ସମ୍ରାଟ ବିକ୍ରମାଦିତ୍ୟଙ୍କ ସହ ଜଡ଼ିତ ଉଜ୍ଜୟନୀର ଏହି ହରସିଦ୍ଧି ମନ୍ଦିର, ଇତିହାସ ଓ କିମ୍ବଦନ୍ତୀର ଅପୂର୍ବ ସମନ୍ଵୟ

ଦେଶରେ ଥିବା ବହୁ ମନ୍ଦିର ସହ ଜଡିତ ରହିଛି ଅନେକ ପୌରାଣିକ କିମ୍ବଦନ୍ତୀ ଓ ଇତିହାସର ଫର୍ଦ୍ଦ । ଏହା ମଧ୍ୟରେ ରହିଛି ଉଜ୍ଜୟନୀର ମହାକାଳ କ୍ଷେତ୍ରରେ ମାତା ହରସିଦ୍ଧିଙ୍କ ପ୍ରାଚୀନ ମନ୍ଦିର । କୁହାଯାଏ ଏହି ସ୍ଥାନ ସମ୍ରାଟ ବିକ୍ରମାଦିତ୍ୟଙ୍କ ତପୋଭୂମି । ଏଠାରେ ସମ୍ରାଟ ବିକ୍ରମାଦିତ୍ୟ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତି ୧୨ ବର୍ଷରେ ନିଜ ହାତରେ ନିଜ ମସ୍ତକର ବଳି ଚଢ଼ାଉଥିଲେ । ହେଲେ ପ୍ରତିଥର ତାଙ୍କର ମସ୍ତକ ପୁଣି ତାଙ୍କ କାନ୍ଧକୁ ଫେରି ଆସୁଥିଲା । ୧୧ ଥର ସମ୍ରାଟ ଏପରି କରିଥିଲେ ମଧ୍ୟ ଏହା ତାଙ୍କ କାନ୍ଧକୁ ଫେରିଆସିଥିଲା । ହେଲେ ଦ୍ୱାଦଶ ଥର ଏହା ତାଙ୍କ କାନ୍ଧକୁ ଫେରି ନଥିଲା । ସେହିଠାରୁ ତାଙ୍କର ଶାସନ ସମାପ୍ତି ହୋଇଥିଲା ବୋଲି କିମ୍ବଦନ୍ତୀ କୁହେ । ସମ୍ରାଟ ବିକ୍ରମାଦିତ୍ୟ ୧୩୫ ବର୍ଷ ଶାସନ କରିଥିଲେ । କୁହାଯାଏ ସମ୍ରାଟ ବିକ୍ରମାଦିତ୍ୟଙ୍କର ଏହି ମସ୍ତକ ସେବେଠାରୁ ମନ୍ଦିର ପଛରେ ଏକ କୋଣରେ ସିନ୍ଦୁର ଚଢ଼ାଯାଇ ରଖାଯାଇଛି ।

କିମ୍ବଦନ୍ତୀ କୁହେ, ଉଜ୍ଜୟନୀର ରକ୍ଷା ପାଇଁ ଆଖପାଖର ଦେବୀଙ୍କ ସହ ହରସିଦ୍ଧି ଦେବୀ ମଧ୍ୟ ପହରା ଦିଅନ୍ତି । ମା’ ସତୀଙ୍କ କହୁଣୀର କିଛି ଅଂଶ ଏଠାରେ ପଡିଥିବାରୁ ଏହାକୁ ଏକ ଶକ୍ତି ପୀଠ ବୋଲି ମଧ୍ୟ ମନାଯାଏ । ପୁରାଣରେ ଏହି ଦେବୀ ମନ୍ଦିରର ବର୍ଣ୍ଣନ ମଧ୍ୟ ରହିଛି ।

ଉଜ୍ଜୟନୀରେ ରହିଥିବା ଦୁଇଟି ଶକ୍ତି ପୀଠ ମଧ୍ୟରୁ ପ୍ରଥମ ହରସିଦ୍ଧି ମାତା ଓ ଦ୍ୱିତୀୟ ହେଉଛନ୍ତି ମାତା ଗଡ଼କାଳିକା । ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି ଯେ ସିପ୍ରା ନଦୀ କୂଳରେ ଭୈରବ ପର୍ବତ ଉପରେ ଭଗବତୀ ସତୀଙ୍କ ଓଠ ପଡ଼ିଥିଲା । ଯିଏକି ମାତା ଗଡ଼କାଳିକା ରୁପରେ ପ୍ରଖ୍ୟାତ ।

କୁହାଯାଏ ଚଣ୍ଡ ମୁଣ୍ଡ ନାମକ ଦୁଇ ଦୈତ୍ୟ ଏଠାରେ ଆତଙ୍କ ରଚାଉଥିଲେ । ଦୁହେଁ କୈଳାସ ଉପରେ ଆକ୍ରମଣ ମଧ୍ୟ କରିଦେଲେ । ଏହି ସମୟରେ ଭଗବାନ ଶିବ ଓ ମାତା ପାର୍ବତୀ ଦ୍ୟୁତ କ୍ରୀଡ଼ାରେ ବ୍ୟସ୍ତ ଥିଲେ । ଦୈତ୍ୟ ଦୁହେଁ ନନ୍ଦୀଗଣଙ୍କୁ ମାରି ଭିତରେ ପ୍ରବେଶ କରିବାକୁ ଉଦ୍ୟତ ହେବାରୁ ଭଗବାନ ଶିବ ଏହା ଜାଣିପାରିଲେ । ମାତା ଚଣ୍ଡୀଙ୍କୁ ସ୍ମରଣ କଲେ । ମାତା ଚଣ୍ଡୀ ଆସି ଦୈତ ଦୁହିଁଙ୍କୁ ବଦ୍ଧ କରି ଭଗବାନ ଶିବଙ୍କ ନିକଟରେ ପହଞ୍ଚିବାରୁ ମହାଦେବ ପ୍ରସନ୍ନ ହେଲେ । ସେବେ ଠାରୁ ସେ ହରସିଦ୍ଧି ନାମରେ ଖ୍ୟାତି ଅର୍ଜ୍ଜନ କରିବେ ବୋଲି ବରଦେଲେ । ସେହିଦିନ ଠାରୁ ଉଜ୍ଜୟନୀର ମହାକାଳ ବନରେ ମାତା ହରସିଦ୍ଧି ନାମରେ ବିରାଜମାନ ଅଛନ୍ତି ।

ଏହି ମନ୍ଦିର ଏକ ପ୍ରାଚୀନ ଶକ୍ତି ପୀଠ ଭାବେ ମାନ୍ୟତା ପାଇଛି ।  ଓରଛା ଷ୍ଟେଟ୍‌ ଗେଜେଟରେ ପୃଷ୍ଟା ୮୨/୮୩ରେ ମଧ୍ୟ ଏହି ମନ୍ଦିର ଓ ଦେବୀ ହରସିଦ୍ଧିଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି ।  ଏଠାକୁ ଯେଉଁ ଭକ୍ତ ଆସନ୍ତି ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ପୁରାଣରେ ମଧ୍ୟ ଏହି ମନ୍ଦିର ସମ୍ପର୍କରେ ଉଲ୍ଲେଖ ରହିଛି ବୋଲି କୁହାଯାଏ । ଶ୍ରୀ ସୁକ୍ତ ଓ ବେଦୋକ୍ତ ମନ୍ତ୍ରରେ ଏଠାରେ ମାତାଙ୍କ ପୂଜା କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.