୫ ବର୍ଷ ବି ତିଷ୍ଠିଲାନି ଇମ୍ରାନ୍‌ଙ୍କ ସରକାର: ଜାଣନ୍ତୁ ସଫଳ କ୍ୟାପ୍‌ଟେନ୍‌ରୁ ପ୍ରଧାନମନ୍ତ୍ରୀ ଯାଏଁ, କେମିତି ଥିଲା ଯାତ୍ରା

ଇମ୍ରାନ୍‌ ଖାନ୍‌। ସବୁ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ଆସିଥିବା ପାକିସ୍ତାନ୍‌ର ଏହି କ୍ରିକେଟର ଏବେ ରାଜନୀତିରେ କିନ୍ତୁ ହାରି ଯାଇଛନ୍ତି। କ୍ରିକେଟ୍‌ ଖେଳୁଥିବା ବେଳେ ସେ ପିଚ୍‌ରେ ବଡ଼ ବଡ଼ ବୋଲରଙ୍କୁ ଧୂଳି ଚଟାଇ ଦେଉଥିଲେ। ସବୁ ଚ୍ୟାଲେଞ୍ଜର ସାମ୍ନା କରୁଥିଲେ। କିନ୍ତୁ ରାଜନୀତିରେ ତାଙ୍କ ଯାତ୍ରା ଏତେଟା ଖାସ୍‌ ନଥିଲା। ପ୍ରଧାନମନ୍ତ୍ରୀ ପଦ ତ ଅଳଙ୍କୃତ କଲେ। କିନ୍ତୁ ପୂରା କାର୍ଯ୍ୟକାଳ ଯାଏଁ ତିଷ୍ଠି ପାରି ନାହାନ୍ତି। ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଭାଙ୍ଗିଛି ଇମ୍ରାନ୍‌ଙ୍କ ସରକାର। ଏବେ ଦେଶରେ ଆଉ କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ। ତେବେ ଆସନ୍ତୁ ଜାଣିବା ପାକିସ୍ତାନର ଓ୍ଵାର୍ଲ୍ଡ ଚାମ୍ପିୟନ୍‌ କ୍ୟାପ୍‌ଟେନ୍‌ରୁ ପ୍ରଧାନମନ୍ତ୍ରୀ ହେବା ଯାଏଁ ଇମ୍ରାନ୍‌ ଖାନ୍‌ଙ୍କ ପୂରା ଯାତ୍ରା…

୧୯୫୨ ଅକ୍ଟୋବର ୫ ତାରିଖରେ ପାକିସ୍ତାନର ଏକ ବଡ଼ ପରିବାରରେ ଇମ୍ରାନ୍‌ଙ୍କ ଜନ୍ମ। ୪ ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ସାନ ଥିଲେ ସେ। ଏଣୁ ଭାରି ଗେହ୍ଲାରେ ବଢ଼ିଥିଲେ। ପାକିସ୍ଥାନଓ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ରେ ପଢ଼ା ଶେଷ କରିଥିଲେ ଇମ୍ରାନ୍‌। ବଡ଼ ଭାଇମାନେ କ୍ରିକେଟ୍‌ ଖେଳୁଥିବାରୁ ପିଲା ଦିନୁ ହିଁ ତାଙ୍କର କ୍ରିକେଟ୍‌ ପ୍ରତି ରୁଚି ଥିଲା। ଏଣୁ ଏଥିରେ କ୍ୟାରିୟର କରିବାକୁ ଚିନ୍ତା କରିଥିଲେ ଇମ୍ରାନ୍‌।

୧୯୭୧ରେ ସେ ପାକିସ୍ତାନରେ ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ତା’ପରେ ଉଚ୍ଚ ଶିକ୍ଷା ପାଇଁ ଖେଳରୁ ବିରତି ନେଇ ସେ କିଛି ଦିନ ୟୁକେ ଚାଲିଯାଇଥିଲେ। ପଢ଼ା ସରିବା ପରେ ୧୯୮୦ରେ ସେ ପୁଣିଥରେ ପଡ଼ିଆକୁ ଫେରିଥିଲେ। ତାଙ୍କ ଖେଳ ଉଚ୍ଚ କୋଟିର ଥିବାରୁ ୧୯୮୨ ମସିହାରେ ତାଙ୍କୁ ଟିମ୍‌ର କ୍ୟାପ୍‌ଟେନ୍‌ କରିଦିଆଯାଇଥିଲା। ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନ ମୋଟ୍‌ ୮୯ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛି। ତାଙ୍କ କ୍ୟାରିୟରର ସବୁଠୁ ସଫଳ ବର୍ଷ ଥିଲା ୧୯୯୨। ଏହି ବର୍ଷ ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନ୍‌ ବିଶ୍ୱକପ୍‌ ଜିତିଥିଲା। ଏତେ ବଡ଼ ସଫଳତା ପରେ ସେହି ବର୍ଷ ହିଁ ଇମ୍ରାନ୍‌ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଯାଇଥିଲେ।


ଖେଳ ଛାଡ଼ିବାର ୪ ବର୍ଷ ପରେ ସେ ରାଜନୀତି ଦୁନିଆରେ ପାଦ ରଖିଥିଲେ। ୧୯୯୬ ମସିହାରେ ଗଢ଼ିଥିଲେ ନିଜ ପାର୍ଟି ତହରିକ୍‌ ଏ ଇନ୍‌ସାଫ୍‌। ଏଇଠୁ ଆରମ୍ଭ ହୋଇଥିଲା ଇମ୍ରାନ୍‌ ଖାନ୍‌ଙ୍କ କ୍ରିକେଟରରୁ ରାଜନେତା ବନିବା ଯାତ୍ରା। ୨୦୦୨ ରେ ସେ ପ୍ରଥମ ଥର ସାଂସଦ ହୋଇଥିଲେ। ୨୦୦୭ରେ ଜେନେରାଲ ପରଭେଜ୍‌ ମୁଶାରଫଙ୍କ ବିରୋଧରେ ଆଲୋଚନା କରିବାରୁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ପରେ ୨୦୧୩ରେ ତାଙ୍କୁ ନ୍ୟାସନାଲ ଆସେମ୍ବଲି ପାଇଁ ଚୟନ କରାଯାଇଥିଲା। ଏହି ସମୟରେ ତାଙ୍କ ପାର୍ଟି ପାକିସ୍ତାନର ଦ୍ୱିତୀୟ ରାଜନୈତିକ ଦଳ ବନିଥିଲା।

୨୫ ଜୁଲାଇ ୨୦୧୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଘୋଷଣା ହୋଇଥିଲା। ଏଥିରେ ୫ଟି ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ ଇମ୍ରାନ୍‌। ଏହି ବର୍ଷ ୧୧୬ଟି ସିଟ୍‌ରେ ତାଙ୍କ ଦଳ ବିଜୟୀ ହୋଇଥିଲା ଓ ବନିଯାଇଥିଲା ପାକିସ୍ତାନର ସବୁଠୁ ବଡ଼ ରାଜନୈତିକ ଦଳ। ଏଣୁ ଦଳର ମୁଖ୍ୟ ଭାବେ ୬ ଅଗଷ୍ଟ ୨୦୧୮ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କ ନାଁ ନୋମିନେଟ୍‌ ହୋଇଥିଲା। ଆଉ ଶେଷରେ ୧୮ ଅଗଷ୍ଟ ୨୦୧୮ରେ ପ୍ରଥମ ଥର ପାଇଁ ପାକିସ୍ତାନର ବଜିର ଏ ଆଜମ୍‌ ବା ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ ଇମ୍ରାନ୍‌ ଖାନ୍‌।

imran
Photo: Tribune India

 

ତାଙ୍କ ସରକାର ଗଠନ ହେବାକୁ ବିରୋଧୀ ଦଳ ସହଜରେ ଗ୍ରହଣ କରିପାରିନଥିଲେ। ଏଣୁ ୨୦୨୦ରେ ଏକ ମେଣ୍ଟ ଗଠନ କରିଥିଲେ। ଯାହାର ନାଁ ରଖାଯାଇଥିଲା ପାକିସ୍ତାନୀ ଡେମୋକ୍ରାଟିକ୍‌ ମୁଭମେଣ୍ଟ(ପିଡିଏମ୍‌)। ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଜାଲିଆତି କରାଯାଇଥିଲା ଓ କେବଳ ସାମରିକ ବାହିନୀ ପାଇଁ ହିଁ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ହୋଇଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏଣୁ ତାଙ୍କୁ ଗାଦିରୁ ହଟାଇବା ପାଇଁ ଆରମ୍ଭ ହୋଇଥିଲା ଅଭିଯାନ।

ଅନ୍ୟପଟେ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ପଦରେ ବସିବା ପରଠାରୁ ଦେଶର ଅର୍ଥନୀତି ଭୁଶୁଡ଼ିବାରେ ଲାଗିଥିଲା। ଫଳରେ ଲୋକେ ତାତିଥିଲେ ଓ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଆରମ୍ଭ କରି ଦେଇଥିଲେ। ତେବେ ସତ କଥା ହେଉଛି ପାକିସ୍ତାନରେ ସ୍ୱାଧୀନତା ପରଠାରୁ ହିଁ ସାମରିକ ବାହିନୀର ଦବ୍‌ଦବା ରହିଛି। କହିବାକୁ ଗଲେ, ପାକିସ୍ତାନର ସେନା ବାହିନୀ ହିଁ ଦେଶର ନେତା କିଏ ହେବେ ତାହା ନିର୍ଦ୍ଧାରିତ କରିଥାନ୍ତି। ଏସବୁ କନ୍ଦଳ ଓ ମତ ଭେଦ ଭିତରେ ଏବେ ଇମ୍ରାନ୍‌ ଖାନ୍‌ଙ୍କୁ ବାଧ୍ୟ ହୋଇ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗାଦି ଚ୍ୟୁତ ହେବାକୁ ପଡ଼ିଛି।

Also Read: ‘ମା’ ମୁଁ ଭଲ ପିଲା ହେବି,ଆଉ ତମକୁ ସ୍ୱର୍ଗରେ ଭେଟିବି’; ଯୁଦ୍ଧରେ ମା’ଙ୍କୁ ହରାଇବା ପରେ ଏମିତି ଆବେଗଭରା ଚିଠି ଲେଖିଛି ୯ ବର୍ଷର କୁନି ଝିଅ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.