ବର୍ତ୍ତମାନର ଯୁବପିଢ଼ି ଘରୋଇ ଖାଦ୍ୟ ଅପେକ୍ଷା ବାହାରର ଜଙ୍କଫୁଡ୍ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଚିପ୍ସ, ନୁଡଲ୍ସ, ପିଜ୍ଜା, ବର୍ଗର ଏବେ ପିଲାଙ୍କର ଦୈନନ୍ଦିନ ଖାଦ୍ୟ ପାଲଟିଛି। କିନ୍ତୁ କେବେ ଭାବିଛନ୍ତି ଆପଣ ଖାଉଥିବା ଚିପ୍ସ ବା ଫାଷ୍ଟଫୁଡ୍ କେତେ ସ୍ୱାସ୍ଥ୍ୟକର? ଏହି ପ୍ୟାକେଟ୍ ମାଧ୍ୟମରେ କେତେ ଲୁଣ, ଫ୍ୟାଟ୍, ଚିନି, କାର୍ବୋହାଇଡ୍ରେଡ୍ ଶରୀରକୁ ଯାଉଛି? ନିକଟରେ ହୋଇଥିବା ଗବେଷଣାରେ ଫାଷ୍ଟଫୁଡ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିଛି।
ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭରମେଣ୍ଟ ଦ୍ୱାରା କରାଯାଇଥିବା ରିସର୍ଚ୍ଚ ମୁତାବକ ଆମ ଶରୀରକୁ ଦିନକୁ ଯେତିକି ପରିମାଣର ଲୁଣ ଆବଶ୍ୟକ ହୋଇଥାଏ, ତାଠାରୁ ଢେର ଅଧିକ ପରିମାଣର ଲୁଣ ଗୋଟିଏ ଚିପ୍ସ ପ୍ୟାକେଟ୍ରେ ଥାଏ। ଫଳରେ ମୋଟାପଣ, ହାଇପରଟେନ୍ସନ୍, ଉଚ୍ଚ ରକ୍ତଚାପ, ଡାଇବେଟିସ୍, ହୃଦ୍ରୋଗ ଭଳି ସମସ୍ୟା ଦେଖାଦିଏ।
ଆମ ଶରୀରକୁ କେତେ ପରିମାଣର ପୋଷକ ତତ୍ତ୍ୱ ଆବଶ୍ୟକ ତାହା RDA ବା Recommended Dietary Allowance ପୂର୍ବରୁ ନିର୍ଦ୍ଧାରଣ କରିଛି। RDA ମୁତାବକ ଏକ ସୁସ୍ଥ ବ୍ୟକ୍ତି ପାଇଁ ପ୍ରତିଦିନ ୫ ଗ୍ରାମ ଲୁଣ, ୬୦ ଗ୍ରାମ୍ ଫ୍ୟାଟ୍, ୨.୨ ଗ୍ରାମ୍ ଟ୍ରାନ୍ସ ଫ୍ୟାଟ୍ ଓ ୩୦୦ ଗ୍ରାମ୍ କାର୍ବୋହାଇଡ୍ରେଡ୍ ଆବଶ୍ୟକ ହୋଇଥାଏ। ଏହି ମାତ୍ରା ଜଣେ ସୁସ୍ଥ ବ୍ୟକ୍ତିକୁ ଦିନକୁ ୨୦୦୦ କ୍ୟାଲେରୀ ଯୋଗାଇବା ହିସାବରେ ନିର୍ଦ୍ଧାରିତ କରାଯାଇଛି।
ଏଥିସହ ସିଏସ୍ଇ ଏହି ଫାଷ୍ଟଫୁଡ୍ ଓ ଜଙ୍କ୍ଫୁଡ୍ ଉପରେ ରେଡ୍ ଓ୍ଵାର୍ଣ୍ଣିଂ ଲଗାଇବା ପାଇଁ ମଧ୍ୟ ଦାବି କରିଛି। ଯେଭଳି ଆମିଷ ଓ ନିରାମିଷ ଖାଦ୍ୟ ଉପରେ ନାଲି ଓ ସବୁଜ ଚିହ୍ନ ଥାଏ, ସେହିପରି କ୍ଷତିକାରକ ଜଙ୍କଫୁଡ୍ ଉପରେ ମଧ୍ୟ ରେଡ୍ ଓ୍ଵାର୍ଣ୍ଣିଂ ଦେବାକୁ ଦାବି ହୋଇଛି। ଫଳରେ ଲୋକମାନେ ନିଜ ଇଚ୍ଛା ମୁତାବକ ଏହାକୁ ଖାଇବେ କି ନାହିଁ ନିଷ୍ପତ୍ତି ନେଇ ପାରିବେ। ଅନ୍ୟ ଦେଶର ବଡ଼ ବଡ଼ କମ୍ପାନୀ ଜଙ୍କଫୁଡ୍ ଉପରେ ରେଡ୍ ଓ୍ଵାର୍ଣ୍ଣିଂ ଲେବଲ ଲଗାଉଛନ୍ତି। ଏଣୁ ଭାରତରେ ମଧ୍ୟ ଏହି ନୂଆ ନିୟମ ଲାଗୁ କରିବାକୁ ସିଏସ୍ଇର ଡାଇରେକ୍ଟର ଜେନେରାଲ ସୁନୀତା ନାରାୟଣ ଦାବି କରିଛନ୍ତି।