ହିମାଚଳ ପ୍ରଦେଶର ମା’ ଚିନ୍ତାପୂର୍ଣ୍ଣିଙ୍କ ମନ୍ଦିର, ଯେଉଁଠାରେ ଦେବୀ ଦର୍ଶନ ଦିଅନ୍ତି ନିଆଁ ରୂପରେ
ହିମାଳୟ ପର୍ବତର ପଶ୍ଚିମ ପାର୍ଶ୍ୱରେ ହିମାଚଳ ପ୍ରଦେଶ ଅବସ୍ଥିତ । ପାହାଡିଆ ଅଂଚଳରେ ବସବାସ କରୁଥିବାରୁ ଏଠାକାର ଲୋକ ଯେତିକି ସରଳ ସେତିକି ଈଶ୍ବର ବିଶ୍ୱାସୀ ମଧ୍ୟ । ଏହି ରାଜ୍ୟରେ ବହୁ ଦେବା ଦେବୀଙ୍କ ମନ୍ଦିର ଥିଲେ ମଧ୍ୟ ମା’ ଚିନ୍ତାପୂର୍ଣ୍ଣିଙ୍କ ମନ୍ଦିର ବେଶ ପ୍ରସିଦ୍ଧ।ପାହାଡ ପର୍ବତର ସବୁଜିମା ସହ ମା’ଙ୍କ ମହିମା ଭାରତର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ଏଠାକୁ ଆସିବାକୁ ବିଶେଷ ଭାବେ ଆକର୍ଷିତ କରିଥାଏ । ହିମାଚଳ ପ୍ରଦେଶର ଗୁନା ଜିଲ୍ଲାରେ ମାତାଙ୍କ ମନ୍ଦିର ଅବସ୍ଥିତ । ଏଠାକାର ଜନସାଧାରଣଙ୍କ ବିଶ୍ୱାସ ଅଛି ଯେ ଏଠାକୁ ଯିଏବି ଭକ୍ତ ଆସନ୍ତି ତାଙ୍କର ମନୋସ୍କାମନା ନିଶ୍ଚିତ ପୂର୍ଣ୍ଣ ହୋଇଥାଏ । ଏହା ସହ ଛୋଟଠୁ ବଡ ସମସ୍ତଙ୍କ ମନର ଚିନ୍ତାକୁ ମଧ୍ୟ ମାତା ହରଣ କରିଥାନ୍ତି। ଏହି ମନ୍ଦିର ସହ ଆଉ ଏକ ରହସ୍ୟ ମଧ୍ୟ ଜଡିତ ଅଛି । କୁହାଯାଏ ଯେ ଏଠାକାର ମାତାଙ୍କ ପ୍ରସାଦକୁ ମନ୍ଦିର ପରିସରରେ ଥିବା ଜ୍ୱାଳାଜିଙ୍କ ମନ୍ଦିରର ବାହାରକୁ ନିଆଯାଇପାରିବ ନାହିଁ। ଯଦି କେହି ନେବାର ସାହସ କରନ୍ତି ତେବେ ତାଙ୍କ ସହ ନିଶ୍ଚିତ ରୂପେ କିଛି ଅଶୁଭ ଘଟିଥାଏ। ବିଭିନ୍ନ ପର୍ବପର୍ବାଣୀ ଗୁଡିକରେ ଏଠାରେ ମା’ ଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ ଏହା ସହ ଏଠାରେ ବିଶ୍ୱାସ ଅଛି ଯେ ନବରାତ୍ର ଦିନ ମାନଙ୍କରେ ମାତା ଭକ୍ତ ମାନଙ୍କୁ ଜ୍ୱାଳା ବା ଅଗ୍ନି ରୂପେ ଦର୍ଶନ ଦେଇଥାନ୍ତି। କିଛି ଜଣ ଏହାକୁ ପ୍ରତ୍ୟକ୍ଷ ରୂପେ ଦର୍ଶନ କରିବା ସହ ମାତାଙ୍କ ମହିମାକୁ ଅନୁଭବ ମଧ୍ୟ କରିଛନ୍ତି।
ଏହା ସହ ପଢନ୍ତୁ: ଗଛରୁ ପ୍ରକଟ ହୋଇଥିଲେ ବାଳକ ରୂପୀ ଏହି ହନୁମାନ, ଧୀରେ ଧୀରେ ବଢ଼ୁଛି ମୂର୍ତ୍ତିର ଆକାର
ହିମାଚଳ ପ୍ରଦେଶର ଧର୍ମଶାଳା ନିକଟରେ ମାତା ଚାମୁଣ୍ଡାଙ୍କ ମନ୍ଦିର ମଧ୍ୟ ଅଛି। ଏହା ଠିକ ନିକଟରେ ଏକ ଶ୍ମସାନ ଅଛି।ଏହି ଶ୍ମାଶନଟିରେ ପ୍ରତିଦିନ ଅତିକମରେ ଗୋଟିଏ ଚିତା ଜଳାଇବା ବିଧେୟ ଅଟେ । ପାଖ ଆଖ ଗାଁରେ କାହାର ମୃତ୍ୟୁ ହେଲେ ସେମାନେ ଏହିଠାରେ ଶବ ଦାହ କରିଥାନ୍ତି। ଯଦି କୌଣସି ଦିନ ପାଖ ଆଖରେ କାହାର ମୃତ୍ୟୁ ନ ହୋଇଛି ତେବେ କିଛି କାଠ ଗୁଡିକୁ ଏକାଠି କରି ଚିତା ରୂପେ ଜଳା ଯାଇଥାଏ |ତାହା ନକଲେ ନିଶ୍ଚିତ ସେଦିନ କୌଣସି ନା କୌଣସି ଅଘଟଣ ଘଟିବ ବୋଲି ଆଶଙ୍କା କରାଯାଏ।