ରାଣୀ ଏଲିଜାବେଥ୍-୨ଙ୍କ ଦେହାନ୍ତ ପରେ ଏବେ କାହା ମଥାରେ ଶୋଭା ପାଇବ କୋହିନୂରଖଚିତ ରାଜ ମୁକୁଟ ?

ବ୍ରିଟେନର ରାଣୀ ଏଲିଜାବେଥ୍-୨ଙ୍କ ଦେହାନ୍ତ ଖବରରେ ସାରା ବିଶ୍ୱ ମର୍ମାହତ। ବିଶ୍ୱର ସମସ୍ତ ଦେଶର ନେତା ତାଙ୍କ ଦେହାନ୍ତକୁ ନେଇ ଶୋକବ୍ୟକ୍ତ କରିଛନ୍ତି। ଭାରତରେ ରବିବାର ଦିନଟିକୁ ରାଣୀ ଏଲିଜାବେଥ୍-୨ଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଶୋକ ଦିବସ ରୂପେ ପାଳନ କରାଯାଇଛି।

ବ୍ରିଟେନ ସହ ଭାରତର ସମ୍ପର୍କ ଅତି ନିବିଡ଼। ଭାରତ ବହୁବର୍ଷ ଇଂରେଜଙ୍କ ଦ୍ୱାରା ପରାଧୀନ ହୋଇରହିଥିଲା। ପ୍ରାୟ ୬ ଲକ୍ଷ ଲୋକଙ୍କ ବଳିଦାନ ବଦଳରେ ଆମକୁ ସ୍ୱାଧୀନତା ମିଳିଛି। ଯଦିଓ ଏ ସ୍ୱାଧୀନତା ମିଳିବାକୁ ନେଇ ଅନେକ ତର୍କ ରହିଛି। କେହି କୁହନ୍ତି ଆମେ ଇଂରେଜଙ୍କୁ ଆମ ଦେଶରୁ ତଡ଼ିଦେଲୁ ତ ଆଉ କେହି କୁହନ୍ତି ଇଂରେଜ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସବୁକିଛି ହରାଇବା ପରେ ଭାରତରେ ଶାସନ କରିପାରିବେ ନାହିଁ ବୋଲି ଅନୁଭବ କରି ଭାରତ ଛାଡ଼ିଥିଲେ।

ଅନ୍ୟ ପଟେ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଆକ୍ଟ -୧୯୪୭କୁ ଅବଲୋକନ କଲେ ଦେଖାଯାଏ ଯେ ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ପାଇବା ନେଇ ସେହି ବର୍ଷ ଜୁଲାଇ ୧୮ତାରିଖରେ ବ୍ରିଟେନ ପାର୍ଲାମେଣ୍ଟରେ ସ୍ଥିର ହୋଇଥିଲା। ଏହି ଆଇନର ପ୍ରଥମ ପାରାରେ ଲେଖାଯାଇଛି ଯେ ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଆକ୍ଟ ଜରିଆରେ ଭାରତକୁ ଦୁଇଟି ଅଧୀନ ରାଜ୍ୟରେ ପରିଣତ କରାଯିବ। ଏହି ଆଇନର ଧାରା ୧(କ)ରେ ଲେଖାଯାଇଛି, ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଠାରୁ ଭାରତରେ ଦୁଇଟି ଅଧୀନ ରାଜ୍ୟ ପ୍ରତିଷ୍ଠା କରାଯିବ। ସେ ଦୁଇଟିରୁ ଗୋଟିଏ ହେବ ଭାରତ ଓ ଅନ୍ୟଟି ହେବ ପାକିସ୍ତାନ। ଏଭଳି କିଛି ଲିପିବଦ୍ଧ ଇତିହାସ ରହିଛି ଭାରତର ସ୍ୱାଧୀନତା ପଛରେ।

