କିଡ୍‌ନୀ, ଲିଭର୍‌, ଫୁସ୍‌ଫୁସ, ଆଖି ଦାନ…ମୃତ୍ୟୁ ପରେ ବି ୧୨ଜଣଙ୍କୁ ନୂତନ ଜୀବନ ଦେଲେ ଦୁଇ ସାଙ୍ଗ

ଗୁଜରାଟର ସୁରତରେ ବ୍ରେନ ଡେଡ୍‌ ହୋଇଥିବା ଦୁଇ ସାଙ୍ଗ ମୃତ୍ୟୁ ପରେ ମଧ୍ୟ ଜୀବିତ ଅଛନ୍ତି। ସେମାନେ ୧୨ଜଣ ଲୋକଙ୍କୁ ନୂତନ ଜୀବନ ଦାନ କରିଛନ୍ତି। ପିଲାବେଳର ଏହି ଦୁଇ ସାଙ୍ଗଙ୍କ ପରିବାର ସୁରତର ଡୋନେଟ୍‌ ଲାଇଫ୍‌ ସଂସ୍ଥା ମାଧ୍ୟମରେ ସେମାନଙ୍କ ଅର୍ଗାନ ଡୋନେଟ୍‌ କରିଛନ୍ତି। ପ୍ରଥମ ଥର ସୁରତର ଏକ ହସ୍ପିଟାଲରୁ ୧୩ ଅର୍ଗାନ୍‌ ଦାନରେ ମିଳିବା ପ୍ରଥମ ମାମଲା।

ସହରରେ ରହୁଥିବା ୧୮ ବର୍ଷୀୟ ମିତ୍‌ ପଣ୍ଡ୍ୟା ଓ କ୍ରିଶ୍‌ ଗାନ୍ଧୀ ୨୪ ଅଗଷ୍ଟ ରାତିରେ ସୁରତ ସହରର ଜିଡି ଗୋଏଙ୍କା ସ୍କୁଲ ନିକଟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁଇ ସାଙ୍ଗଙ୍କୁ ପିପ୍‌ଲୋଦ୍‌ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ। ଏହି ମାମଲା ସମ୍ପର୍କରେ ଯେତେବେଳେ ଡୋନେଟ୍‌ ଲାଇଫ୍‌ ସଂସ୍ଥାର ନୀଲେଶ୍‌ ମାଣ୍ଡଲେଓ୍ଵାଲା ଜାଣିବାକୁ ପାଇଲେ, ତ ସେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ପରିବାର ଲୋକଙ୍କୁ ଅଙ୍ଗଦାନ କରିବା ପାଇଁ ବୁଝାଇଥିଲେ। ବ୍ରେନ ଡେଡ୍‌ ଯୁବକଦ୍ୱୟଙ୍କ ପରିବାର ଲୋକେ ଅଙ୍ଗଦାନ କରିବାକୁ ରାଜି ହୋଇଯାଇଥିଲେ। ଏହାପରେ ସେମାନେ ନିଜ ମୃତ ପିଲାଙ୍କର କିଡ୍‌ନୀ, ଲିଭର, ହୃଦୟ, ଫୁସ୍‌ଫୁସ ଏବଂ ଆଖି ଦାନ କରିଥିଲେ।

ଦ୍ୱାଦଶ ଶ୍ରେଣୀର ଛାତ୍ର ଥିବା ଦୁଇ ମୃତକଙ୍କ ମଧ୍ୟରୁ କ୍ରିଶ୍‌ ଗାନ୍ଧୀଙ୍କର ୨୪ ଅଗଷ୍ଟରେ ଜନ୍ମଦିନ ଥିଲା। ଜନ୍ମଦିନ ପାଳି ଉଭୟ ସାଙ୍ଗ ରାତିରେ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ରାସ୍ତାରେ ଏକ କାର୍‌ ସେମାନଙ୍କୁ ଜୋର୍‌ରେ ଧକ୍କା ଦେଇଥିଲା। ଝଟକା ଏତେ ତୀବ୍ର ଥିଲା ଯେ ସେମାନେ କିଛି ହାତ ଉପରକୁ ଉଠି ଛିଟିକି ପଡ଼ିଥିଲେ। ପୋଲିସ ଏହି ମାମଲାରେ କପଡ଼ା କାରବାରର ଡ୍ରାଇଭର ରିଜଓ୍ଵାନ ଶେଖ୍‌ଙ୍କୁ ଗିରଫ କରିଥିଲା।

organ
photo: aajtak

ମୃତକମାନଙ୍କ ଅର୍ଗାନକୁ ଅହମଦାବାଦ ଓ ହାଇଦ୍ରାବାଦ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଦୁଇଟି ଅଲଗା ଅଲଗା ଗ୍ରୀନ୍‌ କରିଡୋର୍‌ କରାଯାଇଥିଲା। ସୁରତରୁ ହାଇଦ୍ରାବାଦ, ୯୨୬ କିଲୋମିଟର ରାସ୍ତାକୁ ୧୮୦ ମିନିଟ୍‌ରେ ଶେଷ କରାଯାଇ କ୍ରିଶ୍‌ ଗାନ୍ଧୀଙ୍କ ଫୁସ୍‌ଫୁସକୁ CPRFର ପୁଣେ ୟୁନିଟ୍‌ରେ ମୁତୟନ ୫୪ ବର୍ଷୀୟ ଯବାନଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି, ଯିଏ ବିଗତ ଦେଢ଼ ବର୍ଷ ହେବ ଅକ୍ସିଜେନ ସପୋର୍ଟରେ ରହିଥିଲେ। ସେହିପରି ସୁରତରୁ ଅହମଦାବାଦ, ୨୮୮ କିଲୋମିଟର ରାସ୍ତାକୁ ୯୦ ମିନିଟ୍‌ରେ ଶେଷ କରାଯାଇ ମୃତ ମିତ୍‌ ପଣ୍ଡ୍ୟାଙ୍କ ହାର୍ଟକୁ ବରୋଦାରେ ରହୁଥିବା ୨୧ ବର୍ଷୀୟା ଯୁବତୀଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି। କ୍ରିଶ୍‌ ଗାନ୍ଧୀଙ୍କ ଲିଭରକୁ ରାଜକୋଟ ନିବାସୀ ୫୫ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି। ମିତ୍‌ ପଣ୍ଡ୍ୟାଙ୍କ ଲିଭର ବାୟଦ୍‌ରେ ରହୁଥିବା ୪୭ ବର୍ଷୀୟ ଶିକ୍ଷକଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି।

ଏହିଭଳି ଭାବେ ଦାନରେ ମିଳିଥିବା ୪ କିଡ୍‌ନୀ ଅତ୍ୟାବଶ୍ୟକ ଥିବା ଲୋକଙ୍କ ଶରୀରରେ ଅହମଦାବାଦର Institute of Kidney Diseases and Research Centre (IKDRC) ହସ୍ପିଟାଲରେ ଟ୍ରାନ୍ସପ୍ଲାଣ୍ଟ କରାଯିବ। ଗୁଜରାଟ ରାଜ୍ୟରୁ ଏ ପର୍ଯ୍ୟନ୍ତ ହୃଦୟ ଦାନର ୪୫ଟି ମାମଲା ରହିଥିବା ବେଳେ ସେଥି ମଧ୍ୟରୁ ସୁରତର ଡୋନେଟ୍‌ ଲାଇଫ୍‌ ସଂସ୍ଥାର ୩୫ଟି ମାମଲା ଅନ୍ତର୍ଭୁକ୍ତ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.