ତ୍ତା। ଏଠାକାର ଲୋକେ ସହଜରେ ପାଉଛନ୍ତି ସରକାରୀ ସୁବିଧା । ଏହା ସହ ମାଓ ଅପରେସନ ପାଇଁ ମଧ୍ୟ ବାଟ ଫିଟିଛି। ସିଲେରୁ ନଦୀର ଉପନଦୀ ଗୁରୁପ୍ରିୟା ଉପରେ ହୋଇଛି ଏହି ସେତୁ। ୧୭୨ କୋଟି ଟଙ୍କାରେ ନିର୍ମାଣ ହୋଇଛି ୯୧୦ ମିଟର ଲମ୍ବର ଗୁରୁପ୍ରିୟା ସେତୁ। ସେତୁରେ ଲାଗିଛି ମୋଟ୍ ୨୪୦ ମିଟର ଷ୍ଟିଲ ଗାର୍ଡର୍। ୧୧ ନମ୍ବର ଖୁଣ୍ଟିରୁ ୧୭ ନମ୍ବର ଖୁଣ୍ଟି ମଧ୍ୟରେ ଏହି ଷ୍ଟିଲ ଗାର୍ଡର୍ ଲାଗିଛି। ୧୨୦ ଟନ୍ ଲୋଡିଂ ଦେଇ ଗାର୍ଡର ଟେଷ୍ଟ କରାଯାଇଥିଲା।

ଏଥିରେ ସେନ୍‌ସିଟିଭ ସେନ୍ସର ମଧ୍ୟ ବ୍ୟବହାର କରାଯାଇଛି। ପୁଣି ସିସିଟିଭି ତୀକ୍ଷଣ ଦୃଷ୍ଟି ରଖିଛି ସମ୍ପୂର୍ଣ୍ଣ ସେତୁ ଉପରେ। ସେତୁକୁ ନେଇ ରାଜ୍ୟ ଭିତରେ ରାଜନୀତି ଜୋର ଧରିଛି ସତ, ହେଲେ ଏସବୁ ଭିତରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଯେଉଁ ଲାଇଫ୍ ଲାଇନ୍ ତିଆରି ହୋଇଛି ତାହା ଅସମ୍ଭବକୁ ସମ୍ଭବ କଲା ଭଳି। ତେବେ ସେତୁ ତ ସରିଛି ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ ଏହାର ସବୁ ଦିନିଆ ସୁରକ୍ଷା ବ୍ୟବସ୍ଥା।

ଗୁରୁପ୍ରିୟା ସେତୁ ପ୍ରଗତିଶୀଳ ଓଡ଼ିଶାର ପ୍ରତୀକ । ୫ ଦଶନ୍ଧି ଧରି ବିଚ୍ଛିନ୍ନାଞ୍ଚଳରେ ଥିବା ୧୫୧ଟି ଗାଁ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଉଦଘାଟନ ପରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଗୁରୁପ୍ରିୟା କେବଳ ଏକ ସେତୁ ନୁହଁ । ଏହା ମାଲକାନଗିରିର ପରିଚୟ ଓ ସ୍ୱାଭିମାନ। ଗୁରୁପ୍ରିୟା ସେତୁ ଜାତୀୟ ଗର୍ବ ଏବଂ ଶାନ୍ତି, ସହଯୋଗ ଓ ଉନ୍ନତିର ପ୍ରତୀକ । ଓଡ଼ିଶାର ସବୁ ଅଞ୍ଚଳକୁ ଯୋଡ଼ିବା ନେଇ ଆମେ ପ୍ରତିଶ୍ରୁତିବଦ୍ଧ । ଗୁରୁପ୍ରିୟା ସେତୁ ଏହାର ଏକ ପ୍ରମାଣ। ଏବେ ସ୍ୱପ୍ନ ସାକାର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ସେତୁ ପାଇଁ ଯେଉଁମାନେ ବଳିଦାନ ଦେଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନବୀନ। କହିଛନ୍ତି, ପ୍ରଗତି ପାଇଁ ଶାନ୍ତି ଜରୁରୀ । ଗୁରୁପ୍ରିୟା ସେତୁ ଶାନ୍ତିର ବାର୍ତ୍ତା ବହନ କରୁଛି । ତେଣୁ ହିଂସା ଛାଡ଼ି ବିକାଶ ପଥ ଗ୍ରହଣ କରିବାକୁ ମାଓବାଦୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ବହୁ ବାଧାବିଘ୍ନ ଭିତରେ ୪ ବର୍ଷର ରେକର୍ଡ ସମୟରେ ସେତୁ ନିର୍ମାଣ ସରିଛି । ଆଜିର ଐତିହାସିକ ଦିନଠାରୁ ଇତିହାସ ହୋଇଯିବ ବିଚ୍ଛିନ୍ନାଞ୍ଚଳ ଶବ୍ଦ । ଆଜିଠାରୁ ଏହା ସ୍ୱାଭିମାନର ଅଞ୍ଚଳ ହେଲା ବୋଲି ନବୀନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.