ଭାରତ ପରାଧୀନ ଥିବା ସମୟରେ ଆମର ଅନେକ ସମ୍ପତ୍ତି ବ୍ରିଟେନକୁ ଚାଲି ଯାଇଛି। ସେ ସବୁ ସମ୍ପଦର ମୂଲ୍ୟ ଏତେ ଅଧିକ ଯେ ଯଦି ସେ ସବୁ ଆମ ଭାରତରେ ରହିଥାନ୍ତା, ତାହେଲେ ଆଜି ଭାରତ ବିଶ୍ୱର ସବୁଠୁ ଧନୀ ଦେଶ ଭାବରେ ପରିଗଣିତ ହେଉଥାନ୍ତା। ତେବେ ଏସବୁ ଅମୂଲ୍ୟ ସମ୍ପଦ ଭିତରେ ଭାରତ ପାଖରେ ଏକ ବଡ଼ ସମ୍ପତ୍ତି ଥିଲା। ତାହା ହେଉଛି କୋହିନୂର ହୀରା। ବ୍ରିଟେନର ରାଣୀଙ୍କ ଦେହାନ୍ତ ସମୟରେ ଜଣେ ଭାରତୀୟ ଏହି କୋହିନୂର ହୀରାକୁ ମନେପକାଇବାକୁ ବାଧ୍ୟ ହୋଇଥାଏ।

diamond

ବିଶ୍ୱର ସବୁଠୁ ପ୍ରସିଦ୍ଧ ହୀରା ହେଉଛି କୋହିନୂର। ବ୍ରିଟେନ୍ ରାଜତନ୍ତ୍ରର ରାଣୀଙ୍କ ମୁକୁଟରେ ରହିଛି ଏହି ରୟାଲ ହୀରା। କାହିଁକି ନା ଏହି କୋହିନୂର ହୀରାକୁ କେବଳ ଭଗବାନ କିମ୍ବା ଜଣେ ନାରୀ ଧାରଣ କରିପାରିବେ ବୋଲି କୁହାଯାଏ। କୌଣସି ପୁରୁଷ ଏହି ହୀରାକୁ ଧାରଣ କଲେ ତାଙ୍କର ଶୀଘ୍ର ମୃତ୍ୟୁ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ବ୍ରିଟେନର ରାଣୀ ମଥାରେ ପିନ୍ଧୁଥିବା ଏହି ହୀରା ହେଉଛି ଭାରତର। ଏହି ହୀରା ପ୍ରଥମେ ୧୪୦୦ ଶତାବ୍ଦୀରେ ଭାରତର ଗୋଲକୁଣ୍ଡା ମାଇନ୍ସରେ ନଜର ଆସିଥିଲା। ପରବର୍ତ୍ତୀ ସମୟରେ ଏହା ମୋଗଲଙ୍କ ହାତକୁ ପଳାଇଥିଲା। ପରେ ଇରାନିଆନ୍ ଯୋଦ୍ଧା, ଆଫଗାନ ଶାସକ ଏହାକୁ ହାତେଇଥିଲେ। ଶେଷରେ ଏହା ପଞ୍ଜାବୀ ମହାରାଜଙ୍କ ଅଧୀନରେ ରହିଥିଲା। ଏକ ଘଟଣାକ୍ରମରେ ଏହା ଭାରତରୁ ଯାଇ ବ୍ରିଟେନ୍ ରାଜତନ୍ତ୍ର ମୁକୁଟରେ ସ୍ଥାନ ପାଇଛି। ଆଙ୍ଗ୍ଲୋ-ଶିଖ୍ ଯୁଦ୍ଧ ସମୟରେ ଲାହୋରର ରାଜାଙ୍କ ଦ୍ୱାରା ସ୍ୱାକ୍ଷରିତ ଦଣ୍ଡନୀୟ ଚୁକ୍ତି ଯୋଗୁଁ ଏହା ୧୮୪୭ ମସିହାରେ ଭାରତରୁ ଯାଇ ୧୮୪୯ରେ ଇଂରେଜମାନଙ୍କ ଅଧିକାରକୁ ପଳାଇଥିଲା। ତଥା ୧୯୩୭ରେ ରାଣୀଙ୍କ ମୁକୁଟରେ ଏହି ହୀରାକୁ ଖଞ୍ଜାଯାଇଥିଲା। ଏହି ମୁକୁଟ ସେବେଠାରୁ ରାଣୀ ଏଲିଜାବେଥ-୨ଙ୍କ ସମ୍ପତ୍ତି ହୋଇ ରହିଛି। ରାଣୀଙ୍କ ନିଧନ ପରେ ପରବର୍ତ୍ତୀ ରାଣୀ ଏହି କୋହିନୂର ହୀରାର ମାଲିକାଣୀ ହେବେ। ଏଲିଜାବେଥ୍-୨ଙ୍କ ଦେହାନ୍ତ ପରେ କିଙ୍ଗ ଚାର୍ଲସ-୩ ତାଙ୍କ ସ୍ଥାନ ନେଇ ବ୍ରିଟେନର ରାଜା ହୋଇଛନ୍ତି। ତେଣୁ ତାଙ୍କ ପତ୍ନୀ ରାଣୀ କାମିଲା ବର୍ତ୍ତମାନ ଏହି ରାଜ ମୁକୁଟକୁ ଧାରଣ କରିବା ସହ କୋହିନୂର ହୀରା ତାଙ୍କର ସମ୍ପତ୍ତି ହେବ।

୨୦୧୮ ମସିହାରେ ରାଣୀ ଏଲିଜାବେଥ୍ ଦ୍ୱିତୀୟ କହିଥିଲେ, ଏହି କୋହିନୂର ହୀରାକୁ ଧାରଣ କରିବା କଷ୍ଟସାଧ୍ୟ। ଏହାକୁ ଧାରଣ କରିବା ବେଳେ ଯଦି ବାଲାନ୍ସ ବିଗିଡ଼ିଯାଏ ବା ସେ ଏହାକୁ ପିନ୍ଧି ତଳକୁ ଅନାଇଦେବେ ତେବେ ତାହା ତାଙ୍କର ବେକ ଭାଙ୍ଗିଯିବ। ଭାରତ ଏହି ହୀରାକୁ ନିଜ ଦେଶକୁ ଫେରାଇ ଆଣିବାକୁ ସଂଘର୍ଷ କରି ଆସୁଛି। ୧୯୯୦ ଦଶକର ଶେଷ ଆଡ଼କୁ ପୂର୍ବତନ ଭାରତୀୟ ହାଇକମିଶନ୍ ଥିବା କୁଲଦୀପ ନାୟାର ଏହାକୁ ଭାରତ ଫେରାଇ ଅଣାଇବା ପାଇଁ ରାଜ୍ୟସଭାରେ ଏକ ପିଟିସନ ଦାଖଲ କରିଥିଲେ। ଏହି ପିଟିସନରେ ସେତେବେଳେ ରାଜ୍ୟ ସଭା ସଦସ୍ୟ ମନମୋହନ ସିଂହଙ୍କ ସମେତ ୫୦ଜଣ ରାଜ୍ୟ ସଭା ସଦସ୍ୟଙ୍କ ଦସ୍ତଖତ କରିଥିଲେ। ସେହିପରି ଜାତିର ପିତା ମହାତ୍ମାଗାନ୍ଧିଙ୍କ ନାତି ତୁଷାର ଗାନ୍ଧି କୋହିନୂର ହୀରାକୁ ଭାରତ ଫେରାଇ ଆଣିବାକୁ ୨୦୦୯ରେ ଦାବି କରିଥିଲେ। କିନ୍ତୁ ବ୍ରିଟେନ୍ ଏହାକୁ ଏକ ସମ୍ବେଦନଶୀଳ ମାମଲା କହି ଫେରାଇବାକୁ ଆଦୌ ପ୍ରସ୍ତୁତ ନୁହେଁ ବୋଲି କହି ଆସିଛି। ଏବେ ଏହି ହୀରା ଏଲିଜାବେଥଙ୍କ ଠାରୁ ଯାଇ ତାଙ୍କ ଉତ୍ତରାଧୀକାରୀଙ୍କ ମୁକୁଟରେ ଝଟକିବ।

Also Read: ଏହି ସପ୍ତାହରେ କ’ଣ କହୁଛି ଆପଣଙ୍କ ରାଶି, ଜାଣନ୍ତୁ କାହାର ସାଥ୍‌ ଦେବ ଭାଗ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.