ଜଣେ ହିନ୍ଦୁ ଜଣେ ମୁସଲମାନ୍ ! କିଏ ସେହି ଦୁଇ ବ୍ୟକ୍ତି ଯିଏ କରିଥିଲେ ହିନ୍ଦୁସ୍ତାନ ଓ ପାକିସ୍ତାନ ମଧ୍ୟରେ ସମ୍ପତ୍ତି ବିଭାଜନ

ଭାରତ ସ୍ୱାଧୀନତା ପାଇବାର ୭୧ ବର୍ଷ ପୁରା ହେଉଛି । ଏହି ସମୟ ଭିତରେ ଦେଶ ଅନେକ ଉତ୍ଥାନ ପତନର ସାମ୍ନା କରିଛି । ରାଜନୀତି, ଅର୍ଥନୀତି କ୍ଷେତ୍ରରେ ଦେଶ ଆଗକୁ ଯାଇଛି । ଆଜି ସାରା ବିଶ୍ୱରେ ଅନ୍ୟ ଦେଶମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆହୋଇପାରୁଛି ଆମ ଦେଶ । ଲମ୍ବା ସଂଘର୍ଷ ପରେ ଇଂରେଜଙ୍କ କବଳରୁ ମୁକ୍ତ ହୋଇଥିଲା ଆମ ଦେଶ । ତେବେ ଦେଶ ବିଭାଜନ ସମୟରେ ଅନେକ କିଛି ଘଟଣା ଦୁର୍ଘଟଣା ହୋଇଥିଲା । ହେଲେ ଦେଶର ବିଭାଜନ କଥା ସମସ୍ତେ ଜାଣନ୍ତି । କିନ୍ତୁ ବିଭାଜନ ସମୟରେ ସମ୍ପତ୍ତି କେମିତି ବଂଟା ଯାଇଥିଲା ତାହା ବୋଧେ ଖୁବ୍ କମ୍ ଲୋକ ଜାଣନ୍ତି ।
ଭାରତ ଏବଂ ବିଭାଜନ ପରେ ଏକ ନୂଆ ଦେଶର ରୂପ ନେଇଥିବା ପାକିସ୍ତାନ ମଧ୍ୟରେ ସମ୍ପତ୍ତି ବଂଟାକୁ ନେଇ କୌଣସି ସହମତି ହୋଇପାରୁନଥିଲା । ଯାହା ମାଉଂଟବେଟେନଙ୍କ ଚିନ୍ତାର କାରଣ ହୋଇଥିଲା । ଖୁବ୍ ତର୍କ ବିତର୍କ ପରେ ଉଭୟ ଦେଶ ମଧ୍ୟରେ ସମ୍ପତ୍ତି ବାଣ୍ଟିବା ପାଇଁ ଦୁଇ ଜଣଙ୍କୁ ବଛା ଯାଇଥିଲା ।
ସମ୍ପତ୍ତି ବାଣ୍ଟିବା ଦାୟିତ୍ବ ଜଣେ ହିନ୍ଦୁ ଏବଂ ଜଣେ ମୁସଲମାନଙ୍କୁ ମିଳିଥିଲା :
ମାଉଂଟବେଟେନ୍ ସମ୍ପତ୍ତି ବାଂଟିବା ଦାୟିତ୍ବ ଯେଉଁ ଦୁଇ ଜଣଙ୍କୁ ଦେଇଥିଲେ ଉଭୟ ପେଷାରେ ଓକିଲ ଥିଲେ । ଉଭୟ ଖୁବ୍ ଅନୁଭବୀ ଅଧିକାରୀ ଥିଲେ । ଗୋଟିଏ ପ୍ରକାର ସରକାରୀ ବଙ୍ଗଳାରେ ରହୁଥିଲେ । ଗୋଟିଏ ପ୍ରକାର ସେଭ୍ରୋଲେଟ୍ ଗାଡିରେ ଅଫିସ୍ ଯାଉଥିଲେ । ଆଉ ଅଫିସ୍ ଅଳ୍ପ ଦୂରତାରେ ଥିଲା । ଆଉ ଉଭୟଙ୍କ ମଧ୍ୟରୁ ଜଣେ ମୁସଲମାନ ଏବଂ ଜଣେ ହିନ୍ଦୁ ଥିଲେ । ଏହି ଦୁଇ ଜଣ ଥିଲେ ଚୌଧୁରୀ ମହମ୍ମଦ ଅଲ୍ଲୀ ଏବଂ ଏଚଏମ ପଟେଲ୍ ।
