ଆମ ଶରୀର କେତିକି ଆବଶ୍ୟକ କରେ ଲୁଣ? WHO ରିପୋର୍ଟରୁ ଆଶ୍ଚର୍ଯ୍ୟଜନକ ଖୁଲାସା; ଆମେ ଚାହିଁଲେ ରକ୍ଷା ହୋଇ ପାରିବ ୨୫ ଲକ୍ଷ ଲୋକଙ୍କ ଜୀବନ

ମିଠାକୁ ଛାଡ଼ି ଘରେ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ଖାଦ୍ୟରେ ଲୁଣ ବ୍ୟବହୃତ ହୋଇଥାଏ। ଲୁଣ ବିନା ଖାଦ୍ୟ ସ୍ୱାଦହୀନ ହୋଇଯାଏ। ଲୁଣ ଏମିତି ଏକ ଜିନିଷ, ଏହା କେବଳ ଆପଣଙ୍କ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ବରଂ ଶରୀରକୁ ମଧ୍ୟ ସ୍ୱାସ୍ଥ୍ୟକର କରିଥାଏ ଏବଂ ପୋଷଣ ପ୍ରଦାନ କରିଥାଏ। ତଥାପି ଏହାକୁ ଅତ୍ୟଧିକ ମାତ୍ରାରେ ସେବନ କଲେ ମଣିଷକୁ ହୃଦଘାତ ଆସିପାରେ।

ପ୍ରତିଦିନ ଅତି ବେଶିରେ ୫ ଗ୍ରାମ ଲୁଣ ଖାଆନ୍ତୁ

ପ୍ରଶ୍ନ ଉଠୁଛି କି, ଆମେ ଦିନକୁ କେତେ ଲୁଣ ଖାଇବା ଉଚିତ୍। WHO ମୁତାବକ, ଜଣେ ସୁସ୍ଥ ବ୍ୟକ୍ତିକୁ ପ୍ରତିଦିନ ଅତି ବେଶିରେ ୫ ଗ୍ରାମ ଲୁଣ ଖାଇବା ଉଚିତ୍। ଯଦି ଏହାଠାରୁ ଅଧିକ ଲୁଣ ଖାଉଛନ୍ତି, ତା’ ହେଲେ ଆପଣ ସିଧାସଳଖ ହୃଦଘାତ ଏବଂ ଉଚ୍ଚ ରକ୍ତଚାପକୁ ଆମନ୍ତ୍ରଣ କରୁଛନ୍ତି।

ଶରୀରକୁ ଆବଶ୍ୟକ ସୋଡିୟମ୍-ପୋଟାସିୟମ୍

WHO ମୁତାବକ, ଜଣେ ବ୍ୟକ୍ତିକୁ ଫିଟ୍ ରହିବା ପାଇଁ ଉଭୟ ସୋଡିୟମ୍ ଏବଂ ପୋଟାସିୟମ୍ ଆବଶ୍ୟକ ହୋଇଥାଏ। ଯଦି ଜଣେ ବ୍ୟକ୍ତି ଦୈନିକ ୫ ଗ୍ରାମ ପର୍ଯ୍ୟନ୍ତ ଲୁଣ ଖାଏ, ତା’ ହେଲେ ତାକୁ ଏହି ଉଭୟ ଜିନିଷ ସମାନ ପରିମାଣରେ ମିଳିଥାଏ। ଅନ୍ୟପକ୍ଷରେ, ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା ଅଧିକ ହୋଇ ଯାଇଥାଏ, ଯଦ୍ଦ୍ଵାରା ହାଡ ଦୁର୍ବଳ ହେବାକୁ ଲାଗିଥାଏ ଏବଂ ଉଚ୍ଚ ରକ୍ତଚାପର ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଆଉ ଯଦି ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଦିଏ, ତା’ ହେଲେ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢ଼ି ଯାଇଥାଏ।

ପ୍ରତିବର୍ଷ ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ

WHOର ଅଧ୍ୟୟନ ରିପୋର୍ଟ ମୁତାବକ, ଲୁଣ ଅଧିକ ଖାଇବା ଦ୍ୱାରା ପ୍ରତିବର୍ଷ ପାଖାପାଖି ୩୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। କାହିଁକିନା, ଦୁନିଆର ଅନେକ ଲୋକ ଦୈନିକ ୯ରୁ ୧୨ ଗ୍ରାମ ପର୍ଯ୍ୟନ୍ତ ଲୁଣ ସେବନ କରିଥାଆନ୍ତି, ଯାହାକି ଆବଶ୍ୟକତାଠାରୁ ପ୍ରାୟ ଦୁଇଗୁଣ ଅଧିକ ହୋଇଥାଏ। ଯଦି ଲୁଣ ସେବନ କମ୍‌ କରି ଦିଆଯିବ, ତା’ ହେଲେ ପାଖାପାଖି ୨୫ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇ ପାରିବ।

କେମିତି ଖାଇବେ ଲୁଣ

-ଖାଦ୍ୟ ପ୍ରସ୍ତୁତ କରିବା ସମୟରେ କମ୍ ଲୁଣ ପକାନ୍ତୁ।

-ଖାଦ୍ୟ ଟେବୁଲ ଉପରେ ଲୁଣ ଡବା ରଖନ୍ତୁ ନାହିଁ।

-ଚିପ୍ସ, କୁର୍‌କୁରେ ଭଳି ଲୁଣିଆ ସ୍ୱାଦଯୁକ୍ତ ସ୍ନାକ୍ସ କମ୍‌ ଖାଆନ୍ତୁ।

-କମ୍ ସୋଡିୟମ୍ ଯୁକ୍ତ ଖାଦ୍ୟ ସାମଗ୍ରୀ କିଣନ୍ତୁ।

ବଢ଼ୁଛି ଉଚ୍ଚ ରକ୍ତଚାପ ସମସ୍ୟା

ବିଶେଷଜ୍ଞ ଡାକ୍ତରଙ୍କ ମୁତାବକ, ଲୁଣ ଦୁଇଟି ଜିନିଷର ମିଶ୍ରଣରୁ ତିଆରି ହୋଇଥାଏ। ଏଥିରେ ଦୁଇଟି ପ୍ରମୁଖ ଉପାଦାନ ସୋଡିୟମ୍ ଏବଂ ପୋଟାସିୟମ୍ ରହିଥାଏ। ସାଧାରଣତଃ ଯେଉଁ ଲୁଣ ଆମେ ଖାଇଥାଉ, ସେଥିରେ ସୋଡିୟମର ପରିମାଣ ବହୁତ ଅଧିକ ଏବଂ ପୋଟାସିୟମର ପରିମାଣ ବହୁତ କମ୍ ଥାଏ। ଏମିତିରେ ଅଧିକ ମାତ୍ରାରେ ସୋଡିୟମ୍ ସେବନ କରୁଥିବା ଲୋକେ ରକ୍ତଚାପର ଅଧିକ ଶିକାର ହୋଇ ଥାଆନ୍ତି। ଏମିତି ଲୋକଙ୍କ ଉପରେ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ମଧ୍ୟ ସବୁବେଳେ ଲାଗି ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.