Below header

ଜଗିଛି ଗଜରାଜ! ରାସ୍ତା ଉପରେ ଗାଡି ରଖିଥିଲେ ହୋଇଯାଆନ୍ତୁ ସାବଧାନ୍

ବେଙ୍ଗାଲୁରୁ: ଲୋକଙ୍କ ସୁରକ୍ଷା ପାଇଁ ସରକାର ଯେତେ ଟ୍ରାଫିକ ନିୟମ ତିଆରି କରୁଥିଲେ ମଧ୍ୟ କିଛି ଅମାନିଆ କିନ୍ତୁ ଏହାକୁ ମାନିବାକୁ ନାରାଜ। କଥାରେ ଅଛି ନା, ଯେତେ କହିଲେ ଭାଗବତ ତୋଷ ନୋହିବ ମୋର ଚିତ୍ତ । ଯେତେ ସଚେତନ କଲେ କଣ ହେବ ଲୋକଙ୍କ ଉପରେ ପ୍ରଭାବ ଶୂନ। ଏହି କାରଣରୁ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ଅମାନିଆଙ୍କ ଯୋଗୁ ନୀରିହ ଲୋକଙ୍କର ବି ଜୀବନ ଯାଉଛି। ବେଳେବେଳେ ରାସ୍ତାରେ ଆମେ ଗୋଟିଏ ବାଇକରେ ୪ ଜଣ ବସି ଯାଉଥିବାର ଦେଖିଥାଉ। ମନ ଇଚ୍ଛା ନୋ ପାର୍କିଙ୍ଗ ଲେଖାଥିଲେ ବି ଘଣ୍ଟାଘଣ୍ଟା ଧରି ଗାଡି ରଖିଦେଇ ବୁଲୁଥାଉ। ଯାହାଫଳରେ ପୋଲିସ୍ ବିଭାଗ ପକ୍ଷରୁ ଚାଲାଣ କାଟିବା ଏକ ପ୍ରକାରର ନିଶ୍ଚିତ ଥାଏ। ପୋଲିସ ହାତରେ ଧରା ପଡ଼ିବା ଡର ଥିଲେ ମଧ୍ୟ ଲୋକମାନେ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରିଥାନ୍ତି।

ତେବେ ଏଦିଗରେ ଆଜିକାଲି ପୋଲିସ୍ ବିଭାଗ ଲୋକଙ୍କୁ ପରାମର୍ଶ ଦେବା ସହ ମଜାଳିଆ ଏବଂ ସୃଜନଶୀଳ ଉପାୟରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବାର ଏକ ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯାହା ଆମ ଓଡିଶାର ନୁହେଁ ବରଂ ବେଙ୍ଗାଲୁରୁର। ବେଙ୍ଗାଲୁରୁର ଟ୍ରାଫିକ୍ ପୋଲିସ୍ ଦ୍ୱାରା ଏହି ପରି କିଛି ଉଦ୍ଯମ କରାଯାଇଥିବା ନଜର ଆସିଛି। ମୁଖ୍ୟ ରାସ୍ତାରେ ପାର୍କିଂ ନକରିବାକୁ ଲୋକଙ୍କୁ ବାରମ୍ବାର ପରାମର୍ଶ ଦିଆଯାଉଛି। ଯାହାକୁ କିଛି ଖାମଖିଆଲ୍ ଭାବେ ଗ୍ରହଣ କରୁଛନ୍ତି। ଏଥିପାଇଁ ଆଇପିଏସ୍ ଅଧିକାରୀ କାଲା କୃଷ୍ଣସ୍ୱାମୀ ଏକ ଭିଡିଓ ସେୟାର କରିଛନ୍ତି।

ଯେଉଁଥିରେ ଦେଖିବାକୁ ମିଳିଛି, ଜନବସତି ଭିତରକୁ କେମିତି ଏକ ବଣୁଆ ହାତୀ ପ୍ରବେଶ କରି ଆତଙ୍କ ଖେଳାଉଛି। କିଛି ସ୍ଥାନୀୟ ଲୋକ ବାହାରେ ଛିଡା ହୋଇଥିବା ସମୟରେ କ୍ରୋଧିତ ହୋଇ ଏକ ହାତୀ ମାଡି ଆସୁଛି। ହାତୀଟିକୁ ଦେଖି ଯିଏ ଯୁଆଡେ ପାଉଛନ୍ତି ଦୌଡିବାକୁ ଲାଗୁଛନ୍ତି। ହାତୀରେ ହଠାତ୍ ଆସି ରାସ୍ତା ଉପରେ ଥୁଆ ହୋଇଥିବା ଏକ ମୋଟର ସାଇକେଲକୁ ଧକ୍କା ଦେଇ ଚାଲିଯାଉଛି ।

ଯାହା ଜଣାପଡିଛି ଏହା ଏକ ପୁରୁଣା ଭିଡିଓ । ବେଙ୍ଗାଲୁରୁର ଡିସିପି ଟ୍ରାଫିକ୍ କାଲା କୃଷ୍ଣସ୍ୱାମୀ ଟ୍ୱିଟରରେ ସେୟାର କରିଛନ୍ତି। ମାଲାପୁରାମର ଚେରୁପୁଜା ଠାରୁ ଆସିଥିବା ଏହି ସର୍ଟ କ୍ଲିପ୍‌ରେ ରାସ୍ତା ଉପରେ ଥୁଆ ହୋଇଥିବା ବାଇକଟି ଉପରେ ବଣୁଆ ହାତୀର ହଠାତ୍ ଆକ୍ସନକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ଅଧିକାରିଣୀ ଜଣକ। ଏବଂ ଏଥିରୁ ଆପଣ ବଞ୍ଚିତ ହେବା ଉଚିତ୍ ନୁହେଁ କି? ବୋଲି କାଲା କୃଷ୍ଣସ୍ୱାମୀ କହିଛନ୍ତି । ଯେଉଁ ଭିଡିଓଟିକୁ ପାଖାପାଖି ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଏଭଳି ଅନେକ ପଦକ୍ଷେପ ନେଉଛି । ଆଇନ୍‌ର ଉଦ୍ଦେଶ୍ୟ କେବଳ କଠୋର ହେବା ନୁହେଁ ବରଂ ଲୋକଙ୍କୁ ସଚେତନ କରାଇବା ମଧ୍ଯ । ସେଥିପାଇଁ ଏପରି ଏକ ଭିଡିଓ ସେୟାର କରି ଅଧିକାରିଣୀ ଜଣକ ଚେତାଇ ଦେଇଛନ୍ତି କି ରାସ୍ତା ଉପରେ ଗାଡି ପାର୍କିଙ୍ଗ କରନ୍ତୁ ନାହିଁ ବୋଲି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.