ସମ୍ପତ୍ତି ବାଣ୍ଟିବା ପାଇଁ ଉଭୟଙ୍କୁ ଗୋଟିଏ ରୁମରେ ବନ୍ଦ କରିଦିଆଯାଇଥିଲା :
ସମ୍ପତ୍ତି ବିଭାଜନ ପାଇଁ ଉଭୟଙ୍କୁ ଅଣା ତ ଯାଇଥିଲା ହେଲେ ସବୁଠାରୁ ବଡ଼ କଥା ଥିଲା କରଜ ରାଶି କିଏ ସୁଝିବ । ଇଂରେଜଙ୍କ ଉପରେ ପ୍ରାୟ ୫ ଆରବ ଡଲାରର ଋଣ ଥିଲା । ଉଭୟ ଦେଶ ମଧ୍ୟରେ ସମସ୍ୟା ଏହା ଥିଲା ଯେ ଏହି ଟଙ୍କାକୁ କିଏ ସୁଝିବ । ଏହି ବିବାଦ ଏତେ ବଢି ଯାଇଥିଲା ଯେ ଏଚ୍ ଏମ୍ ପଟେଲ୍ ଏବଂ ମହମ୍ମଦ ଅଲ୍ଲୀଙ୍କୁ ସରଦାର ପଟେଲଙ୍କ ଗୋଟିଏ ଘରେ ବନ୍ଦ କରିଦିଆଯାଇଥିଲା । ଆଉ ନିଷ୍ପତ୍ତି ହେଲା ଯେ ଯାଏ କୌଣସି ନିଷ୍କର୍ସ ନବାହାରିଛି ସେଯାଏ ଉଭୟ ସେହି ରୁମରେ ହିଁ ରହିବେ । ଦୀର୍ଘ ଦିନର ପରିଶ୍ରମ ପରେ ଉଭୟ ଏହି ନିଷ୍କର୍ସରେ ପହଂଚିଥିଲେ ଯେ ବ୍ୟାଙ୍କରେ ଥିବା ନଗଦ ରାଶି ଏବଂ ଇଂରେଜଙ୍କ ଠାରୁ ମିଳିବାକୁ ଥିବା ବଣ୍ଡର ୧୭.୫ ପ୍ରତିଶତ ପାକିସ୍ତାନକୁ ମିଳିବ ଏବଂ ଭାରତର ଥିବା ଋଣର ୧୭.୫ ପ୍ରତିଶତ ସେ ସୁଝିବ ।
ସେଫାରୁ ନେଇ କମୋଡ ଯାଏ ହୋଇଥିଲା ବିଭାଜନ :
ବିଭାଜନ କେବଳ ଦେଶର ହୋଇନଥିଲା ବରଂ ସୋଫା, ଚେୟାର୍, ମେଜ, କମୋଡ୍ , ସାଇକେଲ୍ ପାଣି ପିଇବା ସ୍ଥାନର ମଧ୍ୟ ହୋଇଥିଲା । ଆଉ ଏହି ସବୁ ଜିନିଷର ବିଭାଜନ ସମୟରେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା । ଏପରିକି ଏହି ଅଧିକାରୀମାନେ ଭଲ ଟାଇପରାଇଟରକୁ ଲୁଚାଇ ଦେଇଥିଲେ ମଧ୍ୟ । ଏହା ସହ ଦୁଆତ ସ୍ଥାନରେ ପାଣି ମଧ୍ୟ ରଖିବାକୁ ମଧ୍ୟ ପଛାଇନଥିଲେ । କଂଟା ଛୁରୀ ମଧ୍ୟରେ ବିଭାଜନ କରିବାକୁ ପଛାଇନଥିଲେ ଉଭୟ ଦେଶ । କେବଳ ଗୋଟିଏ ଜିନିଷ ପାକିସ୍ତାନ ନେବାକୁ ଚାହିଁନଥିଲା ତାହା ଥିଲା ମଦ । ମଦ ଆସିଥିଲା ଭାରତ ଭାଗରେ ଏବଂ ପାକିସ୍ତାନକୁ ଏହା ବଦଳରେ ଟଙ୍କା ମିଳିଥିଲା ।