ଏକ ଏମିତି ଗାଁ, ଯେଉଁଠି ମାଗଣାରେ ବଣ୍ଟାଯାଏ ଲିଟର ଲିଟର କ୍ଷୀର! ବିକ୍ରି କଲେ ମରି ଯାଆନ୍ତି ଘରର ଗାଈ, ମଇଁଷି

ମଧ୍ୟ ପ୍ରଦେଶର ବୈତୁଲରେ ଏମିତି ଏକ ଗାଁ ଅଛି, ଯେଉଁଠି କ୍ଷୀର ଓ ଦହି ବିକ୍ରି କରାଯାଏ ନାହିଁ। ଗାଁର ଲୋକମାନେ ମାଗଣାରେ ଏ ସବୁ ଦେଇ ଥାଆନ୍ତି। ଅତିଥିମାନଙ୍କୁ ହସ ହସ ମୁହଁରେ ସ୍ୱାଗତ କରାଯାଇ ତାଜା କ୍ଷୀର ପିଇବାକୁ ଦିଆଯାଇଥାଏ। ଏହି ଗାଁର ନାଁ ହେଲା, ଚୁଡ଼ିୟା। ଏଠାରେ ପ୍ରତ୍ୟେକଙ୍କ ଘରେ ୫ରୁ ୧୦ ଗାଈ ଅଛନ୍ତି, ଯେଉଁଠୁ ପ୍ରତିଦିନ ୧୦୦୦ ଲିଟର କ୍ଷୀର ବାହାରିଥାଏ।

ଗ୍ରାମବାସୀ କୁହନ୍ତି କି, ଅନେକ ବର୍ଷ ପୂର୍ବେ ଏଠାକୁ ଚିନଧ୍ୟା ସାଧୁବାବା ନାମରେ ଜଣେ ସନ୍ଥ ଆସିଥିଲେ। ସେ ଗ୍ରାମବାସୀମାନଙ୍କୁ କ୍ଷୀର, ଦହିର ବେପାର କରିବାକୁ ମନା କରିଥିଲେ। ସେବେଠାରୁ ଗାଁର ଲୋକେ ବାବାଙ୍କ ଆଜ୍ଞା ପାଳନ କରି ଆସୁଛନ୍ତି। ଚିନଧ୍ୟା ସାଧୁବାବାଙ୍କ ୫ମ ପିଢ଼ିର ବଂଶଜ କିଶନ ମହାରାଜ କୁହନ୍ତି, ଗାଁରରେ କିଛି ଲୋକ କ୍ଷୀର ବିକ୍ରି କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଏହା ପରଠୁ ଲୋକମାନେ କ୍ଷୀର, ଦହି ବିକିବା ବନ୍ଦ କରି ଦେଇଛନ୍ତି।

କିଶନ କହିଛନ୍ତି, ଗାଁର ଏକ ପରିବାର ହରିୟାଣାରୁ ମହଙ୍ଗା ମଇଁଷି କିଣି ଆଣିଥିଲେ। ସେମାନେ ଗାଁରେ ଦୁଗ୍ଧଜାତ ଦ୍ରବ୍ୟ ବିକିବା ଆରମ୍ଭ କରିଥିଲେ। କିଛି ଲୋକ ସେମାନଙ୍କୁ ଏହି କାମ କରିବାକୁ ମନା କରିଥିଲେ, କିନ୍ତୁ ସେମାନେ ମାନି ନ ଥିଲେ। ୧ ବର୍ଷ ଭିତରେ ସେମାନଙ୍କର ୯ ସୁସ୍ଥ ମଇଁଷିଙ୍କର ମୃତ୍ୟୁ ଘଟିଥିଲା। ଏଥିଯୋଗୁ ଉକ୍ତ ପରିବାରକୁ ଆର୍ଥିକ ରୂପେ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ତେବେ ଗାଁର ଅନେକ ଲୋକଙ୍କ ପାଖରେ ବହୁ ସଂଖ୍ୟକ ଗାଈ ଅଛନ୍ତି। ସେମାନଙ୍କ ଘରୁ ଦୈନିକ ୫ରୁ ୬ ଲିଟର କ୍ଷୀର ବାହାରୁଛି। କିନ୍ତୁ ସେମାନେ କ୍ଷୀର ବିକ୍ରି କରନ୍ତି ନାହିଁ। ତାହାକୁ ସକାଳ ସମୟରେ ଗରିବ ଲୋକଙ୍କୁ ବାଣ୍ଟି ଦିଅନ୍ତି। ଏଥିସହ ବଳକା କ୍ଷୀରରୁ ଘିଅ ପ୍ରସ୍ତୁତ କରି ତାହାକୁ ୧ ବର୍ଷ ପାଇଁ ଷ୍ଟୋର କରି ରଖି ଦିଅନ୍ତି।

ବର୍ଷ ଶେଷରେ ଚିନଧ୍ୟା ସାଧୁବାବାଙ୍କ ମନ୍ଦିରରେ ମେଳା ଲାଗିଥାଏ। ସେହି ଦେଶୀ ଘିଅରେ ଏଠାରେ ଭୋଜିର ଆୟୋଜନ ହୋଇଥାଏ। ଗାଁର ଲୋକମାନେ ଏହାକୁ ବାବାଙ୍କ ପ୍ରସାଦ ଭାବି ସେବନ କରି ଥାଆନ୍ତି। ଏହା ବାବାଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ଏକ ଅବସର ହୋଇଥାଏ। ତେବେ ଗ୍ରାମବାସୀଙ୍କ କହିବା ହେଲା, କେବଳ କ୍ଷୀର କି ଦହି ନୁହେଁ, ସାଧୁବାବା ଏହି ଗାଁର ଲୋକମାନଙ୍କୁ ଆମ୍ବ ଓ ଜାମୁକୋଳି ବିକ୍ରି କରିବାକୁ ମଧ୍ୟ ମନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.