କାହିଁ କେଉଁ କାଳରୁ ଲୁଣା ନଦୀ ପଠାରେ ପୂଜା ପାଇ ଆସୁଛନ୍ତି ରାଧାକୃଷ୍ଣ ବେଶରେ ମୋହନ ମୁରଲୀ। ସର୍ବ ପୁରାତନ ପୀଠଟି ମୋହନ ମୁରଲୀ ପୀଠ ନାମରେ ପରିଚିତ। ଅଞ୍ଚଳର ୩୦ ଖଣ୍ଡି ଗାଁ ଲୋକମାନେ ଏହି ପୀଠକୁ ପୂଜା କରିବାକୁ ଆସିଥାନ୍ତି। ଆସନ୍ତୁ ଜାଣିବା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଗିରଙ୍ଗ ଗ୍ରାମ ନିକଟ ଲୁଣାନଦୀ ପଠାରେ ଥିବା ମୋହନ ମୁରଲୀ ପୀଠର ମହିମା।
ଏଠାରେ ଶହଶହ ବର୍ଷର ବଟବୃକ୍ଷ ମୂଳରେ ପୂଜା ପାଇ ଆସୁଛନ୍ତି ରାଧାକୃଷ୍ଣ ବେଶରେ ମୋହନ ମୁରଲୀ। ପୀଠର ବିଜେ ସ୍ଥଳି ୨୪ ଡିସିମିଲି ଜମିରେ ଅବସ୍ଥିତ। ବ୍ରିଟିଶ ଅମଳର ମାର୍ଶାଘାଇ ଜମ୍ବୁ କେନାଲ କଡରେ ଲୁଣାନଦୀ ଅବବାହିକାରେ ଏହି ପୀଠ ଅବସ୍ଥିତ। ସେହି ସମୟରେ ଲୁଣାନଦୀ ମାତ୍ର ସରୁ କେନାଲ ଟିଏ ହୋଇ ପାଣି ପ୍ରବାହିତ ହେଉଥିଲା ସେବେଠାରୁ ଏହି ବଟବୃକ୍ଷ ମୂଳରେ କଳା ମୁଗୁନି ପଥରରେ ନିର୍ମିତ ରାଧାକୃଷ୍ଣ ବେଶରେ ମୋହନ ମୂରଲୀ ପ୍ରତିମୂର୍ତ୍ତି ସ୍ଥାପନା କରିଥିଲେ ଅଞ୍ଚଳବାସୀ। କାଳକ୍ରମେ ନଦୀ ଓସାରିଆ ଓ ଗଭୀର ହୋଇଯିବାରୁ ନଦୀରେ କୁମ୍ଭୀର ରହିବାରୁ ଧୋୟା ଅଞ୍ଚଳର ଲୋକମାନେ ପୀଠକୁ ଆସି ପାରିଲେ ନାହିଁ। କାଳକ୍ରମେ ପୀଠ ସମ୍ପୂର୍ଣ୍ଣ ଜଙ୍ଗଲ ହୋଇ ପଡିବାରୁ ପୀଠରେ ଥିବା ପ୍ରତିମୂର୍ତ୍ତି ଅବହେଳିତ ହୋଇ ପଡିଲେ।ପରବର୍ତ୍ତୀ ସମୟରେ ମୋହନ ମୁରଲୀଙ୍କ କୃପାରୁ ଏହି ପୀଠରେ ଆସି ପହଞ୍ଚିଲେ ସାଧୁ ଚନ୍ଦ୍ରମଣି ଦାସ। ବାବା ଚନ୍ଦ୍ରମଣି ପୀଠକୁ ପୁନରୁଦ୍ଧାର କରି ପିତ୍ତଳର ଏକ ରାଧାକୃଷ୍ଣ ମୂର୍ତ୍ତି ସ୍ଥାପନା କରି ପୂଜାର୍ଚ୍ଚନା କରି ଆସୁଥିଲେ। ଏଇ କିଛି ବର୍ଷ ତଳେ ବାବାଙ୍କର ଦେହାନ୍ତ ହେବାରୁ ମୋହନ ମୁରଲୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଗିରଙ୍ଗ ଗ୍ରାମର ପୂଜକ ଶରତଚନ୍ଦ୍ର।
ପ୍ରତି ବର୍ଷ କାର୍ତ୍ତିକ ମାସରେ ରାହାସ ପୂର୍ଣ୍ଣିମା ସମୟରେ ପୀଠରେ ବାର୍ଷିକ ଯଜ୍ଞର ଆୟୋଜନ କରାଯାଏ । ଏହି ଯଜ୍ଞରେ ଅଞ୍ଚଳର ପ୍ରତ୍ୟେକ ଲୋକ ଆସି ଦାନ ଦେବା ସହିତ ପୂଜା ଅର୍ଚ୍ଚନା କରିଥାନ୍ତି ଏବଂ ଏହି ସମୟରେ ଯେଉଁ ଅର୍ଥ ଆୟ କରାଯାଏ ସେଥିରେ ବର୍ଷତମାମ ମୋହନ ମୁରଲୀଙ୍କର ପୂଜାର୍ଚ୍ଚନା ହୋଇଥାଏ। ଅଞ୍ଚଳର ଶ୍ରଦ୍ଧାଳୁମାନେ ବିଭିନ୍ନ ସମୟରେ ମାନସିକ କରି ପୀଠରେ ଭୋଗ କରିଥାନ୍ତି। ଯେକୌଣସି ସମୟରେ ଯାହାର ବି ବିପଦ ପଡୁନା କାହିଁକି ସଙ୍ଗେ ସଙ୍ଗେ ମୋହନ ମୁରଲୀଙ୍କୁ ଡାକିଲେ ଅଚିରେ ତାର ବିପଦ ଖଣ୍ଡନ କରିଥାନ୍ତି ମୋହନ ମୁରଲୀ। ଏବେ ପୀଠର ଉନ୍ନତି ପାଇଁ ଦାବି କରିବା ସହିତ କିଭଳି ଭାବେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ସେଥିପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ଅଞ୍ଚଳବାସୀ। ଅନ୍ୟପଟେ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ କହିଛନ୍ତି, ପୀଠର ବିକାଶ କାର୍ଯ୍ୟ ଚାଲୁରହିଛି ଓ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇବା ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚର କରାଯାଇଛି।