ଜମିକୁ ଯିବାକୁ ରାସ୍ତା ବନ୍ଦ କରିଦେଲେ ପଡ଼ୋଶୀ, ଏଣୁ ହେଲିକପ୍ଟର କିଣିବାକୁ ଋଣ ଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମହିଳା ଚାଷୀ

ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଚାଷୀ ସରକାରୀ କଳର ସାହାଯ୍ୟ ନପାଇ ବ୍ୟାଙ୍କକୁ ହେଲିକପ୍ଟର କିଣିବାକୁ ଋଣ ମାଗିଛନ୍ତି। ଏଥିପାଇଁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମତି ଚାହିଁଛନ୍ତି।

ରିପୋର୍ଟ ମୁତାବକ, ମନ୍ଦସୌର ଜିଲ୍ଲାର ଶାମଗଡ଼ ତହସିଲର ଆଗର ଗାଁର ବସନ୍ତ ବାଇ ନାମ୍ନୀ ମହିଳା ଚାଷୀ କୃଷିକାର୍ଯ୍ୟ କରି ପେଟ ପୋଷନ୍ତି। ମାତ୍ର ତାଙ୍କ ପଡ଼ୋଶୀ ଜମିକୁ ଯିବାକୁ ଥିବା ରାସ୍ତା ବନ୍ଦ କରିଦେଇଥିଲେ। ଫଳରେ ସେ ସେଠାକୁ ଯିବା ଆସିବା କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। କେବଳ ଏତିକି ନୁହେଁ, କୃଷି ଯନ୍ତ୍ରୀ ଓ ତହସିଲଦାରଙ୍କୁ ମଧ୍ୟ ନିଜ ଜମି ଦେଖାଇବାକୁ ନେଇପାରୁନଥିଲେ। ଏହା ଦ୍ୱାରା ତାଙ୍କ କୃଷି କାର୍ଯ୍ୟ ବି ପ୍ରଭାବିତ ହୋଇଥିଲା।

ଏହି ସମସ୍ୟାର ସମାଧାନ ପାଇଁ ବସନ୍ତ ବାଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି ତାଙ୍କ ଅସୁବିଧାକୁ ଦୂର କରିପାରୁନଥିଲେ। ଏଣୁ ସରକାରୀ କର୍ମଚାରୀଙ୍କ ଠାରୁ କୌଣସି ସହାୟତା ନ ପାଇ ବସନ୍ତ ରାଷ୍ଟ୍ରପତିଙ୍କୁ ହେଲିକପ୍ଟର ପାଇଁ ଚିଠି ଲେଖିଛନ୍ତି। ବସନ୍ତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ ସେ ନିଜ ଜମି ପାଖକୁ କୃଷି ସରଞ୍ଜାମ ଓ ଅଫିସରଙ୍କୁ ନେବା ପାଇଁ ବ୍ୟାଙ୍କରୁ ଋଣ ନେଇ ଏକ ହେଲିକପ୍ଟର କିଣିବାକୁ ଚାହୁଁଛନ୍ତି ଓ ରାଷ୍ଟ୍ରପତି ତାଙ୍କର ଏହି ଲୋନ୍‌ କରିବା ପାଇଁ ଅନୁମତି ଦିଅନ୍ତୁ। ଏଥିସହ ସେ ରାଷ୍ଟ୍ରପତିଙ୍କ ଠାରୁ ହେଲିକପ୍ଟର ଲାଇସେନ୍ସ ପାଇଁ ମଧ୍ୟ